ଶୀତ ଶେଷକୁ ବର୍ଷିବ, ଗର୍ଜିବ

ଭୁବନେଶ୍ୱର(ଓଟି): ବର୍ଷ ସାରା ପାଣିପାଗରେ ଏପଟସେପଟ ଲାଗି ରହିଲା। ଠିକ୍‌ରେ ବର୍ଷା ହେଲାନି ଆଉ ଫସଲ ଅମଳ ବେଳକୁ ସବୁ ପାଣିଚିଆ କରିଦେଲା। ଏଭଳି ଅଦିନିଆ ବର୍ଷା ଯୋଗୁ ଚାଷୀକୁଳ ହନ୍ତସନ୍ତ ହେଲେ। ବ୍ୟାପକ କ୍ଷୟକ୍ଷତି ମଧ୍ୟ ଘଟିଲା। ଏଭଳି ସ୍ଥିତିରେ ଶୀତ, କୋହଲା ପାଗ, କୁହୁଡ଼ି ମଧ୍ୟ ତା ସହ ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି। ତେବେ ଶୀତ ଶେଷ ପର୍ଯ୍ୟାୟରେ ଥିବାବେଳେ ବର୍ଷା-କୋହଲା ପାଗ ଲୋକଙ୍କୁ ନୟାନ୍ତ କରିଦେଇଛି। ଗତ ଦୁଇଦିନ ଧରି ଶୀତ ବଢ଼ିଥିବାବେଳେ ତାକୁ ତାଳ ଦେଇ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ସେହିପରି ବୁଧବାର ରାତିରେ ଘନ କୁହୁଡ଼ି ଯୋଗୁ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା। ଏହି କାରଣରୁ ଅନେକ ସ୍ଥାନରେ ଦୁର୍ଘଟଣା ମଧ୍ୟ ଘଟିଥିବା ସୂଚନା ମିଳିଛି। ଏହିକ୍ରମରେ ଆହୁରି କିଛି ଜିଲ୍ଲାରେ ବର୍ଷିବ ଓ ଘଡ଼ଘଡ଼ି ମାରିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି।

ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏଥିସହ ଘଡ଼ଘଡ଼ି ମଧ୍ୟ ହୋଇପାରେ। ଏଥିପାଇଁ ଗଞ୍ଜାମ ଓ ଗଜପତି ସମେତ ରାୟଗଡ଼ା ଏବଂ ଉତ୍ତର କେନ୍ଦ୍ରୀୟ ଓଡ଼ିଶାକୁ ସତର୍କ ରହିବାକୁ କୁହାଯାଇଛି। ସେହିପରି ଶୁକ୍ରବାରକୁ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ଝଡ଼ତୋଫାନ ସହ ବର୍ଷା ହେବାର ଆଶଙ୍କା କରାଯାଇଛି। ବିଶେଷକରି ବଜ୍ରପାତ ଆଶଙ୍କାରେ ସତର୍କ ସୂଚନା ଜାରି କରାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ରାୟଗଡ଼ା, ନୂଆପଡ଼ା ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଘଡ଼ଘଡ଼ି ପ୍ରତି ଲୋକେ ସତର୍କ ରହିବାକୁ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଘନ କୁହୁଡ଼ି କିଛିଦିନ ରହିପାରେ ବୋଲି କୁହାଯାଇଛି।

Leave a Reply

Your email address will not be published.