ପୁଣି ବର୍ଷା ଟେନ୍ସନ୍

ଭୁବନେଶ୍ୱର(ଓଟି): ଶୀତ ସରି ସରି ଆସିବାବେଳକୁ ଝିପିରି ଝିପିରି ବର୍ଷା ଲାଗି ରହିଲା। ଫଳରେ ୩-୪ ଦିନ ଧରି ଲୋକେ କଲବଲ ହେଲେ। ଏଇ ନିକଟରେ ଏଭଳି ପରିବେଶ ତଥା ପାଣିପାଗକୁ ନେଇ ସାଧାରଣ ଜୀବନଯାପନ ପ୍ରଭାବିତ ହୋଇଥିଲା। ତେବେ ପୁଣି ବର୍ଷା ଟେନ୍‌ସନ୍‌ ଦେବାର ଆଶଙ୍କା କରାଯାଉଛି। କିଛିଦିନର ଘନକୁହୁଡ଼ି ପରେ ଗତ ସପ୍ତାହରୁ ଧୀରେଧୀରେ ଏହା କମିଥିଲା। ସେହିପରି ତାପମାତ୍ରା ବଢ଼ିଥିବାବେଳେ ଶୀତର ସେଭଳି ଅନୁଭବ ଆଉନଥିଲା। କେବଳ ରାତିରେ କାକର ପଡ଼ିବା ସହ କେତେକ ସ୍ଥାନରେ ହାଲୁକା ଥଣ୍ଡା ଅନୁଭୂତ ହୋଇଥିବା ଜଣାପଡ଼ିଥିଲା। ତେବେ ଶନିବାର ରାତିରେ ଥଣ୍ଡା ସାମାନ୍ୟ ବଢ଼ିଥିଲା। ମୃଦୁ ପବନ ଥରାଇବାକୁ ଯଥେଷ୍ଟ ହୋଇଥିଲା। ଏଭଳି ସ୍ଥିତିରେ ରାଜ୍ୟର ୫ଟି ଜିଲ୍ଲାରେ ରବିବାର ବର୍ଷା ସମ୍ଭାବନା ରହିଥିବା କୁହାଯାଇଛି। ସମ୍ୱଲପୁର, ବରଗଡ଼, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ସୋମବାର ସାରା ରାଜ୍ୟରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଅନ୍ୟତମ ଅଧିକାରୀ ଗୌରାଙ୍ଗ ଚରଣ ବେହେରା କହିଛନ୍ତି। ସେ ଦେଇଥିବା ସୂଚନା ଅନୁସାରେ ସୋମବାର ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ହୋଇପାରେ। କଟକ, ଯାଜପୁର, ଭଦ୍ରକ ଓ ଖୋର୍ଦ୍ଧା ଜିଲ୍ଲାରେ ଘଡ଼ଘଡ଼ି ପାଇଁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ମଙ୍ଗଳବାର ମଧ୍ୟ ଏଭଳି ପାଗ ଲାଗି ରହିବାର ଆଶଙ୍କା ଥିବାବେଳେ ବୁଧବାରରେ ସାମାନ୍ୟ ପରିବର୍ତ୍ତନ ଘଟି ଗୁରୁବାର ପରଠୁ ପାଣିପାଗ ପୂରା ବଦଳିପାରେ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *