ପୁଣି ସ୍ଵପ୍ନ: ଭୁବନେଶ୍ଵର ରେଳଷ୍ଟେସନ୍‌ ପାଇଁ ଚୁକ୍ତି ସ୍ଵାକ୍ଷର

ଭୁବନେଶ୍ଵର, ଓଟି): ଭୁବନେଶ୍ଵର ରେଳଷ୍ଟେସନ୍‌ ବିକାଶ ପାଇଁ ପୁଣି ସ୍ଵପ୍ନ ଦେଖାଯାଇଛି ରାଜ୍ୟବାସୀଙ୍କୁ । ଏଥର ରାଜ୍ୟ ସରକାରଙ୍କ ଦ୍ଵାରା ନୁହେଁ ବରଂ କେନ୍ଦ୍ର ସରକାରଙ୍କ ଅଧୀନରେ ଆୟୋଜିତ ଏକ ଚୁକ୍ତି ସ୍ଵାକ୍ଷର ବୈଠକରେ ଏହି ସ୍ଵପ୍ନ ଦେଖାଯାଇଛି। ଏହାକୁ ରାଜ୍ୟ ସରକାର ପୂଣ୍ଣ ସହଯୋଗ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏକ ବିଜ୍ଞପ୍ତି ଯୋଗେ ଦର୍ଶାଯାଇଛି। ଏହିକ୍ରମରେ ପୁରୁଣା ସ୍ଵପ୍ନ ଅର୍ଥାତ୍‌ ଭୁବନେଶ୍ଵର ରେଳଷ୍ଟେସନ୍‌କୁ ବିଶ୍ଵସ୍ତରୀୟ ଷ୍ଟେସନ୍‌ ତଥା ମଲ୍ଟିମୋଡାଲ୍‌ ହବ୍‌ ଭାବେ ଗଢ଼ି ତୋଳିବାକୁ ପ୍ରତିଶୃତି ଦେଇଛନ୍ତି ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ ଓ ପୂର୍ବତଟ ରେଳବାଇ।

କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ଵାକ୍ଷର ହୋଇଛି। ଏଥିରେ କୁହାଯାଇଛି, ‘କେନ୍ଦ୍ର ସରକାରଙ୍କ ସ୍ମାର୍ଟ ସିଟି ମିଶନ ଅନ୍ତର୍ଭୁକ୍ତ ରେଳଷ୍ଟେସନ ମଲ୍ଟିମୋଡ଼ାଲ ହବ ନିର୍ମାଣ ଭାବରେ ଭୁବନେଶ୍ୱର ରେଳଷ୍ଟେସନ ସଂଲଗ୍ନ ଅଞ୍ଚଳକୁ ବିକଶିତ କରାଯିବ। ଏହି ପ୍ରକଳ୍ପକୁ ଓଡିଶା ସରକାରଙ୍କ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଦ୍ୱାରା ନିର୍ମାଣ କରାଯିବ। ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଜମିରେ ଏହି ମଲ୍ଟିମୋଡ଼ାଲ ହବର ଭୁବନେଶ୍ୱର ରେଳ ଷ୍ଟେସନ ର ନୂତନ ଟର୍ମିନାଲ ବିଲଡିଙ୍ଗ, ସିଟି ବସ ଟର୍ମିନାଲ, ପବ୍ଲିକ କାର ପାର୍କିଙ୍ଗ ଏବଂ ଅନ୍ୟାନ ସାଧାରଣ ଲୋକଙ୍କ ଉପଯୋଗୀ ମିଶ୍ରିତ ସଂସ୍ଥା ସହିତ ସବୁ ପ୍ଳାଟଫର୍ମ ଉପରଦେଇ ଭୁବନେଶ୍ୱର ଷ୍ଟେସନ ର ଉଭୟ ପାର୍ଶ୍ୱକୁ ସଂଲଗ୍ନ କରୁଥିବା ଏକ କନକୋର୍ସ ନିର୍ମାଣ କରାଯିବ।’

 

କିଏ ସ୍ଵାକ୍ଷର କରିଛନ୍ତି ଚୁକ୍ତି

ଭୁରେଳବାଇ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶଶୀକାନ୍ତ ସିଂହ ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଉପାଧ୍ୟକ୍ଷ ଏହି ବୁଝାମଣା ପତ୍ରରେ ସ୍ଵାକ୍ଷର କରିଛନ୍ତି। ନୂଆଦିଲ୍ଲୀ ଉଦ୍ୟୋଗ ଭବନଠାରେ କେନ୍ଦ୍ର ରେଳ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲ, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ରେଳବାଇ ବୋର୍ଡ ଇଂଜିନିୟରିଂ ସଦସ୍ୟ ବିଶ୍ୱେଷ ଚୌବେ ଓ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କ ସହିତ ଉଚ୍ଚ ଅଧିକାରୀ ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନଠାରେ ଉପସ୍ଥିତ ଥିଲେ। 


ପ୍ରମୁଖ ଫିଚର

ଉଭୟ ରେଳବାଇ ଓ ରାଜ୍ୟସରକାରଙ୍କ ଜମିରେ ନୂତନ ଷ୍ଟେସନ ବିଲଡିଙ୍ଗ ଏବଂ ଦୁଇଟି ଲାଇନ ସହିତ ପ୍ଳାଟଫର୍ମ ନିର୍ମାଣ ଯୌଥ ଭାବେ କରାଯିବ। ପ୍ରସ୍ତାବିତ ବିଲଡିଙ୍ଗ ରେ ତଳ ମହଲା ସହିତ ୫ ମହଲା ନିର୍ମାଣ କରାଯିବ ଯାହାକି ରେଳବାଇ ଦ୍ୱାରା ତଳ ମହଲା ସହିତ ୨ଟି ମହଲା ବ୍ୟବହାର କରାଯିବ। ରେଳବାଇ ପାଇଁ ୧.୭୪ ଲକ୍ଷ ବର୍ଗ ଫୁଟ ବ୍ୟବହାର କରାଯିବ।

ଏହି ପ୍ରକଳ୍ପ ପାଇଁ ରେଳବାଇ ପ୍ରାୟ ୭୦କୋଟି ଟଙ୍କା ବ୍ୟୟ ବରାଦ କରିଛି ଯେଉଁଥିରେ ଦୁଇଟି ଅତିରିକ୍ତ ରେଳ ଲାଇନ ଓ ପୂର୍ଣ୍ଣ କଭରସେଡ ଥାଇ ଗୋଟିଏ ପ୍ଳାଟଫର୍ମ, ଫୁଟ ଓଭର ବ୍ରିଜ ର ସମ୍ପ୍ରସାରଣ ଏବଂ ସମସ୍ତ ଯାତ୍ରୀ ସୁବିଧା ଉପଲବ୍ଧ କରାଯିବ। ସେହିଭଳି, ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୬୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଅଛି ଯେଉଁଥିରେ ତଳ ମହଲା ସହିତ ଦୁଇ ମହଲା ନୂତନ ଷ୍ଟେସନ ବିଲଡିଙ୍ଗ ନିର୍ମାଣ କରାଯିବ।

ପୂର୍ବରୁ ବି କୁହାଯାଇଥିଲା 

ଭୁବନେଶ୍ଵର ରେଳ ଷ୍ଟେସନ୍‍କୁ ବିଶ୍ୱସ୍ତରୀୟ ରେଳଷ୍ଟେସନ୍‍ରେ ପରିଣତ କରିବାର ସ୍ୱପ୍ନ  ୨୦୧୬ ମସିହାରେ ରାଜ୍ୟ ସରକାର ଲୋକଙ୍କୁ ଦେଖାଇଥିଲେ। ଏହିକ୍ରମରେ ଏକ ବଢ଼ିଆ ଗ୍ରାଫିକ୍‌ ଚିତ୍ର ଉନ୍ମୋଚନ କରାଯାଇଥିଲା। ସିଙ୍ଗାପୁରର ଏକ ସଂସ୍ଥା ଏହି ଗ୍ରାଫିକ୍ସ ଆଙ୍କିଥିଲେ। ଏଥିରେ ଲକ୍ଷ୍ୟ ଥିଲା ଆମେରିକାର ଟାଇମ୍ସ ସ୍କୋୟାର୍‍ ଢାଞ୍ଚାରେ ଭୁବନେଶ୍ୱର ସିଟି ସେଣ୍ଟର ନିର୍ମାଣହେବ । ଏହାଦ୍ୱାରା ଭାରତର ପ୍ରଥମ ପରିବହନ ଭିତ୍ତିକ ବିକାଶ ପ୍ରକଳ୍ପ ଭୁବନେଶ୍ୱରରେ ହୋଇପାରିବ । ୧୨ ଏକର ଜମିରେ ଏହି ପ୍ରକଳ୍ପ ନିର୍ମାଣ ଲାଗି ସିଙ୍ଗାପୁରର ସୁବର୍ଣ୍ଣ ଜୁରଙ୍ଗ ନାମକ ଏକ ସଂସ୍ଥାଠାରୁ ସରକାର ଯୋଜନା ପ୍ରସ୍ତୁତ କରାଇ ସାଢ଼େ ଆଠ କୋଟି ଟଙ୍କା ଖର୍ଚ୍ଚ କରିଥିବା ବିଷୟ ଉଲ୍ଲେଖ ରହିଛି । ସମସ୍ତ ପ୍ରାରମ୍ଭିକ କାର୍ଯ୍ୟ ଶେଷ ହୋଇ ୩୦ ସେପ୍ଟେମ୍ବର ୨୦୧୮ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ଥିଲା ହେଲେ ଏଯାଏ ତାହା ଅବସ୍ତାବ ହୋଇ ରହିଛି । କିନ୍ତୁ ଏହି ପ୍ରସ୍ତାବିତ ସ୍ଥାନରୁ ଅଶୋକା ମାର୍କେଟକୁ ଉଛେଦ କରାଯାଇଛି । ସେଠାରେ ଯେଉଁମାନେ ଦୋକାନ କରିଥିଲେ ସେଥିରୁ ଅନେକ ଏହି ବିଶ୍ୱସ୍ତରୀୟ ବଜାରରେ ଦୋକାନ ଘର ଖଣ୍ଡେ ପାଇଁ ଚାତକ ପରି ଅନାଇ ରହିଛନ୍ତି ।

ମଡେଲ୍‌ ପରିବର୍ତ୍ତନ

ସେତେବେଳେ ଯେଉଁ ଗ୍ରାଫିକ୍ସ ଆମକୁ ଦେଖାଯାଇଥିଲା ବା ଯାହା ଏବେ  ବିଡିଏ ଆର୍କାଇଭ୍‌ରେ ରହିଛି ତାହାର ପରିବର୍ତ୍ତନ ଏଠାରେ କରାଯାଇଛି। ଦୁଇ ଗ୍ରାଫିକ୍କୁ ଦେଖିଲେ ଜଣାଯାଉଛଇ ଯେ, କିଛି ଗୁରୁତର ପରିବର୍ତ୍ତନ ଏହି ଡ୍ରଇଂରେ କରାଯାଇଛି, ଯାହା ସମ୍ପୃକ୍ତ ଡିଜାଇନିଂ ସଂସ୍ଥା ଦେଇଥିଲା କିନ୍ତୁ ରେଳବାଇ ଗ୍ରହଣ କରିପାରି ନାହିଁ। ଏହି ମଡେଲ୍‌ ପରିବର୍ତ୍ତନ ସହ ଏବେକାର ପ୍ରକ୍ରିୟାରେ କୌଣସି ଘରୋଇ କମ୍ପାନୀ ନୁହେଁ ରେଳବାଇ ସହ ବିଡିଏ ଚୁକ୍ତି କରିଛି। 

 

http://odishatime.com/after-bhubaneswar-smartcity-infra-puri-heritage-city-may-be-a-fake-dream-again/

Leave a Reply

Your email address will not be published. Required fields are marked *