ରାହୁଲ୍ ଇସ୍ତଫା ନଫେରାଇବା ଆଶଙ୍କା: କଂଗ୍ରେସରେ ସଙ୍କଟ
ଭୁବନେଶ୍ୱର, (ଓଟି): ଦେଶର ସର୍ବ ପୂରାତନ ରାଜନୀତିକ ଦଳ କଂଗ୍ରେସ ପାର୍ଟି ସୋନିଆ ଗାନ୍ଧିଙ୍କ ପରିବାର ହାତରୁ ବାହାରିବ କି? ଏଭଳି ଏକ ଆଲୋଚନା ଉଭୟ କଂଗ୍ରେସ ଓ ଅଣ କଂଗ୍ରେସ ମହଲରେ ଜାରି ରହିଥିଲେ ମଧ୍ୟ ସେ ନେଇ କିଛି ସ୍ପଷ୍ଟ ମନ୍ତବ୍ୟ ମିଳିପାରୁ ନାହିଁ । ହେଲେ ରାହୁଏ ଗାନ୍ଧି ଯେ ଆଉ ସଭାପତି ରହିବେ ନାହିଁ ତାହା ଧୀରେ ଧୀରେ ସ୍ପଷ୍ଟ ହୋଇ ସାରିଲାଣି । ବରିଷ୍ଠ ନେତା ବୀରପ୍ପା ମୋଇଲି ଏନେଇ ସ୍ପଷ୍ଟ କରି କହିଛନ୍ତି ଯେ, ରାହୁଲଙ୍କ ସଭାପତି ପଦବୀରେ ରହିବା ସମ୍ଭାବା ୧ ପ୍ରତିଶତ ବି ନାହିଁ ।
ଏଭଳି ଏକ ପରିସ୍ଥିତିରେ ରାହୁଲଙ୍କ ଅନୁଗାମୀମାନେ ଅସୁରକ୍ଷିତ ମଣିଛନ୍ତି । ତାଙ୍କରି ରାସ୍ତାରେ ବାହାରି ସେମାନେ ଦଳର ପଦପଦବୀ ତ୍ୟାଗ କରିବାରେ ଲାଗିଛନ୍ତି । କେବଳ ରାହୁଲ କାହିଁକି ପଦ ତ୍ୟାଗ କରିବେ ବରଂ ଲୋକସଭାରେ ପରାଜୟର ଦାୟିତ୍ୱ ସେମାନେ ବି ନେବା ଆବଶ୍ୟକ ବୋଲି କହିଛନ୍ତି । ଏ ଭିତରେ ଏଆଇସିସି, ପିସିସି, ଯୁବ କଂଗ୍ରେସ, ସେବାଦଳ, ମହିଳା କଂଗ୍ରେସ ପ୍ରଭୃତି ବିଭିନ୍ନ ଅଙ୍ଗର ପାଖାପାଖି ୧୪୦ ଜଣ କର୍ମକର୍ତ୍ତା ପଦବୀରୁ ଇସ୍ତଫା ଦେଲେଣି । ଏଭଳି ପରିସ୍ଥିତି ରାହୁଲଙ୍କ ଉପରେ ଚାପ ପକାଇବ ବୋଲି ଆଶା କରାଯାଉଥିଲେ ମଧ୍ୟ ରାହୁଲ ନିଜ କଥାରେ ଅଟଳ ରହିଛନ୍ତି । ସେ କହିଛନ୍ତି, ତାଙ୍କର ଇସ୍ତଫା ଫେରାଇ ନେବାର କୌଣସି ଅବକାଶ ନାହିଁ । ଏହି ଇସ୍ତଫା ପରାଜୟକୁ ସ୍ୱୀକାର କରିବାର ଏକ ଧାରା । “ମୁଁ ଅନ୍ୟମାନଙ୍କୁ କହିପାରିବି ନାହିଁ ସେମାନେ ଇସ୍ତଫା ଦେବେ କି ନା, କିନ୍ତୁ ଏହା ସେମାନଙ୍କ ଦାୟିତ୍ୱ’ । ହରିୟାଣାରେ କର୍ମକର୍ତ୍ତାଙ୍କୁ ସମ୍ବୋଧନ କଲାବେଳେ ରାହୁଲଙ୍କ ଏପରି ବୟାନ ସାରା ଦେଶରେ କର୍ମକର୍ତ୍ତାଙ୍କୁ ନିଜ ପଦବୀରୁ ଇସ୍ତଫା ଦେବାକୁ ଏକ ସୁଯୋଗ ସୃଷ୍ଟି କରିଛି ।
ଏପରି ଏକ ମୁହୂର୍ତ୍ତ କଂଗ୍ରେସରେ ସଙ୍କଟ ସୃଷ୍ଟି କରିଛି । ଦିନକୁ ଦିନ ଲୋକପ୍ରିୟତା ହରାଉଥିବା କଂଗ୍ରେସ ଏବେ କିପରି ରଣନୀତି ପ୍ରୟୋଗ କରିବ ତାହାକୁ ଅପେକ୍ଷା କରାଯାଇଛି । ଗାନ୍ଧି ପରିବାର ସମ୍ପୂଣ୍ଣ ଭାବେ କଂଗ୍ରେସ ପରିଚାଳନାରୁ ଓହରିବେ ନା ପୁଣିଥରେ ସୋନିଆ ଦାୟିତ୍ୱ ନେବେ ତାହା ଏବେ ଏକ ପ୍ରଶ୍ନ ଘେରରେ ରହିଛି ।