କେବେ ଆସିବେ ରାହୁଲ ଓ ପ୍ରିୟଙ୍କା?

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇଟେକ ବସରେ ବସି ଦଳ ପାଇଁ କଷ୍ଟେମଷ୍ଟେ ପ୍ରଚାର ଚଳାଇଛନ୍ତି। ମୁହଁ ପୋତି ଲେଖା ଭାଷଣ ପଢନ୍ତୁ ପଛେ, କିନ୍ତୁ ପ୍ରୟାସରେ କୌଣସି କମି ଦେଖାଯାଉନାହିଁ। ତା’ଛଡ଼ା ବିଜୁ ଜନତା ଦଳର ମଜଭୁତ ସଂଗଠନ ଅଛି। ଯଦିଓ ଏଥର କନ୍ଦଳର ମାତ୍ରା ଅଧିକ, ତେବେ ଟଙ୍କା ପଇସାର ଅଭାବ କିଛି ନାହିଁ। ପୁଣି ସରକାରୀ ଭତ୍ତା ପାଉଥିବା ବିଜୁ ଯୁବ ବାହିନୀ ବି ଅଛି। ଯଦିଓ ଦଳର ଆଉ କେହି ସେମିତି ଟାଣିଲାବାଲା ପ୍ରଚାରକ ନାହାନ୍ତି, ତଥାପି ନବୀନ ନିଜ ପାଇଁ ଏବେ ଭୋଟ ମାଗୁଛନ୍ତି।

ଶାସକ ବିଜେଡିକୁ ଟକ୍କର ଦେବା ପାଇଁ ବିଜେପିର କେନ୍ଦ୍ର ନେତାମାନେ ତୁହାକୁ ତୁହା ଆକ୍ରମଣ ଚଳାଇଛନ୍ତି। କେଉଁ ଦିନ ଶାହା, ତ ଆଉ କେଉଁ ଦିନ ମୋଦୀ। ମୋଦୀ ୧୬ ତାରିଖରେ ପୁଣି ଆସୁଛନ୍ତି। ଏହା ଛଡ଼ା ଅନ୍ୟ ନେତା ବି ଅଛନ୍ତି। ବିଜେପିର ଆକ୍ରମଣ ବିଜେଡିକୁ ପ୍ରଥମ ଥର ପାଇଁ ଡରେଇ ସାରିଲାଣି। ପ୍ରଥମ ଥର ଲାଗି ନବୀନ ଭାରି ଅସ୍ତବେସ୍ତ ଜଣାପଡ଼ୁଛନ୍ତି।

କିନ୍ତୁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସ ନେତାମାନେ ଅନେଇ ଅନେଇ ଆଖିରୁ ପାଣି ମଲାଣି। ଆଗରୁ କହୁଥିଲେ ରାହୁଲ ଗାନ୍ଧୀଙ୍କ ସହିତ ପ୍ରିୟଙ୍କା ବି ଆସିବେ। ଭାଇ ଭଉଣୀ ଦି’ ଜଣ ପ୍ରଚାର କଲେ ଦଳ ଲାଭ ପାଇବ। ପ୍ରିୟଙ୍କା ସବୁ ଯୁବକଙ୍କ ଭୋଟ କଂଗ୍ରେସ ଖାତାରେ ପକେଇ ଦେଇପାରିବେ। ଏବେ ଦଳର ଅବସ୍ଥା ଯାହା, ଭାଇ ଭଉଣୀ ଓଡ଼ିଶା ଆସି କାହିଁକି ସମୟ ବରବାଦ କରିବେ ବୋଲି ଆଲୋଚନା ହେଉଛି। ତଥାପି ଖାତାରେ ନା’ ଚଢେଇବାକୁ କେହି ତ ଜଣେ ଆସିବେ? କିନ୍ତୁ କେବେ?

Leave a Reply

Your email address will not be published.