କ’ଣ କହିଲେ ରାହୁଲ୍, ସରକାରକୁ ଆସିଲେ ଓଡ଼ିଶାରେ କ’ଣ କରିବ କଂଗ୍ରେସ, ଜାଣି ରଖନ୍ତୁ
ଭୁବନେଶ୍ଵର, (ଓଟି): କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧିଙ୍କ ପ୍ରଥମ ପ୍ରାକ୍ ନିର୍ବାଚନୀ ସଭାରେ ଉଭୟ ବିଜେପି ଓ ବିଜେଡିକୁ ସମାଲୋଚନା କରିଛି କଂଗ୍ରେସ। ଉଭୟ ଦିଲ୍ଲୀ ଏବଂ ଓଡ଼ିଶାରେ କଂଗ୍ରେସ ସରକାର ଗଠନ କରିବ ବୋଲି ଦୃଢ଼ ମତ ପୋଷଣ କରିଛନ୍ତି ଅଧ୍ୟକ୍ଷ ରାହୁଲ୍। କହିଛନ୍ତି ସବୁ କଂଗ୍ରେସ ନେତା ଏବେ ଏକାଠି ଅଛନ୍ତି, ଆଉ ସମସ୍ତେ ମିଳି ମିଶି ଓଡ଼ିଶାରେ ଏକ ଜନତା ଦ୍ଵାରା ପରିଚାଳିତ ହେଉଥିବା ସରକାରକୁ ଫେରାଇ ଆଣିବେ।
ତମାଣ୍ଡୋ ଷ୍ଟାଡିୟମ୍ରେ ଆୟୋଜିତ ଏକ ସାଧାରଣ ସଭାରେ ରାହୁଲ୍ ଗାନ୍ଧି ଓଡ଼ିଶାର ଜନସାଧାରଣଙ୍କୁ ‘ଚୌକିଦାର, ଚୋର୍ ହୈ’ ଉପାଖ୍ୟାନ ଶୁଣାଇବା ସହ ଓଡ଼ିଶା ଶାସନର ରିମୋଟ୍ ଦିଲ୍ଲୀ ଓ ନାଗପୁରରେ ରହିଛି ବୋଲି କହିଛନ୍ତି।

କୃଷକ ବୋଝ
ରାହୁଲ୍ଙ୍କ ଭାଷଣର ପ୍ରମୁଖ ଉପାଦାନ ହେଉଛି କୃଷି ଓ କୃଷକ। ଦେଶରେ କଂଗ୍ରେସ ସବୁଜ ବିପ୍ଲବ ଆରମ୍ଭ କରିଥିଲା। କଂଗ୍ରେସ ସରକାର ହେତୁ ପଞ୍ଜାବ ଓ ହରିୟାଣା ଦେଶର ଭାତ ହାଣ୍ଡି ହୋଇପାରିଛନ୍ତି ବୋଲି ରାହୁଲ୍ କହିଛନ୍ତି। ସେହି ଦିନ ଓଡ଼ିଶାରେ ବି ଆସିବାକୁ ଯାଉଛି।
ଶ୍ରୀ ଗାନ୍ଧି କହିଛନ୍ତି, ‘ଓଡ଼ିଶାରେ କୃଷକଙ୍କୁ ବୋଝ ବୋଲି ବିଚାର କରାଯାଉଛି। କିନ୍ତୁ ଆମେ ଯାହା ବୁଝିଛୁ ତାହା ହେଲା, କୃଷକ ଓ କୃଷି ବିନା ଏ ଦେଶ ଆଗକୁ ଯାଇପାରିବ ନାହିଁ। ଏଣୁ ପ୍ରଥମ କାମ ହେଉଛି ଆମ କୃଷକଙ୍କୁ ରକ୍ଷା କରିବା। ଯାହା ଆମେ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କରିଛୁ ତାହା ଆମେ କରିବୁ’। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଏହି ଅଭିଯାନ ଆରମ୍ଭ ହୋଇଗଲାଣି।
କୃଷକ ଋଣ ଛାଡ଼
କଂଗ୍ରେସ ସରକାର ଓଡ଼ିଶାରେ କୃଷିଋଣ ଛାଡ଼ କରିବେ। କୃଷକ ଉପରେ ଦେଶ ଆର୍ଥିକ ମେରୁଦଣ୍ଡ ନିର୍ଭର କରୁଛି। ଯେଉଁ ଦେଶରେ ଉଦ୍ୟୋଗପତିଙ୍କ ଉପରୁ କୃଷିଋଣ ଛାଡ଼ ହୋଇପାରୁଛି ସେଠାରେ କୃଷକଙ୍କ ଉପରୁ ଋଣ ଛାଡ଼ କରିବାରେ ଆପତ୍ତି କେଉଁଠି ବୋଲି ସେ କହିଛନ୍ତି।
ପ୍ରତି ଜିଲ୍ଲାରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ
ଆମେ ପ୍ରତି ଜିଲ୍ଲାରେ ଖାଦ୍ୟ ପ୍ରକ୍ରିୟାକରଣ କାରଖାନା କରିବୁ। ଯେଉଁଠି ଆଳୁ ଚାଷ କରୁଛନ୍ତି ତାହାକୁ ପ୍ରକ୍ରିୟା କରଣ କରିବାର ସୁବିଧା ଅନତିଦୂରରେ ଉପଲବ୍ଧ ହେବ। ଖାଲି ଆଳୁ ନୁହେଁ ଆପଣ ଯେଉଁ ଚାଷ କରୁଛନ୍ତି ତାହାର ପ୍ରକ୍ରିୟାକରଣ ବ୍ୟବସ୍ଥା ପାଇଁ ଖାଦ୍ୟ ପ୍ରକ୍ରିୟାକରଣ କାରଖାନା ସ୍ଥାପନ ହେବ। ଖାଲି ସେତିକି ନୁହେଁ, କଂଗ୍ରେସ ସରକାରକୁ ଆସିଲେ ଶୀତଳ ଭଣ୍ଡାରରର ଚେନ୍ ପ୍ରତିଷ୍ଠା ହେବ। ଭୁବନେଶ୍ଵର ଭଳି ସହର ସହ ଏହି ଶୀତଳଭଣ୍ଡାର ଚେନ୍ ଯୋଡ଼ାଯିବ। ଫଳରେ ରପ୍ତାନୀ ସମ୍ଭବ ହୋଇପାରିବ। ଓଡ଼ିଶାର ଉତ୍ପାଦ ଖାଲି ଓଡ଼ିଶାରେ ନୁହେଁ ଦେଶ ବିଦେଶର ବିଭିନ୍ନ କୋଣରେ ମିଳିପାରିବ।

ଉଦ୍ୟୋଗର ଜାଲ
ଏଠି ସରକାର ଗୋଟିଏ ପରେ ଗୋଟିଏ ଉଦ୍ୟୋଗ ବନ୍ଦ କରୁଛନ୍ତି, ଆମେ ଆରମ୍ଭ କରିବୁ। ବନ୍ଦ ପଡ଼ିଥିବା ଉଦ୍ୟୋଗ ପୁଣି ଆରମ୍ଭ ହେବ। ଓଡ଼ିଶାର ଯୁବାବର୍ଗ ନିଯୁକ୍ତି ପାଇବେ। ଏ ରାଜ୍ୟର ପୂରା ଫାଇଦା ୧୫/୨୦ ଉଦ୍ୟୋଗପତିଙ୍କୁ ଯାଇଥାଏ ବୋଲି ରାହୁଲ୍ ଆଜି ସାଧାରଣ ସଭାରେ କହିଛନ୍ତି। ଆମର ସରକାର ଆସିଲେ ଉଦ୍ୟୋଗଙ୍କ ଜାଲ ବିଛାଇବୁ। ଓଡ଼ିଶାର ଲୋକଙ୍କୁ ନିଯୁକ୍ତି ଦେବୁ ବୋଲି ସେ କହିଛନ୍ତି।
ନିଯୁକ୍ତି
କୃଷି ଓ କୃଷକଙ୍କ ଭଳି ଆଉ ଏକ ଗୁରୁତ୍ଵପୂଣ୍ଣ ସମସ୍ୟା ହେଉଛି ବେରୋଜଗାରୀ। ମୋଦିଜୀ କହିଥିଲେ ପ୍ରତିବର୍ଷ ୨ କୋଟି ଲୋକକଙ୍କୁ ନିଯୁକ୍ତି ଦିଆଯିବ। ଆପଣଙ୍କ ମୁଖ୍ୟମନ୍ତ୍ରୀ କହିଥିଲେ , ୨୦୨୦ ସୁଦ୍ଧା ୩୦ ଲକ୍ଷ ଯୁବକଙ୍କୁ ନିଯୁକ୍ତିମିଳିବ। ଏଠି କିଏ କହିବ କି ଯାହାକୁ ନବୀନ ପଟ୍ଟନାୟକ ବା ନରେନ୍ଦ୍ର ମୋଦି ନିଯୁକ୍ତି ଦେଇଛନ୍ତି?ନା କେହି ନୁହନ୍ତି। କିନ୍ତୁ ଓଡ଼ିଶାର ୬୦ଲକ୍ଷ ଯୁବକ କାମ ଖୋଜିବାକୁ ଓଡ଼ିଶା ବାହାରକୁ ଯାଇଥାଆନ୍ତି।
୧ଲକ୍ଷ ୩୧ ହଜାର ସରକାରୀ ଚାକିରି ଖାଲି ପଡ଼ିଛି। ୩୦ ହଜାର ଶିକ୍ଷକ, ୧୨୦୦ ଅଧ୍ୟାପକ ବିଶ୍ଵବିଦ୍ୟାଳୟରେ ୩ ହଜାର କଲେଜରେ ଖାଲିପଡ଼ିଛି। କଂଗ୍ରେସ ପାର୍ଟି ଏସବୁ ପୂରଣ କରିବା କାମ କରିବ।

ଭ୍ରଷ୍ଟାଚାର
ସେଠି ତ ଚୌକିଦାର ଚୋର । କିନ୍ତୁ ଓଡ଼ିଶାରେ ବି ଚୋର ରହିଛନ୍ତି। ରାଜ୍ୟରେ ଚିଟ୍ଫଣ୍ଡ ସ୍କାମକୁ ଉଲ୍ଲେଖ କରି ରାହୁଲ୍ ଏହା କହିଛନ୍ତି। ସେ କହିଛନ୍ତି ’ଏଠି ଆପଣଙ୍କ ମୁଖ୍ୟମନ୍ତ୍ରୀ ଚିଟ୍ଫଣ୍ଡ ସ୍କାମ୍ କରିଛନ୍ତି। ଓଡ଼ିଶାର ରିମୋଟ୍ କଣ୍ଟେ୍ରାଲ୍ ଜେଚୗକିଦାର ହାତରେ। ସେ ବଟନ୍ ଟିପିଲେ ଏଠି ନବୀନ ପଟ୍ଟନାୟକ ଉଠୁଛନ୍ତି। ଆଉ ବସୁଛନ୍ତି।
ଆପଣଙ୍କ ପ୍ରଦେଶକୁ ନାଗପୁର ଓ ଦିଲ୍ଲୀରୁ ଚଳାଯାଉଛି। ନବୀନ ପଟ୍ଟନାୟକଙ୍କୁ ଭ୍ରାଷ୍ଟାଚାର କାରଣରୁ ନରେନ୍ଦ ମୋଦି ଦବାଇ ରଖିଛନ୍ତି। ଯାହାଫଲରେ ଆପଣଙ୍କ ରାଜ୍ୟକୁ ଯାହା ମିଳିବା କଥା ତାହା ନା ମିଳୁଛି ନା ସେଥିପାଇଁ ଓଡ଼ିଶା ସରକାର ଦାବି କରୁଛନ୍ତି।
ରାଫେଲ୍
ଆମେ କହିଥିଲୁ ରାଫେଲ୍ ଉଡ଼ା ଜାହାଜ ବାଙ୍ଗାଲୋର, ଓଡ଼ିଶାରେ ତିଆରି ହେବ। ଏହାଦ୍ଵାରା ଲକ୍ଷ ଲକ୍ଷ ଯୁବକଙ୍କୁ ନିଯୁକ୍ତି ମିଳିପାରି ଥାଆନ୍ତା। ସେତେବେଳେ ଗୋଟିଏ ଜାହାଜର ଦାମ୍ ୫୨୬ କୋଟି ଟଙ୍କା ଥିଲା। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ତାଙ୍କ ମିତ୍ର ଅନୀଲ୍ ଅମ୍ବାନୀକୁ ନେଲେ। ଆଉ ସେଠାରେ ଗୋଟିଏ ଯାହାଜର ମୂଲ୍ୟ ୧୬୦୦ କୋଟି ଟଙ୍କାରେ ପହଞ୍ଚାଇଲେ। ବାଙ୍ଗାଲୋର ଓ ଓଡ଼ିଶାରେ ଯାହାଜ ନିର୍ମାଣ ହେବ ନାହିଁ ବୋଲି କୁହାଗଲା। ଏହା କେବଳ ତାଙ୍କ ଉଦ୍ୟୋଗପତି ବନ୍ଧୁଙ୍କୁ ସହାୟତା ଦେବା ଲାଗି ଉଦ୍ଦିଷ୍ଟ ।
ନୂଆ ନାରା ଚୌକିଦାର ଚୋର୍ ହୈ
୫ବର୍ଷ ପୂର୍ବରୁ ଲୋକଙ୍କୁ ଅଚ୍ଛେଦିନ୍ କହିଲେ କହୁଥିଲେ ଆୟେଙ୍ଗେ। ଏବେ ତାହା ବଦଳି ଯାଇଛି। ଏବେ ଚୌକିଦାର କହିଲେ ଲୋକ କହୁଛନ୍ତି ଚୋର୍ ହୈ।
ଅଫିସରଙ୍କ ସରକାର
ଏଠି ଅଫିସରଙ୍କ ସରକାର ଚାଲିଛି। ନବୀନ ପଟ୍ଟନାୟକଙ୍କ ଭ୍ରଷ୍ଟାଚାର ଯୋଗୁ ଯାହା ଶିକ୍ଷା, ସ୍ଵାସ୍ଥ୍ୟ ବାବଦ ଖର୍ଚ ହେବା କଥା ତାହା କିଛି ଉଦ୍ୟୋଗପତିଙ୍କ ନିକଟକୁ ଯାଇଛି। ଫଳରେ ସାଧାରଣ ଲୋକେ ରାଜ୍ୟ ଦ୍ଵାରା ଦିଆଯାଉଥିବା ସୁବିଧାରୁ ବଞ୍ଚିତ ହୋଇଛନ୍ତି। କଂଗ୍ରେସ ଆସିଲେ ତାହା ହେବ ନାହିଁ ବୋଲଇ କହିଛନ୍ତି ରାହୁଲ। ସେ କହିଛନ୍ତି ’ନରେନ୍ଦ୍ର ମୋଦି ଯୁଆଡ଼େ ଯାଉଛନ୍ତି ସେଠାରେ ମନ୍କୀ ବାତ୍ କରୁଛନ୍ତି। ଠିକ୍ ସେମିତି ଏଠାରେ ନବୀନ ପଟ୍ଟନାୟକ ସବୁ କାମ ଅଫିସରଙ୍କ ଦ୍ଵାରା କରନ୍ତି। କଂଗ୍ରେସ ସରକାର ଆସିଲେ ଆପଣଙ୍କ ଆୱାଜ୍ ଶୁଣିକରି ଆମେ ସରକାର ବନାଇବୁ।
ଆମର ସବୁ କାର୍ଯ୍ୟକର୍ତ୍ତା ଏକାଠି ହୋଇ ଓଡ଼ିଶାରେ ନବୀନ ପଟ୍ଟନାୟକ ଓ ଦିଲ୍ଲୀରେ ନରେନ୍ଦ୍ର ମୋଦିଙ୍କୁ ହରାଇବାକୁ ଯାଉଛନ୍ତି। ଓଡ଼ିଶାରେ କୃଷକଙ୍କ ସୁରକ୍ଷା, ଯୁବକଙ୍କୁ ନିଯୁକ୍ତି ପାଇଁ ଜନତାଙ୍କ ସରକାର କଂଗ୍ରେସ ଦ୍ଵାରା ହେବାକୁ ଯାଉଛଇ ବୋଲି ସେ କହିଛନ୍ତି।