ଭାଇରାଲ ହେଉଛି ‘ରହସ୍ୟମୟ ଆଙ୍ଗୁଠି’
ବିଭିନ୍ନ ଗଣମାଧ୍ୟମରେ ରାହୁଲ ଗାନ୍ଧୀଙ୍କ ଏକ ଫଟୋ ପ୍ରକାଶିତ ହେବା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏହା। ଫଟୋରେ ଜଣେ ଗରିବ ବୟସ୍କା ମହିଳାଙ୍କୁ ରାହୁଲ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। ଏହା କଂଗ୍ରେସ ଦଳ ପକ୍ଷରୁ ଦିଆଯାଇଥିବା ବିଜ୍ଞାପନରେ ନ୍ୟାୟ ଯୋଜନା ଅନ୍ତର୍ଗତ ପ୍ରଚାର କରାଯାଇଛି। ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଫଟୋରେ ଏକ ଆଙ୍ଗୁଳି ସୃଷ୍ଟି କରିଛି ବଡ଼ ପ୍ରଶ୍ନବାଚୀ। ଅନେକ ରାହୁଲଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ସମସ୍ତେ ପଚାରୁଛନ୍ତି, ଏହି ରହସ୍ୟମୟ ହାତର ସତ୍ୟତା କ’ଣ?
ଦିଲ୍ଲୀ ବିଜେପିର ଜଣେ ପ୍ରବକ୍ତା ତେଜିନ୍ଦର ପାଲ ସିଂହ ବଗଗା ରାହୁଲ ଗାନ୍ଧୀଙ୍କ ଏହି ଫଟୋରେ ଦେଖାଦେଇଥିବା ରହସ୍ୟମୟ ଆଙ୍ଗୁଳି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଟୁଇଟରରେ ଲେଖିଛନ୍ତି ଯେ, ‘ଏହି ତୃତୀୟ ହାତଟି କାହାର? ମୁଁ କାଲି କହିଥିଲି ଯେ, ରାହୁଲ ଗାନ୍ଧି, କଂଗ୍ରେସ ଭଲ ପିଆର ଏଜେନ୍ସିକୁ ହାୟର କରନ୍ତୁ।
ତେଜିନ୍ଦରଙ୍କ ଏହି ଟୁଇଟ ପରେ ରାହୁଲଙ୍କ ଫଟୋକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଅନେକ ଏହି ଫଟୋକୁ ଫେକ ବୋଲି କହିବାକୁ ବାଧ୍ୟ ହୋଇଛନ୍ତି। ତେବେ ପ୍ରକୃତ ସତ ହେଉଛି, ଏହି ଫଟୋର ଓରିଜିନାଲ ଫଟୋଟ କିଛିବର୍ଷ ତଳେ ଦଳର ଅଫିସିଆଲ ଟୁଇଟର ଆକାଉଣ୍ଟରୁ ସେୟାର କରାଯାଇଥିଲା। ସେହି ଫଟୋରୁ ସ୍ପଷ୍ଟ ହୋଇଯାଉଛି ଯେ, ଏହି ରହସ୍ୟମୟ ହାତଟି କାହାର।
୯ଡିସେମ୍ୱର ୨୦୧୫ରେ କଂଗ୍ରେସ ଦଳ ପକ୍ଷରୁ ଏହି ଫଟୋଟିକୁ ଟୁଇଟ କରାଯାଇଥିଲା। ଡିସେମ୍ୱର ୮ ତାରିଖରେ ରାହୁଲ ଗାନ୍ଧୀଙ୍କ ତାମିଲନାଡୁ ଏବଂ ପଣ୍ଡିଚେରୀ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ ସମୟରେ ଫଟୋଟି ଉଠାଯାଇଥିଲା। ଓରିଜିନାଲ ଫଟୋଟି ଦେଖିବା ପରେ ଏହା ସ୍ପଷ୍ଟ ହେଉଛି ଯେ, ଗରିବ ମହିଳାଙ୍କ ପିଠି ପାଖରେ ଦେଖାଦେଉଥିବା ହାତଟି ଜଣେ କଂଗ୍ରେସ ନେତାଙ୍କର। ଏହି ନେତା ଜଣଙ୍କ ରାହୁଲ ଗାନ୍ଧୀଙ୍କ ସହ ଠିଆ ହୋଇଥିଲେ।