ପୁଣି ଦଳ ସମ୍ଭାଳିବେ ରାହୁଲ!
ନୂଆଦିଲ୍ଲୀ(ଓଟି): ଦିଲ୍ଲୀ ନିର୍ବାଚନ ସରିଯାଇଛି। ଆକ୍ଷେପ-ପ୍ରତ୍ୟାକ୍ଷେପ ମଧ୍ୟରେ ବିଭିନ୍ନ ରାଜନୀତିକ ଦଳ ସମ୍ପ୍ରତି ଦିଲ୍ଲୀ ଫଳାଫଳକୁ ନେଇ ଆତ୍ମଚିନ୍ତନ ଆରମ୍ଭ କରିଦେଇଛନ୍ତି। ବିଶେଷକରି କ୍ରମାଗତ ଦ୍ଵିତୀୟଥର ଲାଗି ଦିଲ୍ଲୀର କୌଣସି ଆସନରେ ଖାତା ଖୋଲିପାରିନଥିବା କଂଗ୍ରେସ କର୍ମୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ। ଏପରିକି ଦିଲ୍ଲୀ ପାଇଁ ପ୍ରଭାରୀ ରହିଥିବା ପିସି ଚାକୋ ନିଜ ପଦ ଛାଡ଼ିଦେଇଛନ୍ତି। ସେ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷୀତ୍ଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିବାବେଳେ ଦଳର ଅନ୍ୟ ପ୍ରମୁଖ ନେତାମାନେ ଦିଲ୍ଲୀ ପରାଜୟ ପାଇଁ କାରଣ ଖୋଜିବା ସହ ସମୀକ୍ଷା ଚଳାଇଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ରାହୁଲ ଗାନ୍ଧିଙ୍କୁ ପୁଣି ଦଳର ମୁଖ୍ୟ କରାଯିବ ବୋଲି ସୂଚନା ମିଳୁଛି। ଏ ନେଇ ନିଷ୍ପତ୍ତି ଗ୍ରହଣ କରିବାକୁ ଏପ୍ରିଲ୍ରେ ‘ଅଲ୍ ଇଣ୍ଡିଆ କଂଗ୍ରେସ କମିଟି’ର ସ୍ଵତନ୍ତ୍ର ଅଧିବେଶନ ବସିପାରେ।
ସୂଚନା ଅନୁଯାୟୀ, ରାହୁଲଙ୍କୁ ପୁଣି କଂଗ୍ରେସର ମୁଖ୍ୟ ଭାର ଦିଆଯାଉ ବୋଲି ଦଳର ବରିଷ୍ଠ ସଦସ୍ୟମାନେ ଦାବି କରୁଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ବିପର୍ଯ୍ୟସ୍ତ ହେବା ପରେ ରାହୁଲ ଦଳର ଅଧ୍ୟକ୍ଷ ପଦରୁ ଓହରି ଯାଇଥିଲେ। ସେବେଠାରୁ ସୋନିଆ ଗାନ୍ଧି ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ତେବେ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ଦଳୀୟ କାର୍ଯ୍ୟକ୍ରମ ପ୍ରଭାବିତ ହେଉଛି। ତେଣୁ ଦଳକୁ ସକ୍ରିୟ କରିବାକୁ ଜଣେ ଅଧ୍ୟକ୍ଷଙ୍କ ଆବଶ୍ୟକ ରହିଥିବା ଦଳର ନେତୃବୃନ୍ଦ ବିଚାର କରୁଛନ୍ତି। ତେବେ ରାହୁଲ ପୁଣି ଦଳର ମଙ୍ଗ ଧରିବେ କି ନାହିଁ ତାହା ସମୟ ହିଁ କହିବ।











