କଂଗ୍ରେସ କ୍ଷମତାକୁ ଆସିଲେ ଓଡ଼ିଶାରେ ଜନତାଙ୍କ ସରକାର ପ୍ରତିଷ୍ଠା କରାଇବ : ରାହୁଲ
ଦିନକିଆ ଓଡ଼ିଶା ଗସ୍ତରେ ଆସି ଜୟପୁର ଏକମ୍ବାରେ ପ୍ରଥମେ ମହିଳା ସମାବେଶ ଓ ପରେ ଚାଷୀ ସମାବେଶକୁ ସମ୍ବୋଧିତ କରି ଶ୍ରୀ ଗାନ୍ଧି କହିଛନ୍ତି ଯେ, ଓଡ଼ିଶାରେ ଏବେ ୪-୫ଜଣ ଅଫିସରଙ୍କ ଦ୍ୱାରା ଶାସନ ଚାଲିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବନ୍ଧୁମାନେ କୋଟିପତି ପାଲଟୁଛନ୍ତି। ବଡ଼ବଡ଼ ବ୍ୟବସାୟ କରୁଛନ୍ତି ଓ ପ୍ଲେନରେ ବୁଲୁଛନ୍ତି। ଗରିବ, ଖଟିଖିଆ, ଆଦିବାସୀ, ଦୁର୍ବଳ ବର୍ଗ ଓ ମା’-ଭଉଣୀଙ୍କ ସରକାର ଚାଲିନି କିମ୍ବା ସେମାନଙ୍କ କଥା ଶୁଣାଯାଉନି। ମାତ୍ର କଂଗ୍ରେସ କ୍ଷମତାକୁ ଆସିଲେ ଓଡ଼ିଶାରେ ଜନତାଙ୍କ ସରକାର ପ୍ରତିଷ୍ଠା କରାଇବ ବୋଲି ଶ୍ରୀ ଗାନ୍ଧି କହିଛନ୍ତି।
କଂଗ୍ରେସ କ୍ଷମତାକୁ ଆସିଲେ ୧୦ଦିନ ମଧ୍ୟରେ ଋଣ ଛାଡ଼

ଓଡ଼ିଶା ଦେଶର ସବୁଠୁ ଗରିବ ରାଜ୍ୟ। ଓଡ଼ିଶାର ଚାଷୀ ଋଣ ଛାଡ଼ କଥା କହିଲେ ମୋଦି ଓ ନବୀନ ମନା କରୁଛନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ୧୦ଦିନ ମଧ୍ୟରେ ଓଡ଼ିଶାରେ ଋଣ ଛାଡ଼ ହେବ। ଛତିଶଗଡ଼ରେ ଧାନ କ୍ୱିଣ୍ଟାଲ ୨୫୦୦ ଟଙ୍କାରେ ମିଳୁଛି। କିନ୍ତୁ ଏଠି ମାତ୍ର ୧୬୦୦ଟଙ୍କା। କଂଗ୍ରେସ ରାଜ୍ୟରେ କ୍ଷମତାକୁ ଆସିଲେ ୨୬ ଶହ ଟଙ୍କାରୁ କମ୍ଏମ୍ଏସ୍ପି ଦିଆଯିବ ନାହିଁ ବୋଲି ରାହୁଲ ଗାନ୍ଧି କହିଛନ୍ତି।
ଆଦିବାସୀଙ୍କ ଜମି ଉଦ୍ୟୋଗପତିଙ୍କୁ ଦିଆଯାଇ ପାରିବ ନାହିଁ
ସେହିପରି ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ କଂଗ୍ରେସ ସର୍ବଦା ଲଢ଼େଇ କରି ଆସିଛି। କିନ୍ତୁ ଆଦିବାସୀ ଓ ଚାଷୀଙ୍କ ଜମିକୁ ଶିଳ୍ପ ପାଇଁ ମୋଦିଙ୍କ ସହ ମିଶି ନବୀନବାବୁ ଛଡ଼ାଇ ନେଉଛନ୍ତି। ରାହୁଲ କହିଥିଲେ ଆଦିବାସୀଙ୍କ ଜମି ଉଦ୍ୟୋଗପତିଙ୍କୁ ଦିଆଯାଇ ପାରିବ ନାହିଁ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ରାଜ୍ୟ ସରକାର ଆଦିବାସୀଙ୍କ ଜମି ତାଙ୍କ ବନ୍ଧୁଙ୍କୁ ଦେଇ ଦେଇଛନ୍ତି। କଂଗ୍ରେସ ଛତିଶଗଡ଼ରେ ନିୟମ କରିଛୁ ଶିଳ୍ପ ନହେଲେ ଜମି ଫେରସ୍ତ କରିବାକୁ ହେବ। ଆଦିବାସୀ ଓ ଚାଷୀଙ୍କ ବିନା ଅନୁମତିରେ, ପଞ୍ଚାୟତର ବିନା ଅନୁମୋଦନରେ ସରକାର ଜମି ଅଧିଗ୍ରହଣ କରିପାରିବେ ନାହିଁ। ଆଉ ଆଦିବାସୀଙ୍କୁ ନିଜ ଜମି ପାଇଁ ବଜାର ଦର ତୁଳନାରେ ୪ ଗୁଣ ଅଧିକ ଦର ମିଳିବ।
ପ୍ରତ୍ୟେକ ଗରିବଙ୍କୁ ସର୍ବନିମ୍ନ ନିଶ୍ଚିତ ଉପାର୍ଜନ
ଚାଷୀଙ୍କୁ ଏବେ କେନ୍ଦ୍ରର ମୋଦି ସରକାର ଦିନକୁ ସାଢ଼େ ୩ ଟଙ୍କା ଦେଉଛନ୍ତି। ଚାଷୀଙ୍କ ପ୍ରତି ଉପହାସ କରାଯାଉଛି। କିନ୍ତୁ କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତ୍ୟେକ ଗରିବଙ୍କୁ ସର୍ବନିମ୍ନ ନିଶ୍ଚିତ ଉପାର୍ଜନ ଦେବ। ପ୍ରତିମାସରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଅର୍ଥ ଯିବ, ଯେପର୍ଯ୍ୟନ୍ତ ତାଙ୍କର ଆର୍ଥିକ ସ୍ଥିତିରେ ସୁଧାର ନହୋଇଛି। କଂଗ୍ରେସ ପୂର୍ବରୁ ମନରେଗା, ଖାଦ୍ୟ ସୁରକ୍ଷା ଯୋଜନା, ଚାଷୀ ଋଣ ଛାଡ଼, କମ୍ପ୍ୟୁଟର କ୍ରାନ୍ତି ଭଳି କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ କରିଥିଲା। ତେଣୁ କଂଗ୍ରେସ ସର୍ବଦା ଗରିବ,ଦଳିତ, ଦୁର୍ବଳ ବର୍ଗ ଓ ମା-ଭଉଣୀଙ୍କ ସ୍ୱାର୍ଥ ପାଇଁ କାମ କରୁଛି। ବିଧବାଙ୍କୁ ପେନସନ ବାବଦରେ୨୦୦୦ ଟଙ୍କା ଦିଆଯିବ । ସମସ୍ତ ପଂଚାୟତରେ ମହିଳା ଉଦ୍ୟୋଗୀଙ୍କ ପାଇଁ ଏକ ଫାଇନାନସିଆଲ କର୍ପୋରେସନ ଗଠନ ହେବ । ପ୍ରତି ପଞ୍ଚାୟତରେ ମହିଳାଙ୍କ ପାଇଁ ସ୍ପେସାଲ ଅଫିସର ରହିବେ ।
ଓଡିଶାରେ ପ୍ରତିଦିନ ୮ଜଣ ମହିଳା ଦୁଷ୍କର୍ମର ଶିକାର
ରାହୁଲ କହିଛନ୍ତି ଯେ, ଓଡିଶାରେ ପ୍ରତିଦିନ ୮ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ଦୁଷ୍କର୍ମକାରୀଙ୍କ ମଧ୍ୟରୁ ବର୍ଷକୁ ମାତ୍ର ୭ଜଣ ଦଣ୍ଡିତ ହେଉଛନ୍ତି । କଂଗ୍ରେସ ସର୍ବଦା ମହିଳାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥାଏ ।ଓଡିଶାରେ କଂଗ୍ରେସ ସରକାରକୁ ଆସିଲେ ମହିଳାଙ୍କୁ ସାମାଜିକ ସୁରକ୍ଷା ମିଳିବ ବୋଲି ସେ କହିଛନ୍ତି ।