ରାହୁଲ ଗାନ୍ଧୀଙ୍କ ନାଗରିକତା ନେଇ ପ୍ରଶ୍ନ

ଆମେଥି ଲୋକସଭା ଆସନରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ସ୍ୱାଧିନ ପ୍ରାର୍ଥୀ ଧ୍ରୁବ ଲାଲଙ୍କ ଅଭିଯୋଗକ୍ରମେ ରାହୁଲ ଗାନ୍ଧୀଙ୍କ ପ୍ରାର୍ଥୀପତ୍ର ଯାଞ୍ଚ କାମ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ଥଗିତ ରଖାଯାଇଛି। ଆମେଥିର ରିଟର୍ଣ୍ଣିଂ ଅଫିସର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରାର୍ଥୀପତ୍ର ଯାଞ୍ଚ ୨୨ଏପ୍ରିଲ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଆଦେଶ ଦେଇଛନ୍ତି। ରାହୁଲଙ୍କ ପ୍ରାର୍ଥୀପତ୍ରରେ ଅନେକ ବିରୋଧଭାସ ଥିବାରୁ ତାଙ୍କ ପ୍ରାର୍ଥୀପତ୍ରକୁ ନାକଚ କରିବା ପାଇଁ ଧ୍ରୁବ ଲାଲ ଅପିଲ କରିଛନ୍ତି।

ପ୍ରାର୍ଥୀ ଧ୍ରୁବ ଲାଲଙ୍କ ଓକିଲ ରବି ପ୍ରକାଶ ଏସମ୍ପର୍କରେ ସୂଚନା ଦେଇଛନ୍ତି। ରାହୁଲ ଗାନ୍ଧୀ ଏକ ବ୍ରିଟିଶ କମ୍ପାନୀ ସହିତ ଜଡ଼ିତ ଅଛନ୍ତି। ଏହି କମ୍ପାନୀକୁ ଦିଆଯାଇଥିବା ସୂଚନା ଅନୁସାରେ ରାହୁଲ ନିଜକୁ ବ୍ରିଟିଶ ନାଗରିକ ବୋଲି ଦର୍ଶାଇଛନ୍ତି। ଯଦି ରାହୁଲ ବ୍ରିଟିଶ ନାଗରିକ ହୋଇଥିବେ ତେବେ ଜନପ୍ରତିନିଧିତ୍ୱ ଅଧିନିୟମ ଅନୁସାରେ ସେ ଭାରତରେ ନିର୍ବାଚନ ଲଢ଼ିପାରିବେ ନାହିଁ।

ଋାହୁଲ ଗାନ୍ଧୀ କେଉଁ ଆଧାରରେ ନିଜକୁ ବ୍ରିଟିଶ ନାଗରିକ ବୋଲି ଦର୍ଶାଇଛନ୍ତି ତାହା ଜାଣିବା ଆବଶ୍ୟକ ବୋଲି ରବି ପ୍ରକାଶ କହିଛନ୍ତି। ବ୍ରିଟିଶ ନାଗରିକ ହେବା ସହିତ ଭାରତର ନାଗରିକତା ରଖିବା ଅଧିକାର ତାଙ୍କ ପାଖରେ ରହିଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରାର୍ଥୀପତ୍ର ସହିତ ଦେଇଥିବା ସତ୍ୟପାଠରେ ୨୦୦୩ରୁ ୨୦୦୯ ମଧ୍ୟରେ ବ୍ରିଟେନରେ ଥିବା ନିଜ ସମ୍ପତ୍ତି ସମ୍ପର୍କରେ କୌଣସି ସୂଚନା ଦେଇନାହାଁନ୍ତି।

ଏହାଛଡ଼ା ରାହୁଲ ଗାନ୍ଧୀ ନିଜର ଶିକ୍ଷାଗତ ଯୋଗ୍ୟତା ନେଇ ଯେଉଁ ପ୍ରମାଣପତ୍ର ଦେଇଛନ୍ତି ତାର କୌଣସି ମେଳ ଖାଉନାହିଁ। ଅନେକ ପ୍ରମାଣ ପତ୍ରରେ ରାହୁଲଙ୍କୁ ‘ରାଉଲ ବିଂଶି’ ବୋଲି ଉଲ୍ଲେଖ କରାଯାଇଛି। ରାୁଲ ବିଂଶି ଓ ରାହୁଲ ଗାନ୍ଧୀ ଏକ କି ନୁହେଁ ତାହା ଜାଣିବା ଆବଶ୍ୟକ ବୋଲି ରବି ପ୍ରକାଶ ଦାବି କରିଛନ୍ତି। ତେଣୁ ରାହୁଲ ଗାନ୍ଧୀ ତାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ମୂଳ ପ୍ରମାଣପତ୍ର ଦାଖଲ କରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *