ରାହୁଲଙ୍କ ଲକ୍ଷ୍ମଣ ରେଖାକୁ ଟପି ପାରିବେତ ଶାହା

ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି ଭାରତୀୟ ଜନତାପାର୍ଟି ଅଧ୍ୟକ୍ଷ ଅମିତ ଶାହା। ଦଳୀୟ କର୍ମକର୍ତ୍ତାଙ୍କୁ ସେ ଭେଟିବେ। କି ମନ୍ତ୍ର ଦେବେ, ସେ କଥା ଶାହା ଜାଣିଥିବେ। କିନ୍ତୁ ସାଲେପୁର ଜନସଭାରେ ଶାହା କି ଭାଷଣ ଦେବେ ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି। ତାଙ୍କ ପାଇଁ ଏମିତି ଏକ ଲାଇନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟାଣିଦେଇ ଚାଲିଗଲେ ଯେ, ଏଥର ଶାହାଙ୍କର ସ୍ୱର ନରମିବା ମାତ୍ରେ କଂଗ୍ରେସକୁ ଏବଂ ସାଧାରଣ ଲୋକଙ୍କୁ ସମାଲୋଚନା ପାଇଁ ବାଟ ଫିଟାଇଦେବ।

ଏଭଳି କଳ୍ପନାଜଳ୍ପନା ବା ଅନୁମାନ କଦାପି ପ୍ରକାଶ ପାଇନଥାନ୍ତା ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱର ହଠାତ ନରମିଯାଇନଥାନ୍ତା। ତାଳଚେର ଏବଂ ଝାରସୁଗୁଡାକୁ ସେପ୍ଟେମ୍ୱରରେ ଆସିଥିଲେ ପ୍ରଧାନମନ୍ତ୍ରୀ। ତାଙ୍କ ସ୍ୱର ବହୁତ ଶାଣିତା ଥିଲା। ନବୀନ ସରକାରଙ୍କ ଦୁର୍ନୀତିକୁ ସେ ସିଧା ଆକ୍ଷେପ କରିଥିଲେ। ତାଙ୍କର ବିକାଶ ଯୋଜନାରେ ଓଡ଼ିଶା ଉପରେ ଥିଲା। ଭାଷଣରେ କଡ଼ା ଆଭିମୁଖ୍ୟ ପୋଷଣ କରି ମୋଦି ବସ୍ତୁତଃ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଯାଇଥିଲେ ଝାରସୁଗୁଡାରେ।

ମୋଦିଙ୍କ ନରମ ସ୍ୱର

କିନ୍ତୁ ଡିସେମ୍ୱର ଏବଂ ଜାନୁଆରୀରେ ସେ ତିନି ତିନି ଥର ଓଡ଼ିଶା ଆସିଲେ। ତିନିଟି ବଡ଼ ସମାବେଶ କଲେ। କିନ୍ତୁ ତାଙ୍କ ସ୍ୱର ହଠାତ ନରମିଯିବାରୁ ଲୋକଙ୍କୁ ସନ୍ଦେହ କରିବାର ସୁଯୋଗ ମିଳିଗଲା। ମୋଦି ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆଞ୍ଚଳିକ ଦଳର ସହଯୋଗ ଲୋଡୁଛନ୍ତି, ସେଥିପାଇଁ ଏକ ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ଘେରିବା ପରିବର୍ତ୍ତେ ସେ ନରମିଗଲେ ବୋଲି ଧାରଣା ଜନ୍ମ ଦେଇଛି।

ପ୍ରଧାନମନ୍ତ୍ରୀଙ୍କ ସ୍ୱର ନରମି ଯିବା ବେଳେ ଗତ ୨୫ ତାରିଖରେ ଅଧ୍ୟକ୍ଷ ଭାବେ ଓଡ଼ିଶା ଗସ୍ତରେ ଆସିଲେ ରାହୁଲ ଗାନ୍ଧୀ। ସେ କିନ୍ତୁ ମୋଦି ଏବଂ ନବୀନଙ୍କୁ ଗୋଟିଏ ବିନ୍ଦୁରେ ବସାଇଦେଲେ। ଉଭୟଙ୍କୁ ଚୋର ବୋଲି କହିଲେ। ନବୀନଙ୍କ ରିମୋଟ କଣ୍ଟ୍ରୋଲ ମୋଦିଙ୍କ ହାତରେ ବୋଲି ଅଭିଯୋଗ କଲେ। ତା’ଛଡା ନବୀନ ସରକାର ଅତ୍ୟନ୍ତ ଦୁର୍ନୀତିଗସ୍ତ ବୋଲି ଆକ୍ଷେପ କରିବା ଅବସରରେ ଚିଟଫଣ୍ଡ କଥା ସ୍ମରଣ କରାଇଦେଲେ।

ବିଜେଡ଼ି ଓ ବିଜେପିକୁ ଗୋଟିଏ ଚେୟାରରେ ବସାଇଲେ ରାହୁଲ

ଏପର୍ଯ୍ୟନ୍ତ ତିନି ଦଳର ତିନିଟି ପୋଜିସନ ଦେଖିବାକୁ ମିଳିଥିଲା। ବିଜେଡ଼ି ସମଦୂରତା ଅର୍ଥାତ ବିଜେପି ଓ କଂଗ୍ରେସ ଠାରୁ ସେମାନେ ସମବ୍ୟବଧାନ ରଖୁଥିବା କହୁଥିଲେ। ବିଜେପି ଅଭିଯୋଗ କରୁଥିଲା ଯେ, କଂଗ୍ରେସ ସହିତ ବିଜେଡ଼ିର ଚୋରାପ୍ରୀତି ଅଛି। କଂଗ୍ରେସ ମଧ୍ୟ ସେହି କଥା ତାଙ୍କ ଢଙ୍ଗରେ କହୁଥିଲା। ବିଜେଡ଼ି ଓ ବିଜେପି ମଧ୍ୟରେ ଗୋପନପ୍ରୀତି ଅଛି ବୋଲି କଂଗ୍ରେସ ନେତାମାନେ ଅଭିଯୋଗ କରୁଥିଲେ। ତେବେ ରାହୁଲ ଗାନ୍ଧୀ ଅନ୍ତତଃ ବିଜେଡ଼ି ଓ ବିଜେପିର ଅଭିଯୋଗ ଉପରେ ଦଳର ଦୃଷ୍ଟିକୋଣ ସ୍ପଷ୍ଟ କରିଦେଇଗଲେ। ଉଭୟଙ୍କୁ ଗୋଟିଏ ଚେୟାରରେ ବସାଇ ଦେଇଗଲେ ରାହୁଲ।

ଏବେ ଶାହା କରିବେ କ’ଣ?

ଶାହାଙ୍କ ଆଗରେ ଏକ ଜଟିଳ ପ୍ରଶ୍ନ ଥୋଇଦେଇ ଯାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ପ୍ରଧାନମନ୍ତ୍ରୀଙ୍କ ତୁଳନାରେ ଶାହାଙ୍କ ସ୍ୱର ଆରମ୍ଭରୁ ଖୁବ ଶାଣିତ। ସେ ହିଁ ନବୀନ ସରକାରଙ୍କୁ ପୋଡା ଟ୍ରାନ୍ସଫର୍ମର ବୋଲି କହିଥିଲେ। ନବୀନ ସରକାରଙ୍କୁ ଉଖାଡି ଫିଙ୍ଗି ଦେବାକୁ ଆହ୍ୱାନ ଜଣାଇଥିଲେ। ଅମିତ ଶାହା ହିଁ ୧୨୦ ଙ୍ଘ ର ଧାରଣା ଦେଇଥିଲେ କର୍ମୀଙ୍କୁ। ଏବେ ନିର୍ବାଚନ ମୁଣ୍ଡ ଉପରେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣରେ ଆକ୍ରମଣ ଅପେକ୍ଷା ବୁଝାମଣାର ସ୍ୱର ବାରି ହୋଇପଡୁଛି। ତେଣେ ରାହୁଲ ଗାନ୍ଧୀ ଉଭୟ ମୋଦି ଏବଂ ନବୀନଙ୍କୁ ଚଉମୁଖା ଆକ୍ରମଣ କରି ଫେରିଯାଇଛନ୍ତି। ଏପରି ଅବସ୍ଥାରେ ଶାହା ଯଦି ମୋଦିଙ୍କ ପନ୍ଥା ଅନୁସରଣ କରନ୍ତି, ତେବେ ଭାରତୀୟ ଜନତାପାର୍ଟି ରାଜ୍ୟ ଶାଖା ଲାଗି ଏକ ଜଟିଳ ସମସ୍ୟା ସୃଷ୍ଟି ହେବ।

ସରକାର ବିରୋଧୀ ବାତାବରଣ କଂଗ୍ରେସ ଆଡ଼କୁ ମୁହାଁଇବ

ସରକାର ବିରୋଧୀ ଯେଉଁ ବାତାବରଣ ସୃଷ୍ଟି ହୋଇଛି, ତାହାର ଫାଇଦା ବିଜେପିକୁ ଯିବା ପରିବର୍ତ୍ତେ ରାହୁଲଙ୍କୁ ବିଶ୍ୱାସ କରି ଏହା କଂଗ୍ରେସ ଆଡ଼କୁ ମୁହାଁଇବାର ସମ୍ଭାାବନା ଯଥେଷ୍ଟ। ତେବେ ମୋଦି ଯେଉଁ ପ୍ରକାର କ୍ଷତି କରିଛନ୍ତି ସ୍ୱର ନରମ କରି ତାହାକୁ ଶାହା ତାଙ୍କ ଭାଷଣରେ ହିଁ ଅନେକଟା ଭରଣା କରିଦେଇପାରିବେ। ରାହୁଲ ଯେଉଁ ଅଭିଯୋଗ କରିଛନ୍ତି, ତାହାକୁ ମିଥ୍ୟା ସାବ୍ୟସ୍ତ କରିବା ପାଇଁ ଅନ୍ତତଃ ଅମିତ ଶାହାଙ୍କୁ ଗରମ ମିଜାଜରେ କର୍ମୀମାନଙ୍କୁ ଉତ୍ସାହିତ ନକଲେ ବାଜିମାରି ନେବ କଂଗ୍ରେସ।

Leave a Reply

Your email address will not be published. Required fields are marked *