ଭାରତୀୟ ନାଗରିକତା ହରାଇବେ ସୋନିଆ-ରାହୁଲ!
ନୂଆଦିଲ୍ଲୀ(ଓଟି): ଫାଇଲ୍ ରେଡ୍ଡି। ଯେକୌଣସି ମୁହୂର୍ତ୍ତରେ ଭାରତୀୟ ନାଗରିକତା ହରାଇବେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି। ଏଭଳି ମନ୍ତବ୍ୟ ଦେଇଛନ୍ତି ସୁବ୍ରମଣ୍ୟମ୍ ସ୍ଵାମୀ। ସ୍ଵାମୀଙ୍କ ଏଭଳି ବୟାନକୁ ନେଇ ସମ୍ପ୍ରତି ଆଲୋଚନା ସରଗରମ ହେବାରେ ଲାଗିଛି। ହାଇଦ୍ରାବାଦ ବିଶ୍ଵବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ପୂର୍ବତନ କେନ୍ଦ୍ରୀମନ୍ତ୍ରୀ ଶ୍ରୀ ସ୍ଵାମୀ କହିଥିଲେ ଯେ, ଗୃହମନ୍ତ୍ରୀ ଅମିତ ଶାହଙ୍କ ଟେବୁଲ୍ରେ ସୋନିଆ ଓ ରାହୁଲଙ୍କ ଫାଇଲ୍ ରହିଛି। ଖୁବଶୀଘ୍ର ଏନେଇ ଆଇନଗତ ପଦକ୍ଷେପ ନିଆଯିବ ଏବଂ ଯେକୌଣସି ସମୟରେ ମାଆ- ପୁଅ ଭାରତୀୟ ନାଗରିକତା ହରାଇପାରନ୍ତି। ଭାରତୀୟ ସମ୍ବିଧାନ ଅନୁସାରେ ସମ୍ପୃକ୍ତ ଦୁଇଜଣ ନିୟମ ପାଳନ କରିନାହାନ୍ତି ବୋଲି ସ୍ଵାମୀ ସୂଚାଇଥିଲେ।
ଭାରତୀୟ ସାମ୍ବିଧାନିକ ନିୟମ ଅନୁସାରେ ଭାରତୀୟ ନାଗରିକତ୍ଵ ପାଇଥିବା ବ୍ୟକ୍ତି ଅନ୍ୟ ଦେଶର ନାଗରିକତା ନେଇଥିଲେ ସ୍ଵତଃ ଭାରତୀୟ ନାଗରିକତା ହରାଇବାକୁ ପଡ଼ିଥାଏ। ଏହି ପରିପ୍ରେକ୍ଷୀରେ ସ୍ଵର୍ଗତ ରାଜୀବ ଗାନ୍ଧି ପୁତ୍ର ଭାବେ ରାହୁଲ ଭାରତୀୟ ନାଗରିକତା ପାଇଁ ଆବେଦନ କରିପାରନ୍ତି କିନ୍ତୁ ସୋନିଆଙ୍କ ପାଇଁ ଏହି ନିୟମ ପ୍ରଯୁଜ୍ୟ ନୁହେଁ। ସେ ଭାରତୀୟ ନାଗରିକ ନୁହନ୍ତି ବୋଲି ସ୍ଵାମୀ କହିବା ସହ ଇଂଲଣ୍ଡରେ ବ୍ୟବସାୟ କରିବା ପାଇଁ ରାହୁଲ ବ୍ରିଟିଶ ନାଗରିକତ୍ଵ ଗ୍ରହଣ କରିଥିବା ସ୍ଵାମୀ ଦାବି କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାହୁଲଙ୍କ ଭାରତୀୟ ନାଗରିକତ୍ଵ ନେଇ ବିବାଦ ପୂର୍ବରୁ ରହିଆସିଛି। ତାଙ୍କୁ ଗୃହ ବିଭାଗ ନୋଟିସ୍ ମଧ୍ୟ ଜାରି କରିଥିବାବେଳେ ମାମଲା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା।
ସେ ଯାହାହେଉ ସ୍ଵାମୀଙ୍କ ମନ୍ତବ୍ୟକୁ ନେଇ ବିଭିନ୍ନ ସ୍ତରରେ ଏକ ପ୍ରକାର ଉଷ୍ମ ଝଡ଼ ସୃଷ୍ଟି ହୋଇଯାଇଛି।











