ବିଜେଡିରୁ ରଘୁ ମହାନ୍ତିଙ୍କ ଇସ୍ତଫା
ଗତକାଲି ଉଠା ଜଳ ସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ରଘୁନାଥ ମହାନ୍ତି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟତା ସହିତ ଉପ-ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ବିଜେଡିରୁ ଇସ୍ତଫା ଦେଇଥିବା ଏଥିରେ ଉଲ୍ଲେଖ କରିଛନ୍ତି।
ବିଜେଡିରୁ ଇସ୍ତଫା ଦେବା ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଦେଇଥିବା ପ୍ରତିକ୍ରିୟାରେ ରଘୁନାଥ କହିଛନ୍ତି, ମୁଁ ବିଜୁ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲି। ମୁଁ ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳ ପାଇଁ କାର୍ଯ୍ୟ କରି ଆସୁଥିଲି। କିନ୍ତୁ ଦୁଃଖର ସହିତ କହିବାକୁ ପଡ଼ୁଛି ଯେ ମୁଁ ଆଜି ଏହି ଦଳରୁ ଇସ୍ତଫା ଦେଇଛି।
ସେ ଆହୁରି କହିଛନ୍ତି, ଦଳରେ ଆଉ ବିଜୁ ବାବୁଙ୍କ ନୀତି ଓ ଆଦର୍ଶ ନାହିଁ। ଦଳ ଏବେ ପଥଭ୍ରଷ୍ଟ। କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଦ୍ୱାରା ଦଳ ପରିଚାଳିତ ହେଉଛି। ତେଣୁ ବାଲେଶ୍ୱରର ବିଜୁ କର୍ମୀଙ୍କ ସ୍ୱାଭିମାନକୁ ବଜାୟ ରଖିବା ପାଇଁ ମୁଁ ଦଳରୁ ଇସ୍ତଫା ଦେଇଛି।
ବସ୍ତା ଆସନ ପାଇଁ ଟିକେଟ ଘୋଷଣାରେ ବିଳମ୍ବ ଯୋଗୁଁ ରଘୁନାଥ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି। ବିଜେଡ଼ି ଛାଡ଼ିବା ପରେ ସେ ବିଜେପିରେ ଯୋଗଦେବାର ଯଥେଷ୍ଟ ସମ୍ଭାବନା ରହିଛି।