ଅର୍ଦ୍ଧନ୍ୟାୟିକ ସଂସ୍ଥା ପାଲଟିଛି ବିଜେଡିର ଥଇଥାନ କେନ୍ଦ୍ର

ଭୁବନେଶ୍ୱର, (ଓଟି): ରାଜନୀତିକ ବ୍ୟକ୍ତିଙ୍କ ଥଇଥାନ କେନ୍ଦ୍ର ପାଲଟିଛନ୍ତି ହାଜ୍ୟର ଅର୍ଦ୍ଧନ୍ୟାୟିକ ସଂସ୍ଥାନସବୁ । ବିଜେଡିର ସଦସ୍ୟଙ୍କୁ କେବଳ ଏସବୁ ସ୍ଥାନରେ ନିଯୁକ୍ତି ଦିଆଯାଉ ନାହିଁ ବରଂ ନିଯୁକ୍ତି ପାଇବା ପରେ ମଧ୍ୟ ସେମାନେ ବିଭିନ୍ନ ପଦପଦବୀ ଗ୍ରହଣ କରୁଛନ୍ତି । ଏହିଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସ ଗଣମାଧ୍ୟମ ବିଭାଗ ମୁଖ୍ୟ ସତ୍ୟପ୍ରକାଶ ନାୟକ । ଓଡିଶା ରାଜ୍ୟ ଶିଶୁ ଅଧିକାର ଆୟୋଗ ଏବଂ ରାଜ୍ୟ ମହିଳା ଆୟୋଗ ଏହାର ଜ୍ୱଳନ୍ତ ଉଦାହରଣ ବୋଲି ସେ କହିଛନ୍ତି ।
ଶ୍ରୀ ନାୟକ କହିଛନ୍ତି, ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓ.ଏସ୍.ପି.ସି.ଆର) ରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏକ ବିଜ୍ଞପ୍ତି ଜରିଆରେ ଶ୍ରୀମତୀ ଗୀତାଞ୍ଜଳି ବସ୍ତିଆ, ଶ୍ରୀମତୀ ମନ୍ଦାକିନୀ କର ଓ ଶ୍ରୀମତୀ ନିବେଦିତା ନାୟକଙ୍କୁ ସଭ୍ୟା ଭାବରେ ନିଯୁକ୍ତି କରିଥିଲେ । ଏମାନେ ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥାରେ ନିଯୁକ୍ତି ପାଇବା ପରେ ପୁନର୍ବାର ଦଳୀୟ ପଦ ପଦବୀରେ ରହିବା ନିଷିଦ୍ଧ ଏବଂ ଏହା ସମ୍ବିଧାନ ବିରୋଧୀ । ମାତ୍ର ଓଡିଶା ସରକାରଙ୍କ ତରଫରୁ ଏମାନଙ୍କୁ ଆୟୋଗରେ ନିଯୁକ୍ତି ପରେ ବିଜୁ ଜନତା ଦଳ ପକ୍ଷରୁ ୨୦୧୮ ମସିହା ନଭେମ୍ବର ୧୧ ତାରିଖରେ ଶ୍ରୀମତୀ ଗୀତାଞ୍ଜଳି ବସ୍ତିଆଙ୍କୁ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତି ଦେଇଛନ୍ତି । ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସେ ଖୋଲାଖୋଲି ଏବଂ ପ୍ରତ୍ୟେକ୍ଷ ଭାବରେ ସଂପୃକ୍ତ ଅଛନ୍ତି । ଡିସେମ୍ବର ୮, ୯ ଓ ୧୦ ତାରିଖରେ ସେ ସୁନ୍ଦରଗଡ ଯାଇ ଦଳର ପର୍ଯ୍ୟବେକ୍ଷକ ଭାବରେ କାର୍ଯ୍ୟ କରିଛନ୍ତି । ସେହଭଳି ମନ୍ଦାକିନୀ କର ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ରହିବା ସହ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାର ଠୋସ୍ ପ୍ରମାଣ ରହିଛି । ତତ୍ସହିତ ଶ୍ରୀମତୀ ନିବେଦିତା ନାୟକ ବିଜୁ ଜନତା ଦଳର ଜଣେ ସକ୍ରିୟ କର୍ମୀ ଭାବରେ ଦଳ ତରଫରୁ ସମ୍ବଲପୁର ଜିଲ୍ଲା ବୁର୍ଲା ଏନ୍.ଏ.ସି.ର ପର୍ଯ୍ୟବେକ୍ଷକ ଭାବେ ଅକ୍ଟୋବର ୨୦୧୭ ମସିହାରେ କାର୍ଯ୍ୟ କରିଛନ୍ତି ।
ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓ.ଏସ୍.ପି.ସି.ଆର)ରେ କାର୍ଯ୍ୟ କରୁଥିବା ହେତୁ ଶ୍ରୀମତୀ ଗୀତାଞ୍ଜଳି ବସ୍ତିଆ, ମନ୍ଦାକିନୀ କର ଓ ଶ୍ରୀମତୀ ନିବେଦିତା ନାୟକ ଓଡିଶା ସରକାରଙ୍କ ରାଜକୋଷରୁ ମାସକୁ ୨୫ ହଜାର ଟଙ୍କା ଲେଖାଏଁ ଦରମା, ଗାଡି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସରକାରୀ ସୁବିଧା ସୁଯୋଗ ପାଉଛନ୍ତି ।
ସେହିପରି ରାଜ୍ୟ ମହିଳା କମିଶନର ସଭ୍ୟା ଭାବରେ ଶ୍ରୀମତୀ ସ୍ନେହାଞ୍ଜଳି ମହାନ୍ତି ନିଯୁକ୍ତି ପାଇଛନ୍ତି । ଯିଏକି ମାସକୁ ୨୫ ହଜାର ଟଙ୍କା ଦରମା ପାଉଛନ୍ତି । ରାଜ୍ୟ ମହିଳା କମିଶନ ମହିଳାମାନଙ୍କର ସୁରକ୍ଷା କ୍ଷେତ୍ରରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରିଥାଏ । ଏହାର ସଭ୍ୟ / ସଭ୍ୟାମାନେ ଦଳୀୟ କାର୍ଯ୍ୟକ୍ରମର ଉଦ୍ଧ୍ୱର୍ରେ ରହିବା ଆବଶ୍ୟକ । ମାତ୍ର ଏହାକୁ ବେଖାତିର କରି ବିଜେଡି ଦଳର ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମରେ ସେମାନେ ଯୋଗଦେବା ସହିତ ସକ୍ରୀୟ ଅଂଶଗ୍ରହଣ କରୁଛନ୍ତି । ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥାର ଅଧ୍ୟକ୍ଷ ଏବଂ ସଭ୍ୟମାନେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଆଇନ୍- ୨୦୦୫ ଧାରା ୩୨ ଅନୁଯାୟୀ ସମସ୍ତେ ଜଣେ ଜଣେ ସରକାରୀ କର୍ମଚାରୀ ଭାବରେ ପରିଗଣିତ ହେବେ । ତେଣୁ ଜଣେ ସରକାରୀ କର୍ମଚାରୀ ସିଧାସଳଖ ଭାବରେ ଦଳୀୟ ପଦପଦବୀ ନେବା ଆଇନ୍ ବିରୁଦ୍ଧ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଅନ୍ୟତମ ମୁଖପାତ୍ର ନିଶିକାନ୍ତ ମିଶ୍ର ସିଧାସଳଖ ଭାବରେ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ଏବଂ ତୁରନ୍ତ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ଠାରୁ ଲାଭଦାୟକ ପଦପଦବୀରେ ଥାଇ ସାଧାରଣ ଟିକସଦାତାଙ୍କ ପଇସାରୁ ନେଇଥିବା ଦରମା, ମହଙ୍ଗାଭତା ଇତ୍ୟାଦି ଅସୁଲ କରାଯିବା ସହ ଏମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ସେମାନଙ୍କୁ ତାଙ୍କ ପଦରୁ ବହିଷ୍କାର କରାଯାଉ ବୋଲି ଶ୍ରୀ ମିଶ୍ରୀ ଦାବି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରଶାନ୍ତ ଶତପଥି, ସୁଦର୍ଶନ ଦାସ, ଦୀପକ ମହାପାତ୍ର ଓ ଓମ୍ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ବିଜେପି-ବିଜେଡ଼ି ପ୍ରୀତି ଚାଲିଛି : କଂଗ୍ରେସ

ପିପିଲି ଗଣ ଦୁଷ୍କର୍ମ ମାମଲାର କମିଶନ ରିପୋର୍ଟ ସାର୍ବଜନୀନ କରାଯାଉ: କଂଗ୍ରେସ

ସରକାରଙ୍କ ଗୋଡ଼ାଣିଆ ସାଜିଛି ଓଡ଼ିଶାରେ ମେନ‍୍‌ଷ୍ଟ୍ରିମ‍୍‌ ମିଡିଆ: ସତ୍ୟ ପ୍ରକାଶ ନାୟକ

Leave a Reply

Your email address will not be published.