କ୍ଵାରେଣ୍ଟାଇନ୍‌ ଅବଧି କେତେ!

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ସାରା ବିଶ୍ଵରେ ଆତଙ୍କ ଖେଳାଇଛି। ଏଥିପାଇଁ ଆମ ଦେଶରେ ମଧ୍ୟ ସାଂଘାତିକ ସମସ୍ୟା ଉପୁଜିଛି। ତେବେ ଏହାରି ମଧ୍ୟରେ ୧୪ ଦିନିଆ କ୍ୱାରେଣ୍ଟାଇନ ଉପରେ ବିଭିନ୍ନ ମହଲରେ ପ୍ରଶ୍ନ ଉଙ୍କି ମାରିଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ଗାଇଡଲାଇନ୍ ଅନୁସାରେ ସନ୍ଦିଗ୍ଧ କରୋନା ରୋଗୀଙ୍କ ୧୪ ଦିନ ମଧ୍ୟରେ କରୋନା ଲକ୍ଷଣ ଜଣାପଡ଼େ। କିନ୍ତୁ ବାସ୍ତବ ଚିତ୍ର ଭିନ୍ନ ଦିଗକୁ ମଧ୍ୟ ସୂଚିତ କରୁଛି।

ସୂଚନା ଅନୁସାରେ କେରଳରେ ଏମିତି ଅନେକ ଘଟଣା ସାମନାକୁ ଆସିଛି। କରୋନା ସଂକ୍ରମଣ ନେଇ ୧୪ ନୁହେଁ ବରଂ ୨୮ ଦିନ ପରେ ରିପୋର୍ଟ ପଜିଟିଭ୍ ଆସୁଛି। ଫଳରେ ଏନେଇ କେରଳ ସରକାର କ୍ୱାରେଣ୍ଟାଇନ୍ ସମୟ ୨୮ ଦିନକୁ ବୃଦ୍ଧି କରିଛନ୍ତି। ଏହା ସହ କ୍ୱାରେଣ୍ଟାଇନ ଶେଷ ହେବା ପରେ ରୋଗୀର ପୁନଃ ପରୀକ୍ଷା ମଧ୍ୟ କରାଯାଉଛି। ଉଦାହରଣ ସ୍ଵରୂପ କେରଳର ଜଣେ ମହିଳା ଗତ ମାର୍ଚ୍ଚ ୧୮ରେ ବାହାରୁ କନ୍ନୁର ଫେରିଥିଲେ। ଘରେ କ୍ୱାରେଣ୍ଟାଇନରେ ରହିଥିଲେ କିନ୍ତୁ ଏପ୍ରିଲ ୧୬ରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ସେହିପରି ଜଣେ ୩୦ ବର୍ଷ ବୟସ୍କ ଜଣେ ଯୁବକ ଦୁବାଇରୁ ଫେରିଥିବା ବେଳେ ୨୮ ଦିନ ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ପ୍ରକାଶ ଥାଉକି କେରଳରେ ହିଁ ଦେଶର ପ୍ରଥମ କରୋନା ମାମଲା ଜଣାପଡ଼ିଥିଲା। ସମ୍ପ୍ରତି ସେଠାରେ ୪୦୦ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ କ୍ୱାରେଣ୍ଟାଇନ୍ ସମୟକୁ ନେଇ ଡବ୍ଲୁଏଚଓ ଉପରେ ପ୍ରଶ୍ନ ଉଠିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ମଧ୍ୟ ଗୋଟିଏ ମାମଲା ୧୪ ଦିନ ନୁହେଁ ବରଂ ୨୮ ଦିନ ପରେ ଆସିଥିବା ଜଣାପଡ଼ିଥିଲା। ସମ୍ପୃକ୍ତ ମହିଳା ଜଣଙ୍କ ଢେଙ୍କାନାଳର ଥିଲେ।

Leave a Reply

Your email address will not be published. Required fields are marked *