ପଣା ସଂକ୍ରାନ୍ତି: ପୁରୀରେ ‘ବୀର’ ହେବା ପାଇଁ ପରମ୍ପରା

ପୁରୀ, (ଭୀମସେନ ପଲଙ୍କଧାରୀ): ପରମ୍ପରା ଓ ଐତିହ୍ୟର ସହର ପୁରୀ। କାହିଁ କେଉଁ ଦିନରୁ ଏ ଐତିହ୍ୟ ଓ ପରମ୍ପରାକୁ ସେମିତି ସାଇତି ରଖିବାର ଉଦ୍ୟମ ହୋଇ ଆସୁଛି, ପିଢ଼ି ପରେ ପିଢ଼ି। ପିଲାଟିଦିନରୁ ଏଥିଲାଗି ସେମାନଙ୍କ ସହ ବନ୍ଧା ଯାଉଛି ପରମ୍ପରାର ଡୋରୀ। ମହାବିଷୁବ ସଂକ୍ରାନ୍ତି ତଥା ମହାବୀର ଜୟନ୍ତୀ ଅବସରରେ ପୁରୀର ଜାଗା ଆଖଡ଼ା ମାନଙ୍କରେ ଏମିତି ଏକ ବାତାବରଣ ଦେଖାଯାଇଛି । କୁନିକୁନି ପିଲାମାନେ ନିଜକୁ ଭବିଷ୍ୟତରେ ସୁସ୍ଥ ତଥା ବୀର ଭାବେ ଗଢ଼ି ତୋଳିବା ଲାଗି ପଣ କରିଛନ୍ତି।

ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବିଭିନ୍ନ ପାରମ୍ପରିକ ଆଖଡ଼ା ତଥା ଜାଗାଘରେ ସ୍ଵତନ୍ତ୍ର ଆୟୋଜନ ହୋଇଥିଲା। ଜାଗା ଘର ଆଖ ପାଖର କୁନି ପିଲାମାନେ ବାପା, ଜେଜେ ବା ବଡ଼ ଭାଇଙ୍କ ସହ ଚାଲି ଆସିଥିଲେ ଆଖଡ଼ାକୁ। ମହାବୀରଙ୍କୁ ପୂଜା କରିବା ପରେ ସେମାନେ ତାଙ୍କରି ସିନ୍ଦୁର ଟୀକା ପିନ୍ଧୁ ଓହ୍ଲାଇଥିଲେ ଲଢ଼ିବା ଲାଗି। ନିଜ ବୟସର ବା ସମାସ୍କନ୍ଧ ପିଲାଙ୍କ ସହ ସେମାନଙ୍କ ଲଢ଼ିବା ପ୍ରତିଦ୍ଵନ୍ଦିତା ହୋଇଥିଲା। ଏପରି ପ୍ରତିଦ୍ଵନ୍ଦିତା ପ୍ରତୀକାତ୍ମକ ହୋଇଥିଲେ ବି କିଛି ଆଖଡ଼ାରେ ପୁରସ୍କାର ଦିଆଯାଇ ପିଲାଙ୍କୁ ପ୍ରୋତ୍ସାହନ କରାଯାଇଥିଲା।

ପିଲାବେଳୁ ଏହି ପରମ୍ପରା ସହ ପରିଚିତ କରାଇବାର ଦୁଇଟି ମୂଳ ଉଦ୍ଦେଶ୍ୟ ରହିଛି, ଗୋଟିଏ ନିଜକୁ ଫିଟ୍‌ ରଖିବା ଏବଂ ଅନ୍ୟଟି ପରିସ୍ଥିତିକୁ ମୁକାବିଲା କରିବା ଲାଗି ପ୍ରସ୍ତୁତ ହେବ।

ଏ ମୁକାବିଲା କରିବାର ମନୋଭାବ ବି ଶ୍ରୀମନ୍ଦିର, ସଂସ୍କୃତି ଓ ଶ୍ରୀ ଜଗନ୍ନାଥଙ୍କୁ ବିଧର୍ମୀଙ୍କ କବଳରୁ ରକ୍ଷା କରିବା ଉଦ୍ଦେଶ୍ୟରୁ ସୃଷ୍ଟି। ସେତେବେଳେ ପୁରୀ ସହରକୁ ବାହ୍ୟ ଶତ୍ରୁଠୁ ମୁକାବିଲା କରିବା ଲାଗି ବିଭିନ୍ନ ସ୍ଥାନରେ ଜାଗା ଆଖଡ଼ା ନିର୍ମାଣ କରାଯାଇଥିଲା। ଭେଣ୍ଡିଆ ଆଖଡ଼ା ନାମରେ ପରିଚିତ। ଏଠାରେ ପିଲାବେଳୁ ନିଜକୁ ସୁସ୍ଥ ଓ ଲଢ଼ିବା କ୍ଷମ କରିବା ଲାଗି ତାଲିମ ଦିଆଯାଇଥାଏ। ଯଦିଓ ଏବେ ରାଜା ଶାସନ ନାହିଁ କିନ୍ତୁ ପୁରୀ ସହରର ଜୀବନଣୈଳୀରେ ଏହା ବଞ୍ଚି ରହିଛି। ସେଥିଲାଗି ପ୍ରତିବର୍ଷ ପଣା ସଂକାନ୍ତିରେ ପୁଅ ପିଲାମାନଙ୍କୁ ଜାଗା ଆଖଡ଼ା ଅଣାଯାଇ କୁସ୍ତି ଲାଗି ତାଲିମ ଦିଆଯିବା ଜାରି ରହିଛି।

Leave a Reply

Your email address will not be published.