ସ୍ଥିତି ସାଂଘାତିକ: ବିଜୁଳି, ଟେଲିଫୋନ୍ ସଂଯୋଗ କେବେ ହେବ ଆକଳନ କରିପାରୁନି ପ୍ରଶାସନ
ଭୁବନେଶ୍ଵର, (ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସନ୍ଧ୍ୟାରେ ବାତ୍ୟା ‘ଫୋନି’ର ସମୀକ୍ଷା କରିଛନ୍ତି। ହେଲେ ପରିସ୍ଥିତି ଓ କ୍ଷୟକ୍ଷତି ସମ୍ପର୍କରେ କୌଣସି ନିର୍ଦିଷ୍ଟ ତଥ୍ୟ ମିଳି ନାହିଁ। ସବୁଠାରୁ ସାଂଘାତିକ ଭାବେ ବିର୍ଯ୍ୟୟ ସମ୍ମୁଖୀନ ହୋଇଥିବା ପୁରୀ ସହର ଓ ଏହାର ଆଖପାଖ ଅଞ୍ଚଳରେ କେବେ ବିଜୁଳି ଓ ମୋବାଇଲ୍ ଟାୱାର ସଂଯୋଗ ହେବ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ।
କେବଳ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସ୍ଥିତି ସ୍ଵଭାବିକ କରିବା ପାଇଁ ପ୍ରଶାସନ ହାତରେ ନିୟନ୍ତ୍ରଣ ଥିବା ଜଣାପଡ଼ିଛି। ଏହି ଦୁଇ ଜିଲ୍ଲାରେ ଥଇଥାନ ଓ ଉଦ୍ଧାର କାର୍ଯ୍ୟ ସମ୍ପୂଣ୍ଣ ହୋଇଥିବା ନେଇ ସୂଚନା ମିଳିଛି।
‘ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରାସ୍ତା ଓ ଯୋଗାଯୋଗ ସଂଯୋଗ କାର୍ଯ୍ୟ ଆରମ୍ଭ ହୋଇଛି। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଏହା ସମ୍ପୂଣ୍ଣ ହୋଇପାରିଛି। ’ ଗଞ୍ଜାମ ଜିଲ୍ଲାରେ ବିଜୁଳି ସଂଯୋଗ ଆସନ୍ତା କାଲି ସୁଦ୍ଧା ହୋଇପାରିବା ନେଇ ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତ। କିନ୍ତୁ ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ କେବେ ବିଜୁଳି ଆସିବ ତାହା ଅନିଶ୍ଚିତତା ଭିତରେ ରହିଛି।

ପୁରୀ ସହର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସହର ଓ ଏହାର ଆଖ ପାଖ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ପ୍ରାୟ ରହିଛି। ଟେଲିଫୋନ୍ ଟାୱାରଗୁଡ଼ିକ ଅଚଳ ହୋଇପଡ଼ିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ଘର ଛପର ଓ ଟିଣ ଉଡ଼ି ଯିବା ସହ ଗଛ ଭାଙ୍ଗିପଡ଼ିଥିବା ଦୃଶ୍ୟ କିଛି ହସ୍ତଗତ ହୋଇଛି।
ପୁରୀ ବଡ଼ଦାଣ୍ଡର ଦୃଶ୍ୟ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୁରୀ ସହର ଓ ପୁରୀଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏହି ସ୍ଥାନରେ ବିଜୁଳି ଭିତ୍ତିଭୂମି ଉଜୁଡ଼ି ପଡ଼ିଛି।

ଭୁବନେଶ୍ଵରରେ ଉପୁଡ଼ିଥିବା ଗଛ କଟା ଆରମ୍ଭ
ଭୁବନେଶ୍ଵରର ବିଭିନ୍ନ ରାସ୍ତାରେ ଗଛ ପଡ଼ି ଅବରୋଧ ହୋଇଛି। ବିଜୁଳି ତାର ଉପରେ ଗଛ ପଡ଼ିବାରୁ ତାହା ଛିଣ୍ଡି ପଡ଼ିଛି। ପୁଲିସ ଓ ଉଦ୍ଧାରକାରୀ ଦଳ ସହାୟତାରେ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ସହରର ଅସ୍ଥାୟୀ ଶେଲ୍ଟର ହୋମ୍ରେ ଖାଦ୍ୟ ଯୋଗାଣ କରାଯାଉଛି। ଠିକ୍ ସେହିପରି ସହରର ବିଭିିନ୍ନ ରାସ୍ତାରେ ପଡ଼ିଥିବା ଗଛ କଟା ଆରମ୍ଭ ହୋଇଛି। ଏଥିରେ ଏନ୍ଡିଆରଏଫ୍ର ୧୦୦ ଏବଂ ଅଗ୍ନିଶମ ବିଭାଗର ୧୨୦ ଜବାନ ନିୟୋଜିତ ଥିବା ଜଣାପଡ଼ିଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ୧୨ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି।