ଶ୍ରୀକ୍ଷେତ୍ର ଚନ୍ଦନ ଯାତ୍ରା: ଦିନରେ ସରିବ ଚାପ
ପୁରୀ(ଓଟି): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ଚନ୍ଦନ ଯାତ୍ରା। କିନ୍ତୁ ହେବନି ଶ୍ରଦ୍ଧାଳୁଙ୍କ ସମାଗମ। ସେହିପରି ଦିନରେ ସରିବ ଚାପ, ସନ୍ଧ୍ୟା ପୂର୍ବରୁ ଫେରିଯିବେ ଶ୍ରୀଜିଉ। ମହାମାରୀ କରୋନା ଆତଙ୍କ ଯୋଗୁଁ ପ୍ରସିଦ୍ଧ ଚନ୍ଦନଯାତ୍ରା ପାରମ୍ପରିକ ଭାବେ କରାଯିବ କିନ୍ତୁ ଜନଗହଳିକୁ ବାରଣ କରାଯିବ। ସେହିପରି ସାମାଜିକ ଦୂରତା ସହ କଡ଼ା କଟକଣା ମଧ୍ୟରେ ଯାତ୍ରା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏନେଇ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଚନ୍ଦନଯାତ୍ରା ସହ ସମ୍ପୃକ୍ତ ସେବକମାନଙ୍କ ବୈଠକ ହୋଇଯାଇଛି।
ସୂଚନା ଅନୁସାରେ ଆସନ୍ତା ୨୬ରୁ ଆରମ୍ଭ ହେବ ଚନ୍ଦନଯାତ୍ରା। ୨୧ ଦିନର ବାହାର ଚାପ ପାଇଁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ସଅଳ ବାହାରି ବିଜେ କରିବେ। ସେବକମାନେ ମହାପ୍ରଭୁଙ୍କୁ ବିମାନରେ ଆଣିଲାବେଳେ ସାବଧାନତା ଅବଲମ୍ବନ କରିବେ। ମହାପ୍ରଭୁ ନରେନ୍ଦ୍ରରେ ଚାପକୁ ବିଜେ କରିବେ। ତେବେ ଏସବୁ ଶ୍ରଦ୍ଧାଳୁ ଦେଖିବାକୁ ଅନୁମତି ମିଳିବ ନାହିଁ। ଦିନରେ ହିଁ ଚାପ ଖେଳ ସାରି ସନ୍ଧ୍ୟାରେ ଶ୍ରୀମନ୍ଦିରକୁ ବିଜେ କରିବେ ଶ୍ରୀଜିଉ। ପାରମ୍ପରିକ ଭାବେ ସମସ୍ତ ନୀତିକାନ୍ତି ଯଥାରୀତି କରାଯିବ ବୋଲି କୁହାଯାଇଛି।