ରୋଷେଇ – ପୁରଣ ପୁଳି
ଆବଶ୍ୟକୀୟ ସାମଗ୍ରୀ – ୫୦୦ଗ୍ରାମ୍ ହରଡ ଡାଲି, ୨୫୦ ଗ୍ରାମ ଅଟା, ୫୦ ଗ୍ରାମ ମଇଦା, ୭୦୦ ଗ୍ରାମ ଚିନି, ୬ଟି ବଡ଼ ଅଳେଇଚ, ୬ ଖଣ୍ଡ ଡାଲଚିନ୍, ୧ଟି ଜାଇଫଳ, ଟିକେ ଘିଅ ଓ ୫ କପ୍ ପାଣି
ପ୍ରସ୍ତୁତି ପ୍ରଣାଳୀ – ଡାଲିକୁ ଭଲ ଭାବେ ଧୋଇ ୪ କପ୍ ପାଣି ଦେଇ କୁକରରେ ବସାନ୍ତୁ । ଡାଲି ସିଝିବା ଭିତରେ ଅଟା ଓ ମଇଦା ମିଶାଇ ଚକଟି ଦିଅନ୍ତୁ ଏବଂ ଛୋଟ ଛୋଟ ଗୁଳା କରି ରଖନ୍ତୁ । ଜାଇଫଳ, ଅଳେଇଚ ଓ ଡାଲଚିନିକୁ ଗୁଣ୍ଡ କରି ରଖନ୍ତୁ । ଡାଲି ସିଝିବା ପରେ ଆଂଚକୁ କମେଇ ଦିଅନ୍ତୁ । ୫-୧୦ ମିନିଟ୍ ଧିମା ଆଂଚରେ ରଖିବା ପରେ ପ୍ରେସରରୁ ବାହାର କରି ଥଣ୍ଡା ହେବାକୁ ଦିଅନ୍ତୁ । ସମ୍ପୂର୍ଣ୍ଣ ଥଣ୍ଡା ହେବା ପରେ ଡାଲିରୁ ପାଣିକୁ ଛାଣି ଶୁଖାଇ ଦିଅନ୍ତୁ । ଡାଲିରେ ଚିନି ମିଶାଇ ଭଲ ଭାବେ ଘାଣ୍ଟନ୍ତୁ । ସେଥିରେ ଜାଇଫଳ, ଅଳେଇଚ ଓ ଡାଲଚିନ ଗୁଣ୍ଡ ପକାଇ ତାହା ଗାଢା ହେବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ । ଏହାପରେ ସେହି ଡାଲିରେ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ । ପୂର୍ବରୁ ପ୍ରସ୍ତୁତ ହୋଇଥିବା ଅଟାରେ ଛୋଟ ଛୋଟ ରୁଟି ବନାନ୍ତୁ । ଏହାପରେ ଗୋଟିଏ ରୁଟି ଉପରେ ଡାଲି ଗୁଳା ରଖି ତା’ ଉପରେ ଆଉ ଏକ ରୁଟି ରଖନ୍ତୁ । (ପରଟା ଭଳି କରିବେ) । ଏହାପରେ ପରଟା ଭଳି ଘିଅ ଦେଇ ଭାଜନ୍ତୁ । ପ୍ରସ୍ତୁତ ହୋଇଗଲା ପୁରଣ ପୁଳି । ଏହାକୁ କୌଣସି ମିଠା କିମ୍ବା ଚଟଣୀ ସହିତ ବ୍ରେକଫାଷ୍ଟରେ ନେଇପାରିବେ ।