କଂଗ୍ରେସରେ ପ୍ରିୟଙ୍କା ଯୁଗ ଆରମ୍ଭ

ମୋତିଲାଲ ନେହେରୁଙ୍କଠାରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଏବେ ପ୍ରିୟଙ୍କା ଗାନ୍ଧିଙ୍କ ପାଖରେ ପହଞ୍ଚିଛି। ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରାଜୀବ- ସୋନିଆ ତନୟା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ସକ୍ରିୟ ରାଜନୀତିରେ ଯୋଗ ଦେଇଛନ୍ତି। ରାହୁଲ କଂଗ୍ରେସର ଅଧ୍ୟକ୍ଷ ଭାର ସମ୍ଭାଳିଥିବା ବେଳେ ଏବେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି କଂଗ୍ରେସରେ ଯୋଡ଼ି ହୋଇଛନ୍ତି। କଂଗ୍ରେସ ରାଜନୀତି କଥା ଉଠିଲେ ଲୋକଙ୍କ ନଜରକୁ ଗାନ୍ଧି-ନେହେରୁ ପରିବାରର ଛବି ଚାଲିଆସେ। କାରଣ ଦେଶ ସ୍ୱାଧୀନ ହେବା ପୂର୍ବରୁ ଗାନ୍ଧି-ନେହେରୁ ପରିବାର ହାତରେ ହିଁ କଂଗ୍ରେସର ଶାସନ ଡୋର ରହି ଆସିଛି। ୨୦୧୪ ନିର୍ବାଚନ ପରେ କଂଗ୍ରେସ ଯେଉଁ ସଙ୍କଟ ଦେଇ ଗତି କରୁଛି ତାକୁ ସୁଧାରିବା ପାଇଁ ପ୍ରିୟଙ୍କା କଂଗ୍ରେସରେ ଏଣ୍ଟ୍ରି କରିଥିବା କୁହାଯାଉଛି। ୨୦୧୪ ନିର୍ବାଚନ ପରେ ଯେତେବେଳେ କଂଗ୍ରେସ ଶୋଚନୀୟ ପରାଜିତ ହୋଇଥିଲା ସେତେବେଳେ ବରିଷ୍ଠ କଂଗ୍ରେସ ନେତାମାନେ ପ୍ରିୟଙ୍କା ଗାନ୍ଧିଙ୍କୁ ଚାହିଁଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ତାହା ସାକାର ହୋଇଛି।

ବିରୋଧୀଙ୍କୁ ଚେକ୍‌ମେଟ୍‌ଦେବେ ପ୍ରିୟଙ୍କା

୨୦୧୯ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିରୋଧୀ ଦଳଗୁଡ଼ିକ କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କୁ ‘ହାଲୁକା’, ‘ଅପରିପକ୍ୱ’ ଓ ‘ଅସଫଳ’ ରାଜନେତା ଭାବେ ଆକ୍ଷେପ କରି ଯେପରି ଭାବେ ଘେରିବାକୁ ଆରମ୍ଭ କରିଥିଲେ, ତାକୁ ଚେକ୍‌ମେଟ୍‌ଦେବାକୁ ପ୍ରିୟଙ୍କାଙ୍କୁ ସକ୍ରିୟ ରାଜନୀତିକୁ ଅଣାଯାଇଥିବା ଆଲୋଚନା ହେଉଛି। ସକ୍ରିୟ ରାଜନୀତିକୁ ଆସିବା ପରେ ପ୍ରିୟଙ୍କା ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଉତ୍ତରପ୍ରଦେଶରେ ବିଜେପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟକ୍କର ଦେବା ସହ ରାଏବରେଲୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ବୋଲି ଜାଣିବାକୁ ମିଳିଛି। ଦେଶର ଜନସାଧାରଣ ତଥା ଭୋଟରଙ୍କ ମାନସିକତାକୁ ବୁଝି ଯେପରି ତତ୍ପରତା ପ୍ରକାଶ କରିବା କଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ସେ ପ୍ରକାରର ତତ୍ପରତା ପ୍ରକାଶ କରୁ ନଥିବା ଦେଖିବାକୁ ମିଳୁଛି।

ଅନ୍ୟପକ୍ଷରେ, ସଂପ୍ରତି ବିଭିନ୍ନ କାରଣ ଓ ଗଟଣାବଳୀକୁ ନେଇ ଦେଶର ରାଜନୀତି ସରଗରମ ଥିବା ବେଳେ ରାହୁଲ ଦେଶ ଛାଡ଼ି ନିଖୋଜ ହୋଇଯାନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଏବେ କେଉଁଠି? ଏପ୍ରଶ୍ନର ଉତ୍ତର କଂଗ୍ରେସର ବରିଷ୍ଠ ନେତାମାନେ ସୁଦ୍ଧା ଦେବାକୁ ଅସମର୍ଥ ହୋଇଥାନ୍ତି। ଏସବୁ କାରଣକୁ ନେଇ ଦଳର ବରିଷ୍ଠ ନେତାମାନେ ଭିତରେ ଭିତରେ ଅସନ୍ତଷ୍ଟ ହେଉଥିଲେ ସୁଦ୍ଧା ବାହାରକୁ ପ୍ରକାଶ କରିପାରୁ ପାରୁନଥିଲେ।

ଏସବୁ ସତ୍ୟକୁ ହୃଦୟଙ୍ଗମ କରିବା ପରେ ଶେଷରେ କଂଗ୍ରେସର ଉପଦେଷ୍ଟା ତଥା ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତନୟା ପ୍ରିୟଙ୍କାଙ୍କୁ ସକ୍ରିୟ ରାଜନୀତିକୁ ଆଣିଥିବା ଆଲୋଚନା ହେଉଛି। ପ୍ରିୟଙ୍କଙ୍କ ସକ୍ରିୟ ରାଜନୀତିରେ ଯୋଗଦାନ ଘଟଣାକୁ କଟାକ୍ଷ କରି ବିଜେପି ‘ନିର୍ବାଚନ ପୂର୍ବରୁ ରାହୁଲଙ୍କ ପରାଜୟ ସ୍ୱୀକାର’ ବୋଲି କହି କଟାକ୍ଷ କରିଥିବା ବେଳେ ଦେଶର ସାଧାରଣ ଜନତା ଓ ଭୋଟର କିନ୍ତୁ ପ୍ରିୟଙ୍କଙ୍କ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣକୁ ସ୍ୱାଗତ କରିଛନ୍ତି।

କଂଗ୍ରେସକୁ ପ୍ରିୟଙ୍କା କେତେ ପାଇଦା ଦେବେ!

‘କର ବା ମର’ ସ୍ଥିତିରେ ପହଞ୍ଚିଥିବା କଂଗ୍ରେସ ପାର୍ଟି ପାଇଁ ଏହି ରଣନୀତି କେତେଦୂର ସଫଳ ହେବ ସେ କଥା କହିବା ବର୍ତ୍ତମାନଠାରୁ କଷ୍ଟ। ତେବେ ୨୦୧୯ ନିର୍ବାଚନକୁ କଂଗ୍ରେସ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ନେଇଛି। ସକ୍ରିୟ ରାଜନୀତିରେ ପ୍ରିୟଙ୍କା ଯୋଗ ଦେବେ ବୋଲି ଅବଶ୍ୟ ବହୁ ଦିନରୁ ଶୁଣାଯାଉଥିଲା। ହେଲେ ଏଇଟା ହିଁ ଠିକ୍ ସମୟ ଭାବି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଭଉଣୀ ପ୍ରିୟଙ୍କା ଭଦ୍ରାଙ୍କୁ ମଇଦାନରେ ଅବତରଣ କରାଇବା ପାଇଁ ଉଦ୍ୟମ କରିଛନ୍ତି। ସେ ଉତ୍ତରପ୍ରଦେଶର ପଶ୍ଚିମ ଜିଲ୍ଲାମାନଙ୍କର ଦାୟିତ୍ୱରେ ରହିବେ। ଅଚାନକ ପ୍ରିୟଙ୍କା ଗାନ୍ଧିଙ୍କୁ ସକ୍ରିୟ ରାଜନୀତି ଭିତରକୁ ଅଣାଯାଇ ଉତ୍ତରପ୍ରଦେଶ ଭଳି ଏକ ସମ୍ବେଦନଶୀଳ ରାଜ୍ୟର ରାଜନୀତି ସହିତ ଯୋଡ଼ିବା ଘଟଣାକୁ ରାହୁଲ ଗାନ୍ଧିଙ୍କ ଏକ ମାଷ୍ଟରଷ୍ଟ୍ରୋକ ବୋଲି କୁହାଯାଉଛି।

ଯେଉଁସବୁ ଜିଲ୍ଲା ଦାୟିତ୍ୱରେ ପ୍ରିୟଙ୍କାଙ୍କୁ ରଖାଯାଇଛି ସେଠି କଂଗ୍ରେସର ସ୍ଥିତି ଏକରକମ ଭଲ। ଫୁଲପୁର ଲୋକସଭା ନିର୍ବାଚନମଣ୍ଡଳୀରେ ଏକଦା ପ୍ରଧାନମନ୍ତ୍ରୀ ନେହେରୁ ପ୍ରାର୍ଥୀ ହୋଇଥିଲେ ଓ ଏଠାରୁ ଜିତି ସାଂସଦ ହୋଇଥିଲେ। ଠିକ୍ ସେହିଭଳି ଆହ୍ଲାବାଦ, ମିର୍ଜାପୁର, ବାରଣାସୀ, ପ୍ରତାପଗଡ଼ ଆଦି ଆସନରେ କଂଗ୍ରେସର କିଛି ପ୍ରତିଶତ ଭୋଟ ଅଛି।

କର୍ମୀ ଓ ନେତାଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି

କୁହାଯାଉଛି ଯେ ପ୍ରିୟଙ୍କାଙ୍କ ରାଜନୀତିରେ ପ୍ରବେଶ କରିବା ପରେ ଉତ୍ତରପ୍ରଦେଶରେ କର୍ମୀ ଓ ନେତାଙ୍କ ମଧ୍ୟରେ ଏକ ପ୍ରକାର ନୂଆ ଉତ୍ସାହ ସୃଷ୍ଟି ହେବ। ପ୍ରିୟଙ୍କା ଗାନ୍ଧି ଭଦ୍ରା ଏଭଳି ସମୟରେ କଂଗ୍ରେସ ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି ଯେତେବେଳେ କି ଉତ୍ତର ପ୍ରଦେଶରେ ବହୁଜନ ସମାଜ ପାର୍ଟି ଓ ସମାଜବାଦୀ ପାର୍ଟି ମଧ୍ୟରେ ଆସନ ବୁଝାମଣା ହୋଇଛି। କିନ୍ତୁ ମହାମେଣ୍ଟରେ କଂଗ୍ରେସକୁ ଜାଗା ମିଳିନାହିଁ।

ବିଗତ କିଛି ଦିନ ଧରି କଂଗ୍ରେସ ନେତାମାନେ କହିଆସୁଛନ୍ତି ଯେ ୨୦୧୯ରେ ଦଳ ତାର କରିସ୍ମା ଦେଖାଇବ। ପ୍ରିୟଙ୍କାଙ୍କ ରାଜନୀତିରେ ପ୍ରବେଶ ସେହି ରଣନୀତିର ଅଂଶବିଶେଷ ବୋଲି କୁହାଯାଉଛି। ରାଜନୈତିକ ଟିପ୍ପଣୀକାରଙ୍କ ମତରେ ପୂର୍ବ ଉତ୍ତରପ୍ରଦେଶରେ କଂଗ୍ରେସର ସ୍ଥିତି ଅପେକ୍ଷାକୃତ ଦୁର୍ବଳ ରହିଥିବାରୁ ପ୍ରିୟଙ୍କା ଯୋଗ ଦେବା ପରେ ସେହି ସ୍ଥିତିରେ ନିଶ୍ଚିତ ଭାବରେ ପରିବର୍ତ୍ତନ ଆସିବ।

Leave a Reply

Your email address will not be published. Required fields are marked *