ଉତ୍ତର ପ୍ରଦେଶରେ ମୋଦି-ପ୍ରିୟଙ୍କା ଫାଇଟ

କଂଗ୍ରେସ ପ୍ରତିକ୍ଷାର ଅନ୍ତ ଘଟିଲା । ମୋଦିଙ୍କୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଲେ ପ୍ରିୟଙ୍କା ଗାନ୍ଧୀ । ଦଳର ଉତ୍ତର ପ୍ରଦେଶ ସଂଗଠନ ଦାଇତ୍ୱ ନେଲେ । ଫେବୃଆରୀରୁ ସେ ପୂର୍ବ ଉତ୍ତର ପ୍ରଦେଶ ପାଇଁ ଏଆଇସିସି ସାଧାରଣ ସମ୍ପାଦକ ଭାବେ ଦାଇତ୍ୱ ନେବେ । ଏନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୋନିଆଙ୍କ ପରେ ପ୍ରିୟଙ୍କା ରାଜନୀତିକୁ ଓହ୍ଲାଇବାକୁ ଦଳର ବରିଷ୍ଠ ନେତାମାନେ ଅନୁରୋଧ କରିଥିଲେ । କିନ୍ତୁ ପ୍ରିୟଙ୍କା ରାଜନୀତିକୁ ଓହ୍ଲାଇ ନଥିଲେ । ଉତ୍ତର ପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଯୋଗୀଙ୍କୁ ଟକ୍କର ଦେବେ ପ୍ରିୟଙ୍କା । ଏଥିସହ ସେ ଧୀରେ ଧୀରେ ଅନ୍ୟ ରାଜ୍ୟରେ ମଧ୍ୟ ପ୍ରଚାରକୁ ଯିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।

ବ୍ୟାକଫୁଟରେ ନୁହେଁ; ଫ୍ରଣ୍ଟଫୁଟରୁ ଖେଳିବୁ : ରାହୁଲ

ଲୋକସଭା ନିର୍ବାଚନ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀଙ୍କ ସକ୍ରିୟ ରାଜନୀତିରେ ଓହ୍ଲାଇବାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜର ପକ୍ଷ ରଖିଛନ୍ତି । ସେ କହିଛନ୍ତି କି, ଆମେ ବ୍ୟାକଫୁଟରେ ନୁହେଁ ଫ୍ରଣ୍ଟଫୁଟରୁ ଖେଳିବୁ । ୟୁପିରେ କଂଗ୍ରେସର ବିଚାରଧାରା କାଏମ ରଖିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବୁ । ତେବେ ରାହୁଲ ଗାନ୍ଧୀ ନିଜ ସଂସଦୀୟ କ୍ଷେତ୍ର ଆମେଠିକୁ ଏକ ଦିନିଆ ଗସ୍ତରେ ପହଞ୍ଚିଛନ୍ତି । ଆମେଠିରେ ପହଞ୍ଚିବା ପୂର୍ବରୁ ସେ ବଡ ଗେମ ଖେଳିଛନ୍ତି । ଗଣମାଧ୍ୟମରେ କହିଛନ୍ତି କି, ମାୟାବତୀ ଏବଂ ଅଖିଳେଶଙ୍କ ସହ ତାଙ୍କର କୌଣସି ଶତ୍ରୁତା ନାହିଁ । 

ଋାହୁଲ କହିଛନ୍ତି କି, ମୁଁ ବ୍ୟକ୍ତିଗତ ଭାବେ ଖୁସୀ ଅଛି । ମୋ ଭଉଣୀ କର୍ମଠ ଏବଂ ସକ୍ଷମ । ସେ ଏବେ ମୋ ସହିତ କାମ କରିବେ । ଏଭଳି ବଡ ନିଷ୍ପତ୍ତି ନେବା ପଛର କାରଣ ହେଛି ଆମେ ବ୍ୟାକ ଫୁଟରୁ ନୁହେଁ ଫ୍ରଣ୍ଟଫୁଟରୁ ଖେଳିବୁ । ସେହି ସମୟରେ ପ୍ରୟଙ୍କା ଗାନ୍ଧୀଙ୍କୁ ନିର୍ବାଚନ ଲଢାଇବା ପଛର କାରଣ ପ୍ରଶ୍ନରେ ସେ କହିଛନ୍ତି କି, ୟୁପିରେ କଂଗ୍ରେସର ବିଚାରଧାରାକୁ ମଜବୁତ କରିବା ପାଇଁ ଏଭଳି ନିଷ୍ପତି ନିଆଯାଇଛି । ଜ୍ୟୋତିରାଦିତ୍ୟ ଏବଂ ପ୍ରିୟଙ୍କା ଦୁହେଁ ମିଶି ସେଠାରେ କଂଗ୍ରେସକୁ ମଜବୁତ କରିବେ ବୋଲି ରାହୁଙ୍କର ଆଶା ରହିଛି । 

ରାହୁଲ ପୁଣି କହିଛନ୍ତି କି, ମାୟାବତୀ ତାଙ୍କ ମହାମେଣ୍ଟରେ ସାମିଲ କଲେ ନାହିଁ । ଏହା ତାଙ୍କର ନିଷ୍ପତ୍ତି । କିନ୍ତୁ ଆମ ହୃଦୟରେ ତାଙ୍କ ପାଇଁ ଭଲପାଇବା ରହିଛି । ଆମେ ତିନି ଦଳ ବିଜେପିକୁ ହରେଇବାକୁ ଚେଷ୍ଟା କରୁଛୁ । ମାୟାବତୀ, ଅଖିଳେଶ ଏବଂ ମୋ ବିଚାରଧାରାରେ ସମାନତା ରହିଛି । ତାଙ୍କର ଯେଉଁଠାରେ ଆମର ସହାୟତା ଆବଶ୍ୟକ ହେବ ଆମେ କରିବୁ । ୟୁପିରେ କଂଗ୍ରେସର ସ୍ଥାନ ନିରୂପଣ କରିବା ଆମର କର୍ତ୍ତବ୍ୟ । ବିଜେପି ସରକାର ୟୁପିକୁ ବରବାଦ କରି ଦେଇଛନ୍ତି । ତାଙ୍କୁ ହଟେଇବା ପାଇଁ ସେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ଏବଂ କହିଛନ୍ତି କି, ତାଙ୍କୁ ହଟେଇ ଆମ ସରକାର ଆଣନ୍ତୁ ଆମେ ନୂଆ ଦେଶ ଗଠନ କରିବୁ ।

ସ୍ୱାମୀ ରବର୍ଟ ଭଦ୍ରାଙ୍କ ଶୁଭେଚ୍ଛା

କେବଳ ରାହୁଲ ନୁହନ୍ତି, ସ୍ୱାମୀ ରବର୍ଟ ଭଦ୍ରା ମଧ୍ୟ ପ୍ରିୟଙ୍କାଙ୍କ ରାଜନୀତିରେ ପ୍ରବେଶକୁ ନେଇ ଫେସ୍‌ବୁକ୍‌ରେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ମୁଁ ସବୁ ସମୟରେ ତୁମ ସହ ରହିଛି । ତୁମେ ଏହି କ୍ଷେତ୍ରରେ ଭଲ ପ୍ରଦର୍ଶନ କର ବୋଲି ଲେଖିଥିବା ଦେଖାଯାଇଛି । ପୂର୍ବ ଉତ୍ତରପ୍ରଦେଶର ସାଧାରଣ ସଂପାଦକ ଭାବରେ ପ୍ରିୟଙ୍କା ଗାନ୍ଧୀଙ୍କୁ ନିଯୁକ୍ତି ଦିଆ ଯାଇଥିବା ବେଳେ ପଶ୍ଚିମ ଉତ୍ତରପ୍ରଦେଶର ସାଧାରଣ ସଂପାଦକ ଭାବରେ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆଙ୍କୁ ନିଯୁକ୍ତି ଦିଆଯାଇଛି ।

ରାହୁଲ ଫେଲ୍ ମାରିବାରୁ ପ୍ରିୟଙ୍କାଙ୍କୁ କଂଗ୍ରେସ ଆଗକୁ ଆଣିଲା : ବିଜେପି

ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତ୍ୟକ୍ଷ  ରାଜନୀତି ମଇଦାନକୁ ପ୍ରବେଶ ନେଇ ବିଜେପି କଡା ପ୍ରତିକ୍ରିୟା ଦେଇଛି ।  ବିଜେପି ମୁଖପାତ୍ର ସମ୍ବିତ ପାତ୍ର  କଂଗ୍ରେସର ଏହି ନିଷ୍ପତ୍ତିକୁ ପରିବାରବାଦ ସହିତ ଯୋଡି କଂଗ୍ରେସର ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ  ଆଜି ପୁଣି ଥରେ ପ୍ରମାଣିତ ହୋଇଛି ଯେ  କଂଗ୍ରେସ ଏକ ପରିବାରବାଦ ପାର୍ଟି , କାରଣ ଆଜି ପାର୍ଟିର ଆଉ ଜଣେ ସଦସ୍ୟଙ୍କ ରାଜାଭିଷେକ ହୋଇଛି । ପ୍ରିୟଙ୍କାଙ୍କୁ ରାଜନୀତିକୁ ଆଣିବା ଅର୍ଥ ରାହୁଲ ଗାନ୍ଧୀ ବିଫଳ ହୋଇଥିବା କହିଛନ୍ତି ପାତ୍ର । ସେ କହିଛନ୍ତି ଯେ, ଦଳର ଏହି ନିଷ୍ପତ୍ତି ଏହା ଦର୍ଶାଉଛି ଯେ, ସାର୍ବଜନୀନ ରୂପେ ରାହୁଲ ଗାନ୍ଧୀ ବିଫଳ ହୋଇଛନ୍ତି। ଏହି କାରଣରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ବୈଶାଖୀ ପରି ଆଗକୁ ଅଣାଯାଇଛି ।

Leave a Reply

Your email address will not be published.