ସର୍ଭେ: ବିଜେପିକୁ ବିପଦ ପ୍ରିୟଙ୍କା
ଗାନ୍ଧୀ ପରିବାରର କନ୍ୟା ପ୍ରିୟଙ୍କା ସକ୍ରିୟ ରାଜନୀତିକୁ ଆସିବା ପରେ ଆଗାମୀ ଲୋକସଭା ନିର୍ବାଚନରେ ଏହାର ପ୍ରଭାବ କ’ଣ ରହିବ? କଂଗ୍ରେସକୁ ଲାଭ ମିଳିବ କି କ୍ଷତି ହେବ ଅଥବା କୌଣସି ପ୍ରଭାବ ପଡ଼ିବ ନାହିଁ? ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସର ସାଧାରଣ ସମ୍ପାଦକ ସହିତ ପୂର୍ବ ଉତ୍ତରପ୍ରଦେଶର ସଂଗଠନ ଦାୟିତ୍ୱ ଦିଆଯିବା ପରେ ଲୋକମାନଙ୍କ ମନରେ ଏହିସବୁ ପ୍ରଶ୍ନ ଉଠିବାରେ ଲାଗିଛି। ଏହିସବୁ ପ୍ରଶ୍ନର ସମାଧାନ ପାଇଁ ଏବିପି ନ୍ୟୁଜ୍ ଓ ସି-ଭୋଟର ପକ୍ଷରୁ ସର୍ଭେ କରାଯାଇ ଉତ୍ତର ଖୋଜାଯାଇଛି। ଏହି ସର୍ଭେରେ ଅନେକ ପ୍ରଶ୍ନର ଉତ୍ତର ରହିଛି। ସର୍ଭେ ରିପୋର୍ଟ ଅନୁସାରେ ପ୍ରିୟଙ୍କା ରାଜନୀତିକୁ ଆସିବା ପରେ କଂଗ୍ରେସକୁ ଆଗାମୀ ଲୋକସଭା ନିର୍ବାଚନରେ ଫାଇଦା ହେବ। ବିଜେପି ପକ୍ଷରୁ ପ୍ରିୟଙ୍କାଙ୍କ ବିରୋଧରେ ପ୍ରଚାର କରାଗଲେ ଏହା ବିଜେପି ପାଇଁ କ୍ଷତିରେ ପରିଣତ ହେବ।
ସର୍ଭେରେ କରାଯାଇଥିବା ପ୍ରଶ୍ନର ଉତ୍ତର

ପ୍ରିୟଙ୍କା ରାଜନୀତିକୁ ଆସିବା ପରେ କଂଗ୍ରେସକୁ କିପରି ଫାଇଦା ମିଳିବ? ଏହି ପ୍ରଶ୍ନର ଉତ୍ତରରେ ସର୍ଭେରେ ଭାଗ ନେଇଥିବା ୫୦ ପ୍ରତିଶତ ଲୋକଙ୍କ ଉତ୍ତର ଥିଲା ସମଗ୍ର ଦେଶରେ କଂଗ୍ରେସକୁ ଫାଇଦା ମିଳିବ। ୧୮ ପ୍ରତିଶତ ଲୋକଙ୍କ ମତରେ କେବଳ ଉତ୍ତରପ୍ରଦେଶରେ ଫାଇଦା ମିଳିବ। ୨୪ ପ୍ରତିଶତ ଲୋକଙ୍କ ମତରେ କୌଣସି ସ୍ଥାନରେ କଂଗ୍ରେସକୁ ଫାଇଦା ମିଳିବ ନାହିଁ।
ପ୍ରିୟଙ୍କା ରାଜନୀତିକୁ ଆସିବା ପରେ ବିଜେପିକୁ ଫାଇଦା ମିଳିବ କି ବୋଲି ପ୍ରଶ୍ନର ଉତ୍ତରରେ ୫୧ ପ୍ରତିଶତ ଲୋକ ନାହିଁ ବୋଲି କହିଥିବାବେଳେ ୪୧ ପ୍ରତିଶତ ଲୋକ ହଁ ବୋଲି କହିଛନ୍ତି। ୫ ପ୍ରତିଶତ ଲୋକ କିଛି ଜାଣି ନଥିବା କହିଛନ୍ତି।
ପ୍ରିୟଙ୍କାଙ୍କ ବିରୋଧରେ ମନ୍ତବ୍ୟ ବିଜେପିକୁ କ୍ଷତି ହେବ କି ବୋଲି ପ୍ରଶ୍ନର ଉତ୍ତରରେ ୭୧ ପ୍ରତିଶତ ଲୋକ ହଁ ବୋଲି କହିଛନ୍ତି। ୨୩ ପ୍ରତିଶତ ଲୋକ ନାହିଁ ବୋଲି କହିଛନ୍ତି।୬ ପ୍ରତିଶତ ଲୋକ କୌଣସି ମତାମତ ଦେଇ ପାରିନାହାଁନ୍ତି।
ରାହୁଲ ରାଜନୀତିରେ ବିଫଳ

ସର୍ଭେ ରିପୋର୍ଟ ଅନୁସାରେ ୫୦ପ୍ରତିଶତ ଲୋକଙ୍କ ମତରେ ରାହୁଲ ରାଜନୀତିରେ ବିଫଳ ହୋଇଯିବା ପରେ ପ୍ରିୟଙ୍କା ରାଜନୀତିକୁ ଆସିଛନ୍ତି। କିନ୍ତୁ ୪୬ ପ୍ରତିଶତ ଲୋକ ଏହି କଥାରେ ସହମତ ହୋଇନାହାଁନ୍ତି। ୪ ପ୍ରତିଶତ ଲୋକ କୌଣସି ମତାମତ ଦେଇପାରିନାହାଁନ୍ତି।
ପ୍ରିୟଙ୍କା କେଉଁ ରାଜନୈତିକ ଦଳର କ୍ଷତି କରିବେ ବୋଲି ପ୍ରଶ୍ନର ଉତ୍ତରରେ ୫୨ ପ୍ରତିଶତ ଲୋକ ବିଜେପିର ବୋଲି କହିଛନ୍ତି। ୩୨ ପ୍ରତିଶତ ଲୋକ ମହାମେଣ୍ଟର ବୋଲି କହିଥିବାବେଳେ ୮ ପ୍ରତିଶତ ଲୋକ କାହାର ନୁହେଁ ବୋଲି କହିଛନ୍ତି।
ରାଜନୀତିକୁ ଆସିବାରେ ବିଳମ୍ୱ
ପ୍ରିୟଙ୍କା ରାଜନୀତିକୁ ଆସିବା ପାଇଁ ଅନେକ ଦିନରୁ କଂଗ୍ରେସ କର୍ମୀମାନେ ଦାବି କରିଆସୁଥିଲେ। ଏହି ସର୍ଭେରେ ଆଉ ଏକ ପ୍ରଶ୍ନ କରାଯାଇଥିଲା କି ପ୍ରିୟଙ୍କା ବିଳମ୍ୱରେ ରାଜନୀତିକୁ ଆସିଛନ୍ତି। ଏହି ପ୍ରଶ୍ନର ଉତ୍ତରରେ ୭୪ ପ୍ରତିଶତ ଲୋକ ବିଳମ୍ୱ ହୋଇଛି ବୋଲି ସହମତ ହୋଇଛନ୍ତି। ୨୧ ପ୍ରତିଶତ ଲୋକ ବିଳମ୍ୱ ହୋଇନାହିଁ ବୋଲି କହିଛନ୍ତି। ୫ ପ୍ରତିଶତ ଲୋକ କୌଣସି ମତାମତ ଦେଇପାରନାହାଁନ୍ତି।
ପ୍ରଧାନମନ୍ତ୍ରୀ ହେବାର କ୍ଷମତା
ପ୍ରିୟଙ୍କାଙ୍କଠାରେ ପ୍ରଧାନମନ୍ତ୍ରୀ ହେବାର କ୍ଷମତା ଅଛି କି ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ୫୬ ପ୍ରତିଶତ ଲୋକ ହଁ ବୋଲି କହିଥିବାବେଳେ ୨୬ ପ୍ରତିଶତ ଲୋକ ନାହିଁ ବୋଲି କହିଛନ୍ତି। ୧୫ ପ୍ରତିଶତ ଲୋକ କୌଣସି ଉତ୍ତର ଦେଇପାରିନାହାଁନ୍ତି।