ପିସିଙ୍କ ବାର୍ଥ ଡେ’ କେକର ଦାମ୍ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ, ପ୍ରସ୍ତୁତ ହେବା ପାଇଁ ଲାଗିଥିଲା ୨୪ ଘଣ୍ଟା
ନିକଟ ଅତୀତରେ ପିସି ତାଙ୍କର ୩୭ତମ ଜନ୍ମଦିନ ପାଳନ କରିଥିଲେ । ନିକଙ୍କ ସହିତ ବିବାହ ପରେ ଏହା ତାଙ୍କର ପ୍ରଥମ ଜନ୍ମଦିନ ହୋଇଥିବାରୁ ପିସିଙ୍କ ମା’ ମଧୁ ଚୋପ୍ରା ଓ ଶାଶୁଘର ପକ୍ଷରୁ ଏହାକୁ ବେଶ୍ ଖାସ୍ କରିବା ପାଇଁ ଗୋଟିଏ ସପ୍ତାହ ପୂର୍ବରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥିଲା । ମିଆମିରେ ହୋଇଥିବା ଏହି ବାର୍ଥ ଡେ’ ପାର୍ଟିର ମୁଖ୍ୟ ଆକର୍ଷଣ ଥିଲା ପିସିଙ୍କ ଡ୍ରେସ୍ ଓ ମଥାରେ ଝଟକୁଥିବା ସିନ୍ଦୁର । ଏହା ସହିତ ପାର୍ଟିର ଆଉ ଏକ ବିଶେଷତ୍ୱ ଥିଲା ପିସିଙ୍କ ବାର୍ଥ ଡେ’ କେକ୍ । ଏହି ଥାକ ଥାକ କେକ୍ ଏବେ ସୋସିଆଲ୍ ମିଡିଆରେ ଚହଳ ପକାଇଛି । କେକ୍ ସମ୍ପର୍କରେ ଏବେ କିଛି ବିଶେଷ ଖବର ଆସିଛି ।
ଖବର ଅନୁଯାୟୀ ଏହି କେକ୍ ପ୍ରସ୍ତୁତ କରିବା ପାଇଁ ୨୪ ଘଣ୍ଟା ସମୟ ଲାଗିଥିବାବେଳେ ଏହାର ଦାମ୍ ଥିଲା ୩ ଲକ୍ଷ ୪୫ ହଜାର ଟଙ୍କା । ମିଆମିର ଏକ ବେକରି ସପ୍ ‘ଡିଭାଇନ୍ ଡେଲିକେସି ବେକରି’ ଏହି କେକ୍ ପ୍ରସ୍ତୁତ କରିଥିଲେ । ପିସିଙ୍କ ବାର୍ଥ ଡେ’ ଡ୍ରେସକୁ ମ୍ୟାଚ୍ କରି କେକରେ ରେଡ୍ ଓ ଗୋଲଡ୍ ଡିଜାଇନ୍ କରାଯାଇଥିଲା । ଏହାର ଫଟୋ ଏବେ ଇନଷ୍ଟାଗ୍ରାମରେ ଭାଇରାଲ୍ ହେବାରେ ଲାଗିଛି । ଏହି ବେକରି ସପ୍ ଟମ୍ କ୍ରୁଜ୍ ଓ ଜେନିଫର୍ ଲୋପେଜଙ୍କ ଭଳି ଇଣ୍ଟରନ୍ୟାସନାଲ୍ ତାରକାଙ୍କ ପାଇଁ ମଧ୍ୟ କେକ୍ ପ୍ରସ୍ତୁତ କରିସାରିଛି ।