ପ୍ରିୟଙ୍କାଙ୍କ ପରେ ପ୍ରିୟଦର୍ଶିନୀ
କଂଗ୍ରେସ ରାଜନୀତିକୁ ପ୍ରିୟଙ୍କା ଗାନ୍ଧୀଙ୍କ ପରେ ଆଉ ଜଣେ ପ୍ରଭାବଶାଳୀ ମହିଳା ତଥା ରାଜ ପରିବାରର ବୋହୁ ପ୍ରବେଶ କରିବାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ମହିଳା ମଧ୍ୟପ୍ରଦେଶ ରାଜପରିବାରର। ମଧ୍ୟପ୍ରଦେଶ ସିନ୍ଧିଆ ପରିବାରର ବୋହୁ ପ୍ରିୟଦର୍ଶିନୀ ରାଜେ ସିନ୍ଧିଆ ନିର୍ବାଚନ ଲଢ଼ିବା ଦାବି ଜୋର ଧରିବାରେ ଲାଗିଛି। ମଧ୍ୟପ୍ରଦେଶ କଂଗ୍ରେସ ନେତାଙ୍କ କହିବା ଅନୁସାରେ ଆଗାମୀ ନିର୍ବାଚନରେ ଦଳର ରାଷ୍ଟ୍ରୀୟ ମହାସଚିବ ଜ୍ୟୋତିରାଦିତ୍ୟ ସିନ୍ଧିଆ ଯଦି ଗୁନା ଲୋକସଭା ଆସନରୁ ନିର୍ବାଚନ ନ ଲଢ଼ନ୍ତି, ତେବେ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ରାଜେ ସିନ୍ଧିଆଙ୍କୁ ପ୍ରାର୍ଥୀ କରାଯାଉ।

ଆଗାମୀ ନିର୍ବାଚନରେ ଜ୍ୟୋତିରାଦିତ୍ୟ ଗୁନା ଆସନ ପରିବର୍ତ୍ତ ଅନ୍ୟ ଆସନରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଆଲୋଚନା ହେଉଛି। ଗୁନା ଆସନ ସିନ୍ଧିଆ ପରିବାରର ଗଢ଼ ହୋଇଥିବାରୁ ଏହି ଆସନରୁ ଜ୍ୟୋତିରାଦିତ୍ୟଙ୍କ ପତ୍ନୀ ପ୍ରିୟଦର୍ଶନୀଙ୍କୁ ଲଢ଼ାଇବାକୁ କର୍ମୀମାନେ ଦାବି କରୁଛନ୍ତି। ଏହି ଆସନରୁ ମାଧବ ରାଓ ସିନ୍ଧିଆ ୧୯୭୧ରୁ ୯ଥର ସାସଦ ନିର୍ବାଚିତ ହୋଇଛନ୍ତି।