ସରକାରଙ୍କୁ ଚୂନ: ଭିଡିଓ ପ୍ରସ୍ତୁତ ନାଁରେ ସରକାରୀ ଅର୍ଥ ହରିଲୁଟ୍‍, ସଚିବ ଓ ପରାମର୍ଶଦାତା ପାଉନାହାନ୍ତି ଟେର୍‌

ଭୁବନେଶ୍ଵର, (ଓଟି):  ଦିନ ଦି’ପ୍ରହରରେ ଲୁଟ୍‌ ଭଳି ସରକାରଙ୍କୁ ଚୂନ ଲଗାଉଛନ୍ତି କିଛି ଅନାମଧନ୍ୟ ଭିଡିଓ ପ୍ରଡ୍ୟୁସର। କିଛି ନିର୍ଦିଷ୍ଟ ସରକାରୀ ଅଧିକାରୀଙ୍କ ନାଁ ନେଇ ସେମାନେ ଲୁଟି ଚାଲିଛନ୍ତି ସରକାରୀ ବିଜ୍ଞାପନ ବାବଦ ଅର୍ଥ।  ଯେଉଁ ଅର୍ଥରେ ବିଭିନ୍ନ ଛୋଟ ବଡ ଖବରକାଗଜ ଓ ଖବର ପ୍ରସାରଣ କରୁଥିବା ୱେବପୋର୍ଟାଲ ଓ ଟେଲିଭିଜନ୍‍ ସଂସ୍ଥା ମାଧ୍ୟମରେ ସରକାରୀ ସୂଚନା ଓଡ଼ିଶାର ପ୍ରତି ବର୍ଗ ପାଖରେ ପହଞ୍ଚିପାରି ଥାଆନ୍ତା ସେହି ଅର୍ଥକୁ କିଛି ପସନ୍ଦିତ ହାତ ଗଣତି ଲୋକ ଏବେ ଏଭଳି ଢଙ୍ଗରେ ହାତେଇ ନେଇଯାଉଛନ୍ତି ଯେ ତାହାର ଟେର ଅନେକଙ୍କୁ ମିଳୁନାହିଁ । ସରକାରଙ୍କ ଆଖିକାନ କୁହାଯାଉଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ସବୁ ଜାଣୁଥିଲେ ବି ଚୁପ୍‍ ରହୁଛି । ଏପରିକି ରାଜ୍ୟର ମୁଖ୍ୟ ସଚିବ ଓ ସୂଚନା ଓ ଲୋକସମ୍ପର୍କ ବିଭାଗର ଶାସନ ସଚିବଙ୍କ ନିର୍ଦେଶ ତଥା ତାଗିଦକୁ ଏହାଦ୍ୱାରା କ୍ଷୁଣ୍ଣ କରାଯାଉଛି । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ବି ଏଥିରେ ଅଜଣା ରହିଛନ୍ତି। 

କଥା ହେଉଛି କିଛି ସ୍ୱିକୃତୀ ବିହୀନ ଅନାମଧନ୍ୟ ସଂସ୍ଥା ନିଜକୁ ଭିଡିଓ ପ୍ରଡ୍ୟୁସର ବୋଲି ଆଖ୍ୟାୟିତ କରି ବିଭିନ୍ନ ସରକାରୀ ଯୋଜନା, କାର୍ଯ୍ୟକ୍ରମ, ଗସ୍ତ ଆଦିର ଭିଡିଓ ପ୍ରସ୍ତୁତ କରିବାକୁ ବିଭିନ୍ନ ନିର୍ଦେଶାଳୟ ଏବଂ ବିଭାଗକୁ ପ୍ରସ୍ତାବ ଦେଉଛନ୍ତି । ଏପରିକି ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର କିଛି ଅଧିକାରୀ ପ୍ରୋତ୍ସାହନ ଦେଉଛନ୍ତି ବୋଲି କହି ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ଉପରେ ଚାପ ପକାଉଛନ୍ତି । ଏମିତିକି ପୂର୍ବରୁ କେବେ କୌଣସି ଟେଲିଭିଜନ୍‍ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ନଥିବା ଏହି ପ୍ରଯୋଜକମାନେ ନିଜକୁ ସାମ୍ବାଦିକ ପରିଚୟ ଦେଇ ଅଧିକାରୀଙ୍କ ଉପରେ ଚାପ ପକାଉଛନ୍ତି । ଆଉ ଗୋଟିଏ ମିନିଟ୍‍ ଭିଡିଓ ପ୍ରସ୍ତୁତ କରି ୧ ଲକ୍ଷରୁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ରାଜକୋଷରୁ ଗ୍ରହଣ କରୁଛନ୍ତି । ସବୁଠାରୁ ବଡ କଥା ହେଉଛି ସରକାରୀ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଦାୟିତ୍ୱରେ ଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଏ ବାବଦରେ କେହି ପଚାରୁ ନାହାନ୍ତି । ବିଭାଗରେ ଅଭିଜ୍ଞ ବିଶେଷଜ୍ଞମାନେ ଥିଲେ ବି ସେମାନଙ୍କୁ ଏହି କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଉଛି । ଯଦି ଏହିଭଳି ଭିଡିଓକୁ ବିଜ୍ଞାପନ ଆକାରରେ ଗ୍ରହଣ କରାଯାଏ ତେବେ ଏଥିରେ ରାଜ୍ୟ ସୀରକାରଙ୍କ ସମସ୍ତ ନିୟମକୁ ଖୋଲାଖୋଲି ଜଳାଞ୍ଜଳୀ ଦିଆଯାଉଛନ୍ତି । ସେପଟେ ବିଜ୍ଞାପନ ବିଭାଗକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ଦୀର୍ଘ ଦିନ ହେଲା କସରତ ଚଳାଇଥିବା ସୂଚନା ଲୋକସମ୍ପର୍କ ବିଭାଗର ଶାସନ ସଚିବଙ୍କୁ ଭୁଆଁ ବୁଲାଉଛନ୍ତି ।
କେଉଁ ବିଭାଗରୁ ଲୁଟ୍‍ ହେଉଛି

ପଞ୍ଚାୟତିରାଜ ଓ ପାନୀୟଜଳ, ପୂର୍ତ୍ତ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଦି ବିଭାଗ ଏହି ଲୁଟ୍‍ର ମାଧ୍ୟମ ପାଲଟିଛନ୍ତି । ସମ୍ପୃକ୍ତ ବିଭାଗ ଗୁଡିକର କୌଣସି କାର୍ଯ୍ୟକ୍ରମ ହେଲେ ତାହାର ଭିଡିଓ ତିଆରି ହେଉଛି । ଏହାକୁ କିଏ କେତେବେଳେ କେଉଁଠି ଦେଖୁଛି ଓ ଏହାର କେତେ ପ୍ରଚାର ହେଉଛି ତାହାର ହିସାବ କାହାରି ପାଖରେ ନାହିଁ । ଟଙ୍କା ଦେଉଥିବା ଅଫିସର ଓ ଭିଡିଓ ତିଆରି କରୁଥିବା ସଂସ୍ଥା ଦେଖିଦେଲାପରେ କାମ ସରିଯାଉଛି । ଅବସ୍ଥା ଏଭଳି ହେଲାଣି ଯେ ଉଦ୍‍ଘାଟନ ଓ ଶିଳାନ୍ୟାସର ବି ଭିଡିଓ ତିଆରି ହେଉଛି । ବନ୍ୟା ବାତ୍ୟା ହେଲେ ତ ଭିଡିଓ ତିଆରି କରୁଥିବା ସଂସ୍ଥାର କଚେପୁଅ ବାର ଅବସ୍ଥା । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ବିଭାଗମାନେ ଏଭଳି ପ୍ରଚାର ପ୍ରଚାର ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ବି ପଚାରୁ ନାହାନ୍ତି । ସିଧାସଳଖ ଏହି ଭିଡିଓ ତିଆରି କରୁଥିବା ସଂସ୍ଥାକୁ ବିନା ଟେଣ୍ଡରରେ ଲକ୍ଷାଧିକ ଟଙ୍କା ଦେବାରେ ଲାଗିଛନ୍ତି ।


କ୍ଷୁଦ୍ର ଓ ମଧ୍ୟମ ଗଣମାଧ୍ୟମକୁ ଧିକ୍କାର

ଭିଡିଓ ତିଆରି ମାଧ୍ୟମରେ ସରକାରୀ ଅର୍ଥ ଲୁଟ୍‍ କରୁଥିବା କିଛି ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ଯୋଗୁଁ ରାଜ୍ୟରେ ପ୍ରସାରିତ ଅନେକ ଛୋଟ ଛୋଟ ଗଣମାଧ୍ୟମ ଏବେ ସରକାରୀ ସହାୟତା ପାଇବାରୁ ବଞ୍ଚିତ । କାରଣ ଯେଉଁ ବିଭାଗକୁ ବିଜ୍ଞାପନ ପାଇଁ ପ୍ରସ୍ତାବଟିଏ ଦେଲେ ସମସ୍ତଙ୍କର ଗୋଟିଏ ଉତ୍ତର -ଆମ ପାଖରେ ଆଉ ଟଙ୍କା ନାହିଁ । ହେଲେ ଟଙ୍କା ଯାଉଛି କୁଆଡେ ? ଅନୁସନ୍ଧାନରୁ ଜଣାଯାଇଛି ସବୁ ଟଙ୍କା ଏହି ଭିଡିଓ ବାବଦରେ ଉଡ଼ିଯାଉଛି । ଯାହା ବଳୁଛି ହାତଗଣତି କେତୋଟି ସଂସ୍ଥାକୁ ବିଜ୍ଞାପନ ଆକାରରେ ଦିଆଯାଉଛି । ମୁଖ୍ୟ ଶାସନ ସଚିବ ନିକଟରେ ସ୍ପଷ୍ଟଭାବେ ନିର୍ଦ୍ଦେଶ ଦେଇଛନ୍ତି ଯେ ସୂଚନା ଓ ଲୋକସମ୍ପର୍କ ମାଧ୍ୟମରେ ହିଁ ସବୁ ବିଜ୍ଞାପନ ଦିଆଯିବ । କୌଣସି ବିଭାଗ ମନଇଚ୍ଛା ବିଜ୍ଞାପନ ଦେଇପାରିବେ ନାହିଁ । ରାଜ୍ୟ ସରକାର ମଧ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଜଣେ ଅଭିଜ୍ଞ ଗଣମାଧ୍ୟମ ପ୍ରତିନିଧି ମାନସ ରଞ୍ଜନ ମଙ୍ଗରାଜଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି । ତାଙ୍କ ପରାମର୍ଶରେ ସବୁକିଛି କରିବାକୁ ନିର୍ଦ୍ଦେଶ ଅଛି । ହେଲେ କିଛି ବିଭାଗ କିନ୍ତୁ ନା ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ ମାନୁଛନ୍ତି ନା ପରାମର୍ଶଦାତାଙ୍କୁ ପଚାରୁଛନ୍ତି । ଯେତେବେଳେ ଚାହୁଁଛନ୍ତି ସେତେବେଳେ ଭିଡିଓ ପ୍ରସ୍ତୁତିରେ ମାତୁଛନ୍ତି ।


ଅର୍ଥନୀତିକ ଅପରାଧ

ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ଏହି ଭିଡିଓ ଦ୍ୱାରା କେତେ ସୁଫଳ ମିଳୁଛି ତାହାର ହିସାବ ବି କାହା ପାଖରେ ନାହିଁ । ଯେହେତୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଏଥିରୁ ଦୂରେଇ ରହୁଛି ସେଥିପାଇଁ କାହାର କିଛି ଜାଣିବାର ଅବକାଶ ନାହିଁ କି କେହି ଉତ୍ତରଦାୟୀ ମଧ୍ୟ ନୁହନ୍ତି । ଏଭଳି ଭାବେ ରାଜ୍ୟରେ ଏବେ କୋଟି କୋଟି ଟଙ୍କା ଲୁଟ୍‍ ହେବାରେ ଲାଗିଛି । ଏଭଳି ଚଞ୍ଚକତା ଭାବେ ଅର୍ଥ ଲୁଟ୍‍ ହେଉଥିବାବେଳେ ଟଙ୍କା ଦେଉଥିବା ବିଭାଗର ସଚିବମାନେ ଏ ନେଇ ତଦନ୍ତର ସମ୍ମୁଖୀନ ହେବାଟା ପ୍ରାୟ ଥୟ ବୋଲି ଆଲୋଚନା ହେଉଛି । କାରଣ ବିନା ଟେଣ୍ଡର ଓ ବିନା ଅନୁମୋଦନରେ ସିଧାସଳଖ ଭିଡିଓ ପ୍ରସ୍ତୁତ ପାଇଁ ଅର୍ଥ ଦେବା ବେଆଇନ୍‍ ବୋଲି କିଛି ବରିଷ୍ଠ ଅଧିକାରୀ ମତ ଦେଉଛନ୍ତି । ଯଦି ଏହି ଘଟଣାର ଭିଜିଲାନ୍ସ କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ ହେବ ତେବେ ପଞ୍ଚାୟତିରାଜ, ରାଜସ୍ୱ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରଥମେ ଫସିଯିବେ ଓ ଏଥିପାଇଁ କିଛି ଅଧିକାରୀ ଜେଲ୍‍ ଯିବେ ବୋଲି ଆଲୋଚନା ହେଉଛି । କାରଣ ଅଲିଖିତ ନିର୍ଦ୍ଦେଶ ଦେଇଥିବା ବାବୁ ଏବଂ ଭିଡିଓ ପ୍ରସ୍ତୁତ କରି କୋଟି କୋଟି ଟଙ୍କା ନେଇଥିବା ବେସରକାରୀ ସଂସ୍ଥା ଆଉ ଧରାଛୁଆଁ ଦେବେନାହିଁ । ସେତେବେଳେ ଫାଇଲ୍‍ରେ ହାତ କାଟି ଟଙ୍କା ଦେଇଥିବା ବାବୁମାନେ ହିଁ ଖାଲରେ ପଡିବେ ।


୫-ଟି ଚୂଲିରେ

ରାଜ୍ୟ ସରକାର ୫-ଟି ଓ ମୋ ସରକାରକୁ ନେଇ ବାହାବା ସାଉଁଟୁଥିବାବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ପ୍ରଚାର ପ୍ରସାର ଠାରୁ ଦୂରେଇ ରଖିବା, ଛୋଟ ଛୋଟ ଗଣମାଧ୍ୟମର ତଣ୍ଟି ଚିପିବା, ଭିଡିଓ ପ୍ରସ୍ତୁତ ନାଁରେ ବେସରକାରୀ ସଂସ୍ଥାକୁ କୋଟି କୋଟି ଟଙ୍କା ଦେବା ଏବେ ପ୍ରଶ୍ନବାଚୀ ଉଠାଇଛି । ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଯଦି ଏଥିପ୍ରତି ଦୃଷ୍ଟି ନଦେବେ ତେବେ ଖୁବ୍‍ଶୀଘ୍ର ସୂଚନା ଓ ଲୋକସମ୍ପର୍କ ବିଭାଗ ଅକାମୀ ହେବା ସହିତ ଅନେକ ଗଣମାଧ୍ୟମରେ ତାଲା ପଡିବ ଏବଂ କିଛି କତିପୟ ବ୍ୟକ୍ତି ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଭିଡିଓ ପ୍ରସ୍ତୁତି ନାଁରେ ଗରିବ ଲୋକଙ୍କ ଝାଳବୁହା ଟିକସ ଧନରୁ କୋଟି କୋଟି ଟଙ୍କା ନେଇଯିବେ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *