ଟ୍ରେନ୍ ଟିକେଟ୍ ପାଇଁ ଏଣିକି ରହିବେନି ଏଜେଣ୍ଟ୍
ନୂଆଦିଲ୍ଲୀ(ଓଟି): ଏଣିକି ଆଉ ଏଜେଣ୍ଟ୍ କି କୌଣସି ସଂସ୍ଥା ଉପରେ ନିର୍ଭର କରିବାକୁ ପଡ଼ିବନି। ସେଭଳି ବ୍ୟବସ୍ଥାର ଅନ୍ତ ହେବାକୁ ଯାଉଛି। ତେଣୁ ନିଜ ପାଇଁ ନିଜେ ଟିକେଟ୍ ବୁକିଂ କରିବାକୁ ହେବ। ଏହା ଦ୍ଵାରା ଠକେଇ ବନ୍ଦ ହେବା ସହ କାରବାରରେ ସ୍ଵଚ୍ଛତା ଅଣାଯାଇପାରିବ ବୋଲି ଆଶା କରାଯାଉଛି। ଏ ସମ୍ପର୍କରେ ରେଳମନ୍ତ୍ରୀ ପୀୟୁଷ ଗୋୟଲ ସବିଶେଷ ତଥ୍ୟ ଦେଇଛନ୍ତି।
ମନ୍ତ୍ରୀ ଶ୍ରୀ ଗୋୟଲ ଲୋକସଭାରେ ଟ୍ରେନ୍ ଟିକେଟ୍ ବୁକ୍ କରିବା ସମ୍ପର୍କରେ କହିଛନ୍ତି ଯେ ବିକ୍ରେତା ଓ ଏଜେଣ୍ଟଙ୍ ବ୍ୟବସ୍ଥାକୁ ରଦ୍ଦ କରିବାର ଆବଶ୍ୟକ ରହିଛି। ଫଳରେ ଟିକେଟ୍ କାରବାରରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରହିପାରିବ। ଏପରିକି ସମ୍ପ୍ରତି ସମସ୍ତଙ୍କ ହାତରେ ଅତ୍ୟାଧୁନିକ ମୋବାଇଲ୍ ରହୁଥିବାରୁ ସାଧାରଣ ଜନତା ନିଜେ ଟିକେଟ ବୁକ୍ କରିପାରିବେ ବୋଲି ସେ ପ୍ରକାଶ କରିଛନ୍ତି। ତେବେ କେହି ସହଯୋଗ ଆବଶ୍ୟକ କଲେ ମନ୍ତ୍ରଣାଳୟର ଟିକେଟ୍ କେନ୍ଦ୍ରକୁ ଯାଇ ସବିଶେଷ ତଥ୍ୟ ସଂଗ୍ରହ କରିପାରିବେ। ଅନ୍ୟପକ୍ଷରେ ରେଳବାଇର ଖାଲି ଜମିରେ ୨୦ ହଜାର ମେଗାୱାଟ ସୌର ଶକ୍ତି ଉତ୍ପାଦନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟାର୍ଗେଟ ଦେଇଥିବାବେଳେ ଏ କ୍ଷେତ୍ରରେ ଭାରତୀୟ ରେଳ ବିଶ୍ୱର ପ୍ରଥମ ପ୍ରଦୂଷଣ ଶୂନ୍ୟ ଭାବେ ପରିଗଣିତ ହେବ ବୋଲି ମନ୍ତ୍ରୀ ଗୋୟଲ ଆଶାବ୍ୟକ୍ତ କରିଛନ୍ତି।