ବିଜେଡି ଛାଡ଼ିଲେ ଦାମଙ୍କ ଝିଅ ପ୍ରୀତିନନ୍ଦା
ଓଡ଼ିଶା ରାଜନୀତିର ବରିଷ୍ଠ ନେତା ଡ. ଦାମୋଦର ରାଉତଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ ଶନିବାର ବିଜୁ ଜନତା ଦଳ ଛାଡ଼ିଛନ୍ତି। ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ନିଜର ଇସ୍ତଫା ପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ସେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି।ସୂଚନାଯୋଗ୍ୟ ବିଜେଡ଼ି ଛାଡ଼ିବାର ବହୁଦିନ ପରେ ଡ. ଦାମୋଦର ରାଉତ ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ।
ବିଜେଡ଼ି ଛାଡ଼ିବା ପରେ ସେ ବିଜେପିରେ ଯୋଗଦେବା ନିଶ୍ଚିତ ହୋଇଯାଇଛି । ପ୍ରୀତିନନ୍ଦା ବିଏମସିର କର୍ପୋରେଟର ଥିଲେ । ଗତଥର ସେ ମେୟର ରେସରେ ଥିଲେବି ତାଙ୍କୁ ନିରାଶ ହେବାକୁ ପଡିଥିଲା ।
ଫେସବୁକ ପୋଷ୍ଟରେ ସେ ଉଲ୍ଲେଖ କରିଥିଲେ ଯେ, ‘ମୁଁ ପ୍ରୀତିନନ୍ଦା, ଶୁଣିବାକୁ ପାଇଲି ଏଇ କିଛି ଦିନ ପୂର୍ବରୁ କେହି ରାଜନୈତିକ ନେତା କାଳେ ଗଣମାଧ୍ୟମରେ ଦାମୋଦର ରାଉତ (ମୋ ବାପା)ଙ୍କୁ ଆକ୍ଷେପ କରି କହିଲେ ଯେ ଦାମ ରାଉତଙ୍କ ଝିଅ ବିଜେଡିରେ ଅଛନ୍ତି । ମୁଁ ଦାମୋଦର ରାଉତଙ୍କ ବଡ଼ଝିଅ ଆଉ ସେ ପରିଚୟ ସବୁଦିନ ପାଇଁ ରହିବ । ବାପା-ଝିଅଙ୍କ ସଂପର୍କକୁ ରାଜନୈତିକ ଭୂମିକା ସହ ତୁଳନା କରିବା ମୁର୍ଖାମୀର ପରିଚୟ ।
ମୋତେ ନବୀନ ପଟ୍ଟନାୟକ ଟିକେଟ ଦେଇଥିଲେ, ମୁଁ ନିର୍ବାଚନ ଲଢ଼ି ଆମ ଅଞ୍ଚଳର ବାସିନ୍ଦାମାନଙ୍କ ଠାରୁ ଭୋଟ ପାଇ ଜିତିଛି । କେଉଁଠାରୁ ମନୋନୀତ ହୋଇଆସିନି, ବା ମିଶ୍ରଣ ପର୍ବରେ ଗେଣ୍ଡୁମାଳା ପକେଇ ଆସିନି ଯେ ମୁଁ ବିଜେଡି ଦଳରେ ଥିବା ନେଇ ଚର୍ଚ୍ଚାହେବ । ଜିତିଲା ପରେ ପାଞ୍ଚବର୍ଷ ଧରି ପାରୁପର୍ଯ୍ୟନ୍ତ କ୍ଷମତାର ପରିଧି ବାହାରକୁ ଯାଇ ଅଞ୍ଚଳ ପାଇଁ କାମ କରିଛି । ମୁଁ କର୍ତ୍ତବ୍ୟରେ ବିଶ୍ୱାସ କରେ, ରାଜନୈତିକ ବୟାନରେ ନୁହେଁ ।
ଦାମୋଦର ରାଉତଙ୍କ ଝିଅ ବିଜେଡିରେ ଅଛି ବୋଲି ଗଣମାଧ୍ୟମରେ ଯିଏ କହୁଛନ୍ତି ସେ ପ୍ରଥମେ ଏଇମାନଙ୍କ ପରିବାରର କିଏ ବିଜେଡିରେ କେଉଁ ପଦବୀରେ ଅଛନ୍ତି ପଚାରନ୍ତୁ । ସର୍ବଶ୍ରୀ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେପିର ଭୃଗୁ ବକ୍ସିପାତ୍ର ଓ ବିଜେପିର କନକବର୍ଦ୍ଧନ ସିଂହଦେଓ । ଆଉ ଯଦି କେବେ ସୌଭାଗ୍ୟବଶତଃ ଦେଖାହୁଏ ତେବେ ବସୁନ୍ଧରା ରାଜେଜୀ ଓ ଯଶୋଧାରା ରାଜେଜୀଙ୍କୁ ପଚାରିବେ, ଜ୍ୟୋତିରାଦିତ୍ୟ କାହିଁକି କେଉଁ ଦଳରେ ଅଛନ୍ତି ।
ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :