ରାଇରଙ୍ଗପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଇରଙ୍ଗପୁର: ନିଜ ଜନ୍ମମାଟି ରାଇରଙ୍ଗପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପହଞ୍ଚିଛନ୍ତି ।  ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୧୦ଟା ୧୬ ମିନିଟରେ ରାଇରଙ୍ଗପୁର ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଛନ୍ତି । ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ମୟୂରଭଞ୍ଜ ଗସ୍ତ ହୋଇଥିବାରୁ ସେଠାରେ ଲୋକଙ୍କ ଭିତରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସ୍ୱାଗତ କରିଛନ୍ତି। ଏହାଛଡ଼ା କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ କରିଛନ୍ତି । ଏହାପରେ ରାଷ୍ଟ୍ରପତି ଚାଲିଚାଲି ସ୍ଥାନୀୟ ଲୋକଙ୍କୁ ନମସ୍କାର କରିବା ସହ ହାତ ହଲାଇ ସମସ୍ତଙ୍କର ଅଭିବାଦନ ଗ୍ରହଣ କରିଛନ୍ତି। ନିଜ ଘରେ ପହଞ୍ଚିବା ପରେ ରାଷ୍ଟ୍ରପତି ମୁର୍ମୁ ନିଜ ସ୍ୱାମୀଙ୍କ ପ୍ରତିମୂର୍ତ୍ିରେ ମାଲ୍ୟାର୍ପଣ କରିଥିଲେ ।

ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ବିଶେଷ କରି ରାଇରଙ୍ଗପୁର ପାହାଡ଼ପୁରସ୍ଥିତ ଶ୍ବଶୁରଘର, ଉପରବେଡ଼ାସ୍ଥିତ ବାପଘର ଓ ମହୁଲଡ଼ିହାସ୍ଥିତ ନିଜ ଘରେ ଉତ୍ସବର ପରିବେଶ ରହିଛି । ସଫଳତାର ଶୀର୍ଷ ଛଇଁଥିବା ମାଟିର ଝିଅଙ୍କୁ ପାଖରୁ ଦେଖିବା ପାଇଁ ସମସ୍ତେ ଅନାଇ ବସିଛନ୍ତି ।

ମୟୂରଭଞ୍ଜରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ରାଷ୍ଟ୍ରପତି ଡାକବଙ୍ଗଳାରେ ଅବସ୍ଥାନ କରିବେ। ୫ ତାରିଖ ଦିନ ଶିମିଳିପାଳ ଅଭୟାରଣ୍ୟ ଭ୍ରମଣ କରିବେ। ଭ୍ରମଣ ସାରି ହେଲିକପ୍ଟର ଯୋଗେ ବାରିପଦା ଯିବେ। ବାରିପଦା ସର୍କିଟ୍ ହାଉସରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ସାକ୍ଷାତ କରିବା ସହ ଅତିଥି ଭବନରେ ବିଶ୍ରାମ ନେବେ। ୬ ତାରିଖ ସକାଳେ ରାଷ୍ଟ୍ରପତି ବାରିପଦା ତକତପୁରସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । କାର୍ଯ୍ୟକ୍ରମ ପରେ ହେଲିକପ୍ଟର ଯୋଗେ କଲେଇକୁଣ୍ଡା ଯିବେ ଏବଂ ସେଠାରୁ ଦିଲ୍ଲୀ ଫେରିଯିବେ ।

Leave a Reply

Your email address will not be published. Required fields are marked *