ପୁରୀ: ପ୍ରାର୍ଥୀ ବଦଳାଇବାର ଉଚିତ ସମୟ
ଭୁବନେଶ୍ଵର, (ଓଟି): ଓଡ଼ିଶାର ଧାର୍ମିକ ପ୍ରାଣକେନ୍ଦ୍ର ତଥା ସବୁବେଳେ ଚର୍ଚାର ବିଷୟ ହୋଇ ରହି ଆସିଛି ପୁରୀ। ଆଉ ଏହି ଧାର୍ମିକ ପୁଣି ସାମୟିକ ଉତ୍ତେଜନା, ଗଣ୍ଡଗୋଳ, ଅସନ୍ତୋଷ, ବିକ୍ଷୋଭ, ସମାବେଶ ସବୁଥିରେ ଅତ୍ୟନ୍ତ କ୍ରିୟାଶୀଳ ରହିଛନ୍ତି ପୁରୀର ବିଧାୟକ ମହେଶ୍ଵର ମହାନ୍ତି। ଜଣେ ଉଚ୍ଚଶିକ୍ଷିତ, ଲଗାତାର ୨୫ ବର୍ଷ ହେଲା ଓଡ଼ିଶା ବିଧାନସଭାକୁ ନିର୍ବାଚିତ ତଥା ବିଧାନସଭାରେ ସବୁଠାରୁ ଉଚ୍ଚ ଆସନ ଅଳଂକୃତ ହୋଇସାରିଥିବା ବିଧାୟକ ହେଉଛନ୍ତି ଶ୍ରୀ ମହାନ୍ତି। ପ୍ରଶ୍ନ ଉଠୁଛି ଏଥର ସେ ପ୍ରାର୍ଥୀ ରହିବେ କି? ଅନେକ ସମୀକରଣ ଏ ଭିତରେ ପ୍ରକାଶ ପାଉଛି ଆଉ ତାହା ହିଁ ମୁଖ୍ୟ ଆଲୋଚନାର ବିଷୟ ହୋଇଛି ପୁରୀ ସହରରେ। ଆସନ୍ତୁ ନଜର ପକାଇବା।
ନିର୍ବାଚନ ମଣ୍ଡଳୀ ସ୍ଥିତି
ପୁରୀ ନିର୍ବାଚନ ମଣ୍ଡଳୀରେ ଏଥର ଭୋଟର ସଂଖ୍ୟା ହେଉଛନ୍ତି ୨ ଲକ୍ଷ ୩୯ ହଜାର ୪୩୧। ଏଥରୁ ପୁରୁଷ ଭୋଟର ହେଲେ ୧ଲକ୍ଷ ୨୪ ହଜାର ୫୩୭ ଏବଂ ମହିଳା ଭୋଟର ହେଉଛନ୍ତି ୧ଲକ୍ଷ ୧୪ ହଜାର ୮୬୪। ୩୦ ଜଣ ଟ୍ରାନ୍ସ ଜେଣ୍ଡର ବା କିନ୍ନର।
ପୁରୀ ନିର୍ବାଚନ ମଣ୍ଡଳୀରେ ପୁରୀ ସହର ସମେତ ପୁରୀ ସଦର ବ୍ଲକ୍ର ୧୫ଟି ଏବଂ ଗୋପ ବ୍ଲକ୍ର ୩ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଭୁକ୍ତ। ନିଷ୍ପତ୍ତି ନିର୍ଦ୍ଧାରଣକାରୀ କାରକ ଭାବରେ ଯଦି ଗ୍ରହଣ କରାଯାଏ ତେବେ ଶ୍ରୀମନ୍ଦିର ସେବାୟତ ଗୋଷ୍ଠୀ, ପୁରୀ ସହରର ଉଠା ଦୋକାନୀ, ପୁରୀ ସଦର ବ୍ଲକ୍ର ବିଭିନ୍ନ ଗ୍ରାମ ପଞ୍ଚାୟତ ଏବଂ ମହିଳା ବର୍ଗ ସର୍ବାଧିକ ପ୍ରଭାବ ବିସ୍ତାର କରିବେ। ମହେଶ୍ଵରଙ୍କ ପକ୍ଷରେ ପୁରୀ ସହରର କିଛି ପାରମ୍ପରିକ ଭୋଟ୍ ରହିଛି। ସେବାୟତ ଗୋଷ୍ଠୀର ଭୋଟ୍ ମଧ୍ୟ ସେ ଧାରଣ କରନ୍ତି। କିନ୍ତୁ ମହେଶ୍ଵରଙ୍କ ବିଜୟର କାଣ ହେଉଛନ୍ତି ସଦର ବ୍ଲକ୍ର ଭୋଟ୍ ଏବଂ ମହିଳା ଭୋଟ୍। ଯାହା ବିଜେଡି ଚିହ୍ନରେ ହିଁ ଅଧିକ ପରିଚିତ ହୋଇଥାଏ। ନବକଳେବର ସମୟରେ ମାଳତି ପାଟପୁରରେ ମଡେଲ୍ ବସ୍ ଷ୍ଟାଣ୍ଡ ପ୍ରତିଷ୍ଠାକୁ ନେଇ ଦୁର୍ନୀତି ଅନିୟମିତତା ଚର୍ଚା ହେଇଥିଲେ ମଧ୍ୟ ଏ ଅଞ୍ଚଳରେ ମହେଶ୍ଵରଙ୍କ ପାଇଁ କିଛି ନୂଆ ଭୋଟ୍ ସୃଷ୍ଟିରେ ସହାୟକ ହୋଇଛି।
ପଚରା ଯାଇଥିବା ପ୍ରଶ୍ନ
ଓଡ଼ିଶା ଟାଇମ୍ ଡଟ୍କମ୍ ପକ୍ଷରୁ ବିନା କୌଣସି ବାଛ ବିଚାରରେ ପୁରୀ ନିର୍ବାଚନ ମଣ୍ଡଳୀର ୫୦ ଜଣଙ୍କୁ ଫୋନ୍ରେ କିଛି ପ୍ରଶ୍ନ ପଚରାଯାଇଥିଲା ଯାହା ନିର୍ବାଚନ ସମ୍ପର୍କିତ। ଏହି ଅନୁସାରେ ପ୍ରଥମ ପ୍ରଶ୍ନ ଥିଲା- ବିଧାୟକଙ୍କ ଉପରେ ସେମାନେ ଅନ୍ତୁଷ୍ଟ କି? ଯଦି ନା ତେବେ ଅଭିଯୋଗ କ’ଣ?
ଦ୍ଵିତୀୟ ପ୍ରଶ୍ନ ହେଉଛି: ଆଉଥରେ ନିର୍ବାଚନ ହେଲେ ସେମାନେ କାହାକୁ ଭୋଟ୍ ଦେବେ? ଏଠି ଦଳ ମହତ୍ତ୍ଵ ରଖେ ନା ପ୍ରାର୍ଥୀ।
ତୃତୀୟ ପ୍ରଶ୍ନ ହେଉଛି : ପ୍ରାର୍ଥୀଙ୍କ ପରିବର୍ତ୍ତନ ଆବଶ୍ୟକ କି? ଯଦି ଜଣେ ମହିଳାଙ୍କୁ ପ୍ରାର୍ଥୀ କରାଯାଏ ତେବେ ସେ ମହେଶ୍ଵରଙ୍କ ବିକଳ୍ପ ହୋଇପାରିବେ କି?
ଯେଉଁ ଉତ୍ତରଗୁଡ଼ିକ ଆମେ ପାଇଲୁ ସେହି ଅନୁସାରେ ପ୍ରସ୍ତୁତ କରୁଛୁ ଏ ରିପୋର୍ଟ।

ବିଧାୟକଙ୍କ ବିରୋଧରେ ଅଭିଯୋଗ
ଖାଦ୍ୟସୁରକ୍ଷା କାର୍ଡ ବଣ୍ଟନରେ ନିଜର ପତିଆରା ଜାରି ପାଇଁ ଜାଣିଶୁଣି ନିଜ ଘରେ ପ୍ରାୟୋଜିତ ଗହଳି ସୃଷ୍ଟି, ବିଭିନ୍ନ ସମୟରେ ସୃଷ୍ଟି ଗଣ୍ଡଗୋଳରେ ତାଙ୍କର ପ୍ରଚ୍ଛନ୍ନ ହାତ ରହିବା ଅଭିଯୋଗ, କିଛି ନିର୍ଦିଷ୍ଟ ଗୋଷ୍ଠୀଙ୍କ ଅପରାଧକୁ ଘଣ୍ଟ ଘୋଡ଼ାଇବା ଅଭିଯୋଗ ଆଦି ତାଙ୍କ ବିରୋଧରେ ରହିଛି। ଏହାବାଦ୍ ସେବାୟତ ଗୋଷ୍ଠୀଙ୍କ ପ୍ରତି ତାଙ୍କର ହତାଦର ରହିଥିବା ମଧ୍ୟ ଅଭିଯୋଗ ଉଠିଛି। କିଛି ବଳିଷ୍ଠ ସେବାୟତଙ୍କୁ ଛାଡ଼ିଦେଲେ ସେ ଅନ୍ୟମାନଙ୍କୁ ସୁଯୋଗ ଦିଅନ୍ତି ନାହିଁ ବୋଲି ଅଭିଯୋଗ ହୋଇଛି।
ଏହି ଅଭିଯୋଗକୁ କେନ୍ଦ୍ର କରି ତାଙ୍କରି ନିକଟତର ସହଯୋଗୀ ଏବେ ତାଙ୍କ ବିରୋଧରେ ଯୁଦ୍ଧଂଦେହୀ ଘୋଷଣା କରିଛନ୍ତି। ବିଭିନ୍ନ ସମୟରେ ନବୀନ ନିବାସ ଏଥିରେ ପ୍ରତ୍ୟକ୍ଷ ହସ୍ତକ୍ଷେପ ମଧ୍ୟ କରିଛନ୍ତି।
ପ୍ରାର୍ଥୀ ପରିବର୍ତ୍ତନ
ଏଭିତରେ ମହେଶ୍ଵର ୫ଥର ନିରନ୍ତର ଭାବେ ନିର୍ବାଚିତ ହେଲେଣି। ୧୯୯୫ରୁ ୨୦୧୯ଯାଏ ୨୪ ବର୍ଷ ବିଧାନସଭାରେ କାଟିଲେଣି। ସେ ଭିତରେ ମନ୍ତ୍ରୀ ଓ ବାଚସ୍ପତି ପଦ ବି ସମ୍ଭାଳିଛନ୍ତି। ତଥାପି ବିଧାୟକ ହେବାର ଆଶା ମରି ନାହିଁ। ଏ ଭିତରେ ଜନତା ଦଳର ଆଶାୟୀମାନଙ୍କ ଧାରଣା ଯେ, ଯଦି ଏଥର ସେମାନେ ଟିକେଟ୍ ନପାଉଛନ୍ତି ତେବେ ଆସନ୍ତା ୨୦୧୯ରେ ତାଙ୍କ ସତ୍ତା ଆଉ ନଥାଇପାରେ। ଏଣୁ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଲବି ହେବା ସ୍ଵଭାବିକ। କିନ୍ତୁ କିଏ ହେବେ ବିକଳ୍ପ। ପ୍ରାର୍ଥୀ ନା ଦଳ?
ଉତ୍ତରରେ ୮୦ ପ୍ରତିଶତ ଅର୍ଥାତ୍ ୪୦ ଜଣ ଉତ୍ତରଦାତା ଆମକୁ ପୁରୀରେ ପ୍ରାର୍ଥୀଙ୍କ ଭୂମିକା ନଗଣ୍ୟ ବୋଲି କହିଥିଲେ। ଜନତା ଦଳର ଗଡ଼ ଭାବରେ ଦଳ ଯାହାଙ୍କୁ ପ୍ରାର୍ଥୀ କରିବ ତାହାଙ୍କୁ ଲୋକେ ସମର୍ଥକ କରିବେ ବୋଲି କହିଥିଲେ।
ମହିଳା ପ୍ରାର୍ଥୀ
ଅପରପକ୍ଷରେ ୬୩ ବର୍ଷରେ ଉପନୀତ ହୋଇଥିବା ଶ୍ରୀ ମହାନ୍ତିଙ୍କୁ ବଦଳାଇ ପୁରୀରୁ ଜଣେ ମହିଳାଙ୍କୁ ପ୍ରାର୍ଥୀ କରାଯିବା ନେଇ ଚିନ୍ତା ଚାଲିଥିବା ସୂଚନା ମିଳିଛି। ଏହା ହେଲେ ପୁରୀରେ ମହେଶ୍ଵରଙ୍କୁ ନେଇ ବିରୋଧ କମିବ ଆଉ ମହେଶ୍ଵରଙ୍କ ପତିଆରା ବି ସହଜରେ ଏଡ଼ାଇ ଦିଆଯାଇପାରିବ। ବିଜେଡି ସମର୍ଥିତ ସୂତ୍ର ଅନୁସାରେ ଦଳ ପ୍ରତି ଜିଲ୍ଲାରୁ ଅତିକମ୍ରେ ଜଣେ ମହିଳାଙ୍କୁ ବିଧାନସଭା ପାଇଁ ଟିକେଟ୍ ଦେବେ। ପୁରୀରେ ଏହି ନୀତି ଆପଣାଗଲେ ତାହା ଅଧିକ ପ୍ରଭାବଶାଳୀ ହେବ। ପୁଣି ପୁରୀ ବିଜେଡିର ଗଡ଼ ହୋଇଥିବାରୁ ତାଙ୍କର ଜିତିବାରେ କିଛି ଅସୁବିଧା ହେବ ନାହିଁ। ଏଣୁ ଏହି ଇଙ୍ଗିତ ମହେଶ୍ଵରଙ୍କୁ ଏବେ ଦ୍ଵନ୍ଦ୍ଵରେ ପକାଇଛି। ଯଦି କୌଣସି ମହିଳାଙ୍କୁ ଟିକେଟ୍ ପାଇଁ ସୁଯୋଗ ମିଳିବ ତେବେ ତାହା ମହେଶ୍ଵରଙ୍କ ସମର୍ଥନରେ ହେବ ନା ନାହିଁ ତାହା ମଧ୍ୟ ଚର୍ଚା ଭିତରେ।

କଂଗ୍ରେସ ଓ ବିଜେପି ସ୍ଥିତି
ପୁରୀରେ କଂଗ୍ରେସ ଓ ବିଜେପିର ସ୍ଥିତି ନିରାଶଜନକ। ମହେଶ୍ଵରଙ୍କ ବିରୋଧରେ ଏଠାରେ ଏକମାତ୍ର ପ୍ରତିଦ୍ଵନ୍ଦ୍ଵୀ ହେଉଛନ୍ତି ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ। ୧୯୯୧ରେ ସେ ବିଧାୟକ ଥିଲେ। କିନ୍ତୁ ଦୁର୍ଭାଗ୍ୟ ହେତୁ ସେ ଆଉ ନିଜର ରାଜନୀତିକ ପତିଆରାକୁ ବିଜୟରେ ପରିଣତ କରିପାରୁ ନାହାନ୍ତି। ଯଦିଓ ସେ ଏବେକାର ବିଜେଡି, କଂଗ୍ରେସ ଓ ବିଜେପି ନେତାଙ୍କ ସହ ତାଳ ଦେଇ ପାରୁ ନାହାନ୍ତି କିନ୍ତୁ ତାଙ୍କର ପକେଟ୍ ଭୋଟ୍ ଅନେକ ରହିଛି ତାହାକୁ କେହି ଅସ୍ଵୀକାର କରିପାରିବେ ନାହିଁ। ସେଥିଲାଗି ସେ ଯେଉଁ ଦଳରେ ଠିଆ ହୁଅନ୍ତି ସେଠାରେ ତାଙ୍କୁ ସମର୍ଥନ ମିଳେ। ବେଦାନ୍ତ ବିରୋଧୀ ଆନ୍ଦୋଳନ ଆଉ ସରକାର ବିରୋଧୀ ପକ୍ଷ ଭାବେ ସେ ଭାରି ପରିଚିତ। ଅନେକଥର ସରକାରଙ୍କୁ ପଦାରେ ବି ପକାଇଛନ୍ତି। ୨୦୦୯ରେ ସେ ବିଜେପି ଟିକେଟ୍ରେ ଲଢ଼ିଥିଲେ। ୪୭ ହଜାର ଭୋଟ୍ ପାଇଥିଲେ। ସେତେବେଳେ କଂଗେ୍ରସ ଭୋଟ୍ ୬ ହଜାରଠୁ ସାମାନ୍ୟ ଅଧିକ ଥିଲା। ୨୦୧୪ରେ ସେ କଂଗ୍ରେସରୁ ପ୍ରାର୍ଥୀ ହେଲେ । ୪୨ ହଜାର ଭୋଟ୍ ପାଇଲେ। ଅର୍ଥାତ୍ କଂଗ୍ରେସ ଭୋଟ୍ ୬ହଜାରରୁ ୪୨ ହଜାର ହେଲା। ସେହି ସ୍ଥାନରେ ବିଜେପି ଭୋଟ୍ ୪୭ ହଜାରରୁ ୧୭ ହଜାରକୁ ଖସି ଆସିଲା। ଏତେ ଭଲ ପ୍ରଦର୍ଶନ ଥିଲେ ମଧ୍ୟ ଉମାବଲ୍ଲଭଙ୍କ ଉପରେ କୌଣସି ପାର୍ଟି ଆଉ ଆସ୍ଥା ରଖିପାରିବେ ନାହିଁ। ପୁଣି ପୁରୀରେ ଯେଉଁ ସ୍ଥିତି ସେଠାରେ ଶଙ୍ଖ ଚିହ୍ନରେ ଯାହାକୁ ଠିଆ କଲେ ବି ସେ ଜିତିବ ବୋଲି ୮୦ ପ୍ରତିଶତଙ୍କ ମତ। ଏଠି ପ୍ରାର୍ଥୀ ଅପେକ୍ଷା ଦଳୀୟ ଚିହ୍ନ ଅଧିକ ମହତ୍ତ୍ଵ ରଖେ ବୋଲି ଓଡ଼ିଶାଟାଇମ୍ ଡଟ୍କମ୍ ପକ୍ଷରୁ ହୋଇଥିବା ଫୋନ୍ ଭିତ୍ତିକ ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଛି।

ବିକଳ୍ପ ପ୍ରାର୍ଥୀ
ଯଦିଓ ବିଜେଡିରେ ଅନେକ ବିକଳ୍ପ ପ୍ରାର୍ଥୀ ରହିଛନ୍ତି କିନ୍ତୁ ହାଇକମାଣ୍ଡଙ୍କ ଆଶୀର୍ବାଦକୁ ଅପେକ୍ଷା କରିଛନ୍ତି। ବିଜେପି ପୂର୍ବତନ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଉପରେ ଭରସା ରଖିପାରେ। ସେବାୟତ ପରିବାରରୁ ଆସିଥିବା କୃଷ୍ଣ ଜଣେ ଉଚ୍ଚ ଶିକ୍ଷିତ ଓ ଭଦ୍ର ବ୍ୟକ୍ତି ଭାବେ ଗଣାଯାଆନ୍ତି। କିନ୍ତୁ ଗ୍ରାମାଞ୍ଚଳରେ ତାଙ୍କର ପତିଆରା ନଗଣ୍ୟ। ଏଣୁ ତାଙ୍କ ପକ୍ଷରେ ୧୦ ପ୍ରତିଶତରୁ ଅଧିକ ଭୋଟ୍ ଆଶା କରାଯାଇ ନପାରେ।