ପ୍ରତ୍ୟୁଷା ରାଜେଶ୍ଵରୀ ବିଜେପିରେ ଯୋଗଦେଲେ
ଭୁବନେଶ୍ଵର, (ଓଟି): କନ୍ଧମାଳର ସାଂସଦ ତଥା ବିଜେଡିରୁ ଟିକେଟ୍ ପାଇଁ ପ୍ରତ୍ୟାଖ୍ୟାତ ହୋଇଥିବା ପ୍ରତ୍ୟୁଷା ରାଜେଶ୍ଵରୀ ବିଜେପିରେ ଯୋଗ ଦେଇଛନ୍ତି। ସେ ବିଜେଡି ପ୍ରାର୍ଥୀ ବିରୁଦ୍ଧରେ ନୟାଗଡ଼ ବିଧାନସଭା ଆସନ ପାଇଁ ଲଢ଼ିପାରନ୍ତି। ଦଳ ପକ୍ଷରୁ ତାଙ୍କ ଟିକେଟ୍ ସ୍ପଷ୍ଟ ହୋଇ ନଥଇଲେ ମଧ୍ୟ ଟିକେଟ୍ ନପାଇବାରୁ ଦଳ ଛାଡ଼ିଥିବା ପ୍ରତ୍ୟୁଷାଙ୍କଠାରୁ ଏପରି କିଛି ସମ୍ଭାବନା ଆଶା କରାଯାଉଛି। ପୂର୍ବରୁ ସେ କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚା ହେଉଥିଲା।
ପାଟଣାଗଡ଼ ରାଜାସାହେବ ତଥା ବିଜେପିର ବିଧାୟକ ଓ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଘରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ସେ ବିଜେପି ପତାକା ଧରିଛନ୍ତି। ଏହି ଉତ୍ସବରେ ଦଳର ସଭାପତି ବସନ୍ତ ପଣ୍ଡା, ଜାତୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।
ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତ୍ୟୁଷା ତଥା ନୟାଗଡ଼ ରାଣୀ କହିଛନ୍ତି ଯେ, ସେ ପାର୍ଟିର ନିଷ୍ପତ୍ତି ଅନୁସାରେ କାର୍ଯ୍ୟ କରିବେ। କିନ୍ତୁ ନୟାଗଡ଼ ବିଧାନସଭା ମଣ୍ଡଳୀରୁ ଲଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଦଳ ତାଙ୍କୁ କନ୍ଧମାଳରୁ ପ୍ରାଥ;ୀ କରାଇପାରେ ବୋଲି କୁହାଯାଉଛି । ଏହି ଆସନ ପାଇଁ ସବୁବେଳେ ବିଜେପି ବାହାରୁ ପ୍ରାର୍ଥୀ ଖୋଜିଥାଏ। ପୂର୍ବରୁ ପ୍ରାର୍ଥୀ ହୋଇଥିବା ଅଶୋକ ସାହୁ ଏଥର ଟିକେଟ୍ ନପାଇପାରନ୍ତି।
ପ୍ରତ୍ୟୁଷା ହେଉଛନ୍ତି ପୂବତନ କଂଗ୍ରେସ ନେତା ତଥା ବିଜେଡି ସାଂସଦ ଓ ନୟାଗଡ଼ ରାଜ ପରିବାରର ଦାୟାଦ ହେମେନ୍ଦ୍ର ସଂହିଙ୍କ ପତ୍ନୀ। ବିଜେଡିରେ ଯୋଗ ଦେବାର କିଛିଦିନ ପରେ ହେମେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ବିଜେଡି ତାଙ୍କୁ କନ୍ଧମାଳ ଆସନରୁ ଅନୁକମ୍ପା ରୂପେ ପ୍ରାର୍ଥୀ କରାଇଥିଲା। କିନ୍ତୁ ୨୦୧୯ ପାଇଁ ବିଜେଡି ପ୍ରତ୍ୟୁଷାଙ୍କୁ ପ୍ରାର୍ଥୀ ନକରାଇ ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରାଇଛି। ଏହାପରେ ପ୍ରତ୍ୟୁଷା ବିଜେଡି ସୁପ୍ରିମୋଙ୍କୁ ନ୍ରାଗଡ଼ ବିଧାନସଭା ମଣ୍ଡଳୀ ପାଇଁ ପ୍ରାର୍ଥୀ ଭାବେ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ କିନ୍ତୁ ପ୍ରତ୍ୟାଖ୍ୟାତ ହୋଇଥିଲେ। ଏହାପରେ ପ୍ରତ୍ୟୁଷା କଂଗ୍ରେସରେ ଯୋଗ ଦେବା ନେଇ ପ୍ରସ୍ତୁତ ହୋଇଥିଲେ। ଏନେଇ ପିସିସି ଅଧ୍ୟକ୍ଷ ମଧ୍ୟ ଘୋଷଣା କରିଥିଲେ। ହେଲେ ସେ ବିଜେପିରେ ଯୋଗ ଦେଇଛନ୍ତି।