ଯାଜପୁରରୁ ପ୍ରଣବ ପ୍ରକାଶ ଛିଡା ହେବେନି!

ବିଜୁ ଜନତା ଦଳରେ ଟିକଟ ବଣ୍ଟାକୁ ନେଇ ଘଡିକେ ଘୋଡା ଛୁଟୁଛି। ଅସନ୍ତୁଷ୍ଟ ଅନେକ ସାଂସଦ ଓ ବିଧାୟକ ଦଳ ଛାଡି ସାରିଲେଣି। ୫୪ଟି ବିଧାନସଭା ଏବଂ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଯଦି ଏହି ଅବସ୍ଥା ତେବେ ଆଗକୁ କଣ ହେବ ତାହା ଜଳ ଜଳ ଜଣାପଡୁଛି।

ବିଜେଡିରେ ଟିକେଟ କିଏ ପାଇବ, କିଏ ନ ପାଇବ ତାହା ହାତଗଣତି କିଛି ପ୍ରଶାସନିକ ଅଧିକାରୀ ଓ ନେତା ଜାଣନ୍ତି। ଚର୍ଚ୍ଚା ହେଉଛି ଯେ, ମୁଖ୍ୟମନ୍ତ୍ରୀ କେବଳ ଚୂଡାନ୍ତ ମୋହର ମାରୁଛନ୍ତି। ଟିକେଟ ମିଳିବା କଥା ଜାଣୁଥିବା ନେତାଙ୍କ ମଧ୍ୟରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ ଓରଫ ବବି ଦାଶ ଥିବା କୁହାଯାଉଛି। ଆଉ ଯଦି ବବି ନିଜେ ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରାର୍ଥୀ କରିବେ ଆପଣ ତାଙ୍କୁ ସମର୍ଥନ ଦେବେ ବୋଲି ଅନୁରୋଧ କରନ୍ତି ତେବେ ଏହା ପ୍ରମାଣିତ କରୁଛି ଯେ, ବବି ଯାଜପୁର ବିଧାନସଭା ଆସନରୁ ଟିକେଟ ପାଉନାହାନ୍ତି।

ଅନ୍ୟପଟେ କୋରେଇ ଉପରେ ବବି ଆଖି ରଖିଥିବା କଥା ମଧ୍ୟ ପଦାକୁ ଆସୁଛି। ବବି ଯାଜପୁରରୁ ଛିଡା ହେବେ ନାହିଁ ଏହି ବିଷୟ ମଙ୍ଗଳବାର ସନ୍ଧ୍ୟାରେ ଚର୍ଚ୍ଚାକୁ ଆସିଥିଲା। ନିଜ ବାସଭବନରେ ବବି ଏକ କର୍ମୀ ସମ୍ମିଳନୀର ଆୟୋଜନ କରିଥିଲେ। ଆଉ ଦୀର୍ଘ ସମୟ ଧରି ସେ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଓ ନେତୃତ୍ୱ ସଂପର୍କରେ ଅବଗତ କରାଇଥିଲେ।

ସେ କହିଥିଲେ ଯେ, ଆଜି ଯଦି ତୁମ ମାଟିର ପୁଅ ଭୁବନେଶ୍ୱରରେ ମୁଣ୍ଡ ଟେକି ଚାଲିପାରୁଛି, ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସଭାଜନ ହୋଇପାରିଛି ତାହା କେବଳ ଆପଣଙ୍କ ପାଇଁ। ତେଣୁ ମୋର ଅନୁରୋଧ ମୋତେ ଯେପରି ଆପଣ ଭଲ ପାଆନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଯେପରି ଭଲ ପାଆନ୍ତି ସେହିଭଳି ଯଦି ଦଳ ଅନ୍ୟ କାହାକୁ ଦାୟିତ୍ୱ ଦିଏ ତାଙ୍କୁ ମଧ୍ୟ ଆପଣ ଭଲ ପାଇବେ । ମୁଁ କେଉଁଆଡେ ଯାଉନାହିଁ, ମୋ ପରିବାରର ଆଦର୍ଶ ହେଉଛି ଜନସେବା। ଏହି ଜନସେବାରୁ ମୋତେ ରାଜନେତା ହେବାର ସୁଯୋଗ ମିଳିଥିବାବେଳେ ଆଗାମୀ ଦିନରେ ମଧ୍ୟ ଏହି ମାଟି ପାଇଁ ମୁଁ ମୋର ଜୀବନ ଦେବି।

ପୂର୍ବରୁ ଦଶରଥପୁରରେ ଆୟୋଜିତ ଏକ କର୍ମ ସମ୍ମିଳନୀରେ ମଧ୍ୟ ବବି ଏହିଭଳି ଇଂଗିତ ଦେଇଥିଲେ। ତେଣୁ ସ୍ପଷ୍ଟ ହେଉଛି ଯେ, ବବି ଏଥର ଯାଜପୁରରୁ ଲଢ଼ୁ ନାହାନ୍ତି। ତେବେ ବବିଙ୍କ ଆଖି ଏବେ କୋରେଇ ଉପରେନାହିଁ ତ? ଏଭଳି ପ୍ରଶ୍ନ ଏବେ ମୁଣ୍ଡ ଟେକିବା ଆରମ୍ଭ କରିଛି ।

ବର୍ତ୍ତମାନ କୋରେଇ ବିଧାୟକ ଅଛନ୍ତି ଆକାଶ ଦାସନାୟକ। କୁହାଯାଉଛି ଯେ, ଏହି ଆସନରୁ ବବିଙ୍କ ଭିଣୋଇ ଅରିନ୍ଦମ ଟିକେଟ ପାଇପାରନ୍ତି। ତେବେ ଆକାଶ କୋରେଇ ମାଟିର ପୁଅ ହୋଇଥିବାରୁ ଅରିନ୍ଦମଙ୍କୁ ଟିକେଟ ମିଳିଲେ ବିଦ୍ରୋହ ହୋଇପାରେ। ବିଜେଡି କୋରେଇ ଆସନ ହରାଇପାରେ। ତେଣୁ ବବି କୋରେଇରୁ ନିଜେ ଠିଆ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯେହେତୁ, ବବି ତୃତୀୟ ମହଲା ମୁଖିଆଙ୍କ ନିକଟତର। ତେଣୁ ବବି କୋରେଇ ଆସନ ପାଇପାରନ୍ତି।

Leave a Reply

Your email address will not be published.