ଓଡ଼ିଶା ମିଡିଆ ହାଲ୍ଚାଲ୍: ରେସ୍ରୁ ବାଦ୍ ପଡ଼ୁଛି ନ୍ୟୁଜ୍ ସେଭେନ୍, କଳିଙ୍ଗ ଟିଭି ଦ୍ଵିତୀୟ ଲୋକପ୍ରିୟ
ଭୁବନେଶ୍ଵର, (ଓଟି): କୌଣସି ରାଜନୀତିକ ମତବାଦ ଦ୍ଵାରା ପ୍ରତ୍ୟକ୍ଷଭାବେ ପରିଚାଳିତ ହେଉ ନଥିବା ପ୍ରମେୟ ନ୍ୟୁଜ୍ ସେଭେନ୍ ଦିନକୁ ଦିନ ଲୋକପ୍ରିୟତା ହରାଇବାରେ ଲାଗିଛି। ଗଲା ୮ ସପ୍ତାହ ଭିତରେ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ଗୁଡ଼ିକର ବାର୍କ ରେଟିଂକୁ ତୁଳନା କଲେ ଏହା ସ୍ପଷ୍ଟ ଜଣାପଡ଼େ। ଏକଦା ଦ୍ଵିତୀୟ ଲୋକପ୍ରିୟ ବୋଲି ଦାବି କରୁଥିବା ଏହି ଟିଭି ଚ୍ୟାନେଲ୍ ଏବେ ଷଷ୍ଠ ସ୍ଥାନକୁ ଖସିଯିବା ମିଡିଆ ପଣ୍ଡିତଙ୍କ ଭିତରେ ଚର୍ଚାର ଖୋରାକି ସୃଷ୍ଟି କରିଛି।
ଅପରପକ୍ଷେ ଦର୍ଶକ ବଜାରରେ ଏହି ଚ୍ୟାନେଲ୍ର ସ୍ଥାନକୁ ପୂରଣ କରିବା ପାଇଁ ଦ୍ରୁତ ଗତିରେ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି କନକ ନ୍ୟୁଜ୍ ଏବଂ କଳିଙ୍ଗ ଟିଭି। ଶାସକ ବିଜେଡିର ଦୁଇ ସାଂସଦଙ୍କ ଦ୍ଵାରା ପ୍ରୋତ୍ସାହିତ ହେଉଥିବା ଏହି ଦୁଇ ଚ୍ୟାନେଲ୍ର ଅଗ୍ରଗତି, ଓଡ଼ିଆ ଟିଭି ଦର୍ଶକ ବଜାରରେ ରାଜନୀତିକ ବିଷୟର ଯେ ପ୍ରାଧାନ୍ୟ ରହିଛି ତାହା ଦୋହରାଇବାରେ ସକ୍ଷମ ହୋଇଛନ୍ତି।
ଏହା ସତ୍ୟ ଯେ, ଓଡ଼ିଆ ନ୍ୟୁଜ୍ ବଜାରର ଅତୀତରେ ରାଜନୀତିକ ବ୍ୟକ୍ତି ବିଶେଷଙ୍କ ଦ୍ଵାରା ହିଁ ପ୍ରଭାବିତ ହୋଇ ଆସିଛି। ଛାପା ହେଉ ବା ଟେଲିଭିଜନ୍ ନ୍ୟୁଜ୍ ମିଡିଆ ସବୁଥିରେ ଏହି ମତବାଦ ସ୍ପଷ୍ଟ ପ୍ରମାଣିତ। କିନ୍ତୁ ନୂଆ ପିଢ଼ିର ଗଣମାଧ୍ୟମର ପ୍ରବେଶ ପରେ ଏହି ମତବାଦରେ କିଛି ଫରକ୍ ଆସିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ଏହି ବଜାର ରିପୋର୍ଟରେ ମଳୀନ ପଡ଼ିଛି।
ଏବର୍ଷର ୪୨ତମ ସପ୍ତାଠାରୁ ଆରମ୍ଭ କରି ବିଗତ ୫୦ତମ ସପ୍ତାହ ମଧ୍ୟରେ ବାର୍କ ରେକର୍ଡ଼କୁ ଅନୁଧ୍ୟାନ କଲେ ଜଣାଯାଉଛି ଯେ, ପ୍ରମେୟ ନ୍ୟୁଜ୍ ସେଭେନ୍ ଆଉ ଦ୍ଵିତୀୟ ରେଟିଂ ଚ୍ୟାନେଲ୍ ନୁହେଁ, ବରଂ ଏହାର ସ୍ଥାନ ଆଉ କେହି ହାଇଜ୍ୟାକ୍ କରି ସାରିଲାଣି। ସେ ଚ୍ୟାନେଲ୍ କିଏ ଯଦିଓ ତାହା ସ୍ପଷ୍ଟ ହେଉନି କିନ୍ତୁ ଏଥିନେଇ ଯେଉଁ ପ୍ରତିଦ୍ଵନ୍ଦ୍ଵିତା ଚାଲିଛି ସେଥିରେ ଆଗୁଆ ରହିଛି କନକ ନ୍ୟୁଜ୍। ୪୨ତମ ସପ୍ତାହରେ ନ୍ୟଜ୍ ସେଭେନ୍ ସମୁଦାୟ ୩୪.୫୯ ପଏଣ୍ଟ ହାସଲ କରି ଚତୁର୍ଥ ସ୍ଥାନରେ ଥିବାବେଳେ କନକ ନ୍ୟୁଜ୍ ୩୭.୭୭ ପଏଣ୍ଟ ହାସଲ କରି ଦ୍ଵିତୀୟ ସ୍ଥାନରେ ଥିଲା। ଡିସେମ୍ବର ୧୩ରୁ୧୯ ତାରିଖ ଅର୍ଥାତ୍ ବର୍ଷର ୫୦ତମ ସପ୍ତାହରେ କିନ୍ତୁ କଳିଙ୍ଗ ଟିଭି କନକର ରେଟିଂକୁ ଅତିକ୍ରମ କରିବାରେ ସକ୍ଷମ ହୋଇଛି। ଏବେ ଏହି ଚ୍ୟାନେଲ୍ର ରେଟିଂ ୪୪.୬ ଥିବାବେଳେ କନକ ନ୍ୟୁଜ୍ର ରେଟିଂ ୪୨.୦୮ ରହିଛି। ଆଉ ନ୍ୟୁଜ୍୭ ୧୭.୫୪ ରେଟିଂ ପଏଣ୍ଟ ହାସଲ କରି ଷଷ୍ଠ ସ୍ଥାନକୁ ଖସି ଆସିଛି। ଅର୍ଥାତ୍ ଏହି ଚ୍ୟାନେଲ୍ କେବଳ ନ୍ୟୁଜ୍ କ୍ଷେତ୍ରରେ ନକ୍ଷତ୍ର ନ୍ୟୁଜ୍ ଚ୍ୟାନେଲ୍ଠୁ ଆଗୁଆ ରହିଛି। ଏହାକୁ ନ୍ୟୁଜ୍ ୧୮ ଏବଂ ଜୀ ଓଡ଼ିଶା ଅତିକ୍ରମ କରି ଅଧିକ ଦର୍ଶକଙ୍କୁ ଆକୃଷ୍ଟ କରିପାରୁଛନ୍ତି।
ନ୍ୟୁଜ୍ ସେଭେନ୍ର ଏହି ବିପର୍ଯ୍ୟୟ ପଛରେ ଆଭ୍ୟନ୍ତରୀଣ କାରଣ ଥିବା ଚର୍ଚା ହେଉଛି। କିଛିଦିନ ପୂର୍ବରୁ ଏହି ଚ୍ୟାନେଲ୍ ବିରୋଧରେ ବାର୍କ ରେକର୍ଡ଼କୁ ଟ୍ୟାମ୍ପରିଂ କରିଥିବାର ଅଭିଯୋଗ ସଂସ୍ଥାର ଭାବମୂର୍ତ୍ତିକୁ ଆଘାତ ଦେଇଥିଲା। ଏହି ଅଭିଯୋଗ ପରେ ଏହାର ସମ୍ପଦେକଙ୍କ କ୍ଷମତାକୁ ଗୌଣ କରାଯାଇଥିବା ନେଇ ଚର୍ଚା ହେବା ପରେ କିଛିଦିନ ହେଲା ଜଣେ କାର୍ଯ୍ୟ ନିର୍ବାହୀ ସମ୍ପାଦକ ନିଯୁକ୍ତ କରାଯାଇ ସମ୍ପାଦକଙ୍କୁ ଆହୁରି ଗୌଣ କରାଯାଇଥିବା ଜଣାପଡ଼ିଛି।
ଅପରପକ୍ଷେ ଓଡ଼ିଶାରେ ଏବେ ସବୁଠାରୁ ପୁରୁଣା ନ୍ୟୁଜ୍ ଚ୍ୟାନେଲ୍ ଭାବେ ଓଟିଭି ତାହାର ସ୍ଥାନକୁ ଏକନମ୍ବର ଭାବେ ଧରି ରଖିଛି। ଏହାଦ୍ଵାରା ରାଜ୍ୟର ବିଜ୍ଞାପନ ବଜାରକୁ ମଧ୍ୟ ଓଟିଭି ବେଶ୍ ଭଲ ଭାବେ ଅକ୍ତିଆର କରିପାରିଛି।