ବିବାହ ବନ୍ଧନରେ ଆବଦ୍ଧ ହେବେ ବାହୁବଳୀ
ବ୍ଲକବଷ୍ଟର୍ ‘ବହୁବଳୀ’ ଫେମ୍ ପ୍ରଭାଷ ଖୁବ୍ ଶୀଘ୍ର ବିବାହ କରିବେ । ଆସନ୍ତା ୩୦ ତାରିଖରେ ପ୍ରଭାଷଙ୍କ ଅଭିନୀତ’ସାହୋ’ ରିଲିଜ୍ ପରେ ବିବାହ ଉତ୍ସବ ଆରମ୍ଭ ହେବ ବୋଲି ଶୁଣିବାକୁ ମିଳୁଛି । ଏଭଳି ଏକ ଖବର ପ୍ରଶଂସକ ମହଲରେ ଖୁସିର ଲହରୀ ଖେଳାଇ ଦେଇଛି । ୟୁଏସ୍ ବେସଡ୍ ବିଜନେସମ୍ୟାନଙ୍କ ଝିଅ ସହିତ ପ୍ରଭାଷ ବିବାହ କରିବାକୁ ଯାଉଛନ୍ତି । କିନ୍ତୁ ଏ ସମ୍ପର୍କରେ କୌଣସି ସଠିକ୍ ଖବର ନାହିଁ । ପ୍ରଭାଷଙ୍କ ପକ୍ଷରୁ ମଧ୍ୟ ଏ ସମ୍ପର୍କିତ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ଏହାପୂର୍ବରୁ ୨୦୧୮ରେ ମଧ୍ୟ ପ୍ରଭାଷଙ୍କ ବିବାହକୁ ନେଇ ଅନେକ ଖବର ଆସିଥିଲା । ସାଉଥ୍ ସୁପରଷ୍ଟାର୍ ଚିରଞ୍ଜିବୀଙ୍କ ଭାଣିଜୀ ସହିତ ପ୍ରଭାଷ ବିବାହ କରିବେ ବୋଲି ସୋସିଆଲ୍ ମିଡିଆରେ ପ୍ରକାଶ ପାଇଥିଲା । କିନ୍ତୁ ଏ ସବୁ କେବଳ ଏକ ଉଡ଼ା ଖବର ବୋଲି ତାରକାଦ୍ୱୟ କହିଥିଲେ ।
ମିଡିଆ ସାକ୍ଷାତକାରରେ ପ୍ରଭାଷଙ୍କୁ ଅନେକଥର ତାଙ୍କର ବିବାହ ପ୍ରସଙ୍ଗକୁ ନେଇ ପ୍ରଶ୍ନ କରାଯାଇଛି । କିନ୍ତୁ ତାହାକୁ ସେ ବ୍ୟକ୍ତିଗତ ମାମଲା ବୋଲି କହି ଏଡ଼ାଇ ଦେଇଛନ୍ତି । ‘ବାହୁବଳୀ’ ପରେ ଅନୁଷ୍କା ସେଟ୍ଟିଙ୍କ ସହିତ ପ୍ରଭାଷଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ଉଠିଥିଲା । ପରବର୍ତ୍ତି ସମୟରେ ଏହି ଖବରକୁ ତାରକାଦ୍ୱୟ କେବଳ ଏକ ଗୁଜବ ବୋଲି କହିଥିଲେ । ତେବେ ପ୍ରଭାଷଙ୍କ ବିବାହକୁ ନେଇ ସବୁବେଳେ ଅନିଶ୍ଚିତତା ଲାଗି ରହିଥିବାବେଳେ ଆଗାମୀ ଦିନରେ କ’ଣ ହେବା ତାହା କେବଳ ସମୟ ହିଁ କହିବ ।