ପିଏଫ୍ ସୁଧହାର କମିବ!

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍ଓ) ଅନ୍ତର୍ଗତ ୮.୬୫% ଲେଖାଏଁ ପିଏଫ୍ ସୁଧହାର ମିଳୁଥିବାବେଳେ ଆଗକୁ ଏହାକୁ କମ୍ କରାଯାଇପାରେ ବୋଲି ଜଣାପଡ଼ିଛି । ଇପିଏଫ୍ଓ ଏଥିରେ ୧୫ରୁ ୨୫ ବେସିସ୍ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ କରିପାରେ ବୋଲି ସମ୍ଭାବନା ରହିଛି । ଯଦି ଏପରି ହୁଏ ତେବେ ଇପିଏଫ୍ଓରେ ସାମିଲ ଥିବା ୮ କୋଟିରୁ ଊଦ୍ଧ୍ୱର୍ ଲୋକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ । ଚାକିରି କରୁଥିବା ଲୋକଙ୍କ ପାଇଁ ସେମାନଙ୍କ ଭବିଷ୍ୟତର ଆର୍ଥିକ ସୁରକ୍ଷାର ଏକ ବୃହତ୍ ମାଧ୍ୟମ ହେଉଛି ପିଏଫ୍ । ମାତ୍ର ପିଏଫ୍ ସୁଧହାରରେ ହ୍ରାସ ହେଲେ ସେମାନଙ୍କ ଉପରେ ଭାରିମାତ୍ରାର ପ୍ରଭାବ ପଡ଼ିବ । ଏକ ଗଣମାଧ୍ୟମ ଏଜେନ୍ସି ମୁତାବକ, ପିଏଫ୍ ଉପରେ ଅଧିକ ରିଟର୍ଣ୍ଣ ଦେବା ଦ୍ୱାରା ବ୍ୟାଙ୍କଗୁଡ଼ିକ ପାଇଁ ଗ୍ରାହକମାନଙ୍କୁ ଆକର୍ଷଣୀୟ ସୁଧହାର ଉପଲବ୍ଧ କରାଇବା ସମ୍ଭବପର ହେଉନାହିଁ । ଯାହାର ପ୍ରଭାବ ଅର୍ଥବ୍ୟବସ୍ଥା ଉପରେ ପଡ଼ିବା ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ବୋଲି ଉକ୍ତ ଏଜେନ୍ସି ଏହାର ରିପୋର୍ଟରେ ଉଲ୍ଲେଖ କରିଛି । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ୨୦୧୮-୧୯ରେ ଅର୍ଥ ମନ୍ତ୍ରଣାଳୟ ସହିତ ଦୀର୍ଘ ସାତମାସ ଧରି ଆଲୋଚନା କରିବା ପରେ ସେବାନିବୃତ୍ତ ନିଧି ପ୍ରବନ୍ଧକ (ରିଟାଏର୍ମେଣ୍ଟ ଫଣ୍ଡ୍ ମ୍ୟାନେଜ୍ମେଣ୍ଟ) ଏହାର ଗ୍ରାହକମାନଙ୍କ ପାଇଁ ୮.୬୫% ଲେଖାଏଁ ସୁଧହାର ନିର୍ଦ୍ଧାରଣ କରିଥିଲା । ଅପରପକ୍ଷେ ପିଏଫ୍ ଭଳି କ୍ଷୁଦ୍ର ସଞ୍ଚୟ ଯୋଜନାଗୁଡ଼ିକ ଏବଂ ଇପିଏଫ୍ଓ ତରଫରୁ ଉଚ୍ଚମୂଲ୍ୟରେ ସୁଧହାର ଦିଆଯାଉଥିବା କାରଣରୁ ଲୋକମାନେ ସେମାନଙ୍କ ନିକଟରେ ଟଙ୍କା ଜମା କରୁନାହାନ୍ତି । ଯାହାଫଳରେ ବ୍ୟାଙ୍କଗୁଡ଼ିକୁ ଟଙ୍କା ସଂଗ୍ରହ କରିବାରେ ଅନେକ ସମସ୍ୟା ହେଉଛି ବୋଲି ବ୍ୟାଙ୍କଗୁଡ଼ିକ ଅଭିଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *