ଆମେରିକା ପାଖରେ ‘କରୋନା’ ପ୍ରତିଷେଧକ ଟିକା!

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଭାଇରସ୍ ଯୋଗୁଁ ସମଗ୍ର ବିଶ୍ଵ ଚିନ୍ତାରେ ପଡ଼ିଯାଇଛି। ସବୁଦେଶର ବିଶେଷଜ୍ଞ ଦଳ ଏହାର ପ୍ରତିଷେଧକ ଉଦ୍‌ଭାବନ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ପୂର୍ବରୁ ଭାରତୀୟ ବିଶେଷଜ୍ଞ ଏଦିଗରେ ଆଶାର ଆଲୋକ ଦେଖାଦେଇଥିଲେ। ସେହିପରି ଇସ୍ରାଏଲ୍‌ ମଧ୍ୟ ଟିକା ପ୍ରସ୍ତୁତିରେ ଉଦ୍ୟମ ଚଳାଇ ସଫଳତା ପାଇବାକୁ ଯାଉଛି ବୋଲି ଖବର ପ୍ରକାଶ ପାଇଥିଲା। ତେବେ ଏଭଳି ସ୍ଥିତିରେ ଆମେରିକା ଆଉ ପାଦେ ଆଗେଇ ଯାଇଛି। ଆମେରିକାର ବୈଜ୍ଞାନିକମାନେ ବାହାର କରିଥିବା କରୋନା ପ୍ରତିଷେଧକ ଟିକା ଆଜିଠାରୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରିବାକୁ ଯାଉଛନ୍ତି। ଏଥିରେ ସଫଳତା ମିଳିଲେ ସାରା ବିଶ୍ଵ ଆଶ୍ଵସ୍ତ ହୋଇପାରିବ ବୋଲି ଆଶା ସଞ୍ଚାର ହେଉଛି।

ସୂଚନା ଅନୁସାରେ ଆମେରିକାରେ ପ୍ରାୟ ୨୭୯୪ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୫୬ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଛି। ଏହି ପରିପ୍ରେକ୍ଷୀରେ ମନୁଷ୍ୟଙ୍କ ଶରୀରରେ ଟିକା ପରୀକ୍ଷା କରାଯିବ ବୋଲି ଆମେରିକା ସରକାର ଘୋଷଣା କରିଛନ୍ତି। ପରୀକ୍ଷା ସଫଳ ହେଲେ ସମଗ୍ର ବିଶ୍ଵକୁ ଟିକା ବଣ୍ଟାଯିବ ବୋଲି କୁହାଯାଇଛି। ଆମେରିକାର ଦ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ ହେଲ୍‌ଥ ଏହି ଟ୍ରାୟଲ ପାଇଁ ଫଣ୍ଡିଙ୍ଗ୍ କରୁଛି। ଟିକା ପରୀକ୍ଷା ପାଇଁ ୪୫ଜଣ ଯୁବ ସ୍ଵେଚ୍ଛାସେବୀଙ୍କୁ ଚୟନ କରାଯାଇଛି। ସେମାନଙ୍କ ଶରୀରରେ ପ୍ରଥମେ ଟିକା ଦିଆଯିବ। ଏହି ଟିକାକୁ ଏନଆଇଏଚ୍ ଏବଂ ମାଡର୍ନା ଇଙ୍କ ମିଳିତ ଭାବେ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଆମେରିକା ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅଧିକାରୀ ପ୍ରମୁଖ କହିଛନ୍ତି ଯେ କରୋନାର ଉପଯୁକ୍ତ ଟିକା ବଜାରକୁ ଆଣିବାରେ ପ୍ରାୟ ୧୨ରୁ ୧୮ମାସ ଲାଗିଯିବ।  

ଉଲ୍ଲେଖଯୋଗ୍ୟ ଯେ ସମଗ୍ର ବିଶ୍ଵରେ ୧୬୨,୭୭୪ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୬୪୬୦ଜଣଙ୍କ ମୃତ୍ୟୁ ହୋଇସାରିଛି। ଚୀନ ପରେ ଇଟାଲୀରେ ଅବସ୍ଥା ସାଂଘାତିକ ରହିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *