ପୁନଃ ନିଯୁକ୍ତି ପାଇଁ ଗଳାବାଟ ଖୋଜୁଛନ୍ତି ଅବସରପ୍ରାପ୍ତ ଅଧିକାରୀ
ଭୁବନେଶ୍ୱର,(ଓଟି) : ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ରାଜ୍ୟ ସରକାର ଆଉ ଠିକାରେ ନିଯୁକ୍ତି ଦେବେନାହିଁ ଓ ଏଭଳି ନିଯୁକ୍ତି ପାଇଥିବା ବୁଢା କର୍ମଚାରୀଙ୍କୁ ବିଦା କରିବାକୁ ସଚିବ ସ୍ତରୀୟ ବୈଠକରେ ନିଷ୍ପତ୍ତି ହେବାପରେ ଏବେ ବି କେତେକ ଅବସରପ୍ରାପ୍ତ କର୍ମଚାରୀ ପୁନଃ ନିଯୁକ୍ତିପାଇଁ ଗଳାବାଟ ଖୋଜୁଛନ୍ତି। ଏହି ତାଲିକାରେ ସବୁଠାରୁ ଆଗରେ ଅଛନ୍ତି ଜଣେ ଅବସରପ୍ରାପ୍ତ ଡ୍ରଗ୍ସ କଣ୍ଟ୍ରୋଲର।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଡ୍ରଗ୍ସ କଣ୍ଟ୍ରୋଲର ଜଣଙ୍କ ଅବସର ପାଇବା ପରଠାରୁ ପୁନଃ ନିଯୁକ୍ତି ପାଇଁ ଉଦ୍ୟମ ଚଳାଇଥିବାବେଳେ ଏବେ ତାହାକୁ ଜୋରଦାର କରିଛନ୍ତି। ବିଭିନ୍ନ ସ୍ତରରୁ ସରକାରଙ୍କ ଉପରେ ଚାପ ପକାଇବାରେ ଲାଗିଛନ୍ତି। ଏପରିକି ବିଭାଗୀୟ ମନ୍ତ୍ରୀଙ୍କ ଘରକୁ ଏଥିପାଇଁ ଯାଇ ଲବି କରୁଥିବାର ବି ଶୁଣିବାକୁ ମିଳୁଛି। ଯୁକ୍ତି ହେଉଛି ଯେ ରାଜ୍ୟରେ ବର୍ତ୍ତମାନ ଜଣେ ନିୟମିତ ଡ୍ରଗ୍ସ କଣ୍ଟ୍ରୋଲର ନଥିବାବେଳେ ସରକାର ପଶ୍ଚିମଓଡିଶାରେ ଆଉ ଗୋଟିଏ ଡ୍ରଗ୍ସ କଣ୍ଟ୍ରୋଲର ଦପ୍ତର ଖୋଲିବାକୁ ଯାଉଛନ୍ତି। ତେଣୁ ଆବଶ୍ୟକତା ଦୃଷ୍ଟିରୁ ଏଭଳି ଠିକା ନିଯୁକ୍ତି ଦିଆଯାଉ।
ଉଲ୍ଲେଖନୀୟ ଯେ ୨୦୧୨ ମସିହା କଟକ ଔଷଧ ମୃତ୍ୟୁ ପରଠାରୁ ରାଜ୍ୟରେ ନିୟମିତ ଡ୍ରଗ୍ସ କଣ୍ଟ୍ରୋଲର ନାହାନ୍ତି। ଏହି ଘଟଣାରେ ତତ୍କାଳୀନ ଡ୍ରାଗ୍ସ କଣ୍ଟ୍ରୋଲରଙ୍କୁ ସରକାର ହଟାଇ ଦେବାପରେ ଠିକାରେ ବିଭାଗର ଗୁଇନ୍ଦା ମୁଖ୍ୟଙ୍କୁ ଏହି ଦାୟିତ୍ୱ ଦେଇଥିଲେ। ଦୀର୍ଘଦିନ ଧରି ନିୟମିତ ଡ୍ରଗ୍ସ କଣ୍ଟ୍ରୋଲର ନିଯୁକ୍ତି ଦିଆଯାଇନଥିବାବେଳେ ଠିକାରେ ଥିବା ମୁଖ୍ୟଙ୍କ ଅବସର ପରେ ମଧ୍ୟ ସରକାର ଏବେ ବି ଅତିରିକ୍ତ ଦାୟିତ୍ୱରେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ ଚଳାଉଛନ୍ତି।
ତେବେ ସବୁଠାରୁ ବଡ କଥା ହେଲା ପୁନଃ ନିଯୁକ୍ତି ପାଇଁ ଲାଗିପଡିଥିବା ଅବସରପ୍ରାପ୍ତ ଅଧିକାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ ହୋଇଥିବାବେଳେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଭଳି ସାଂଘାତିକ ଅଭିଯୋଗମାନ ରହିଛି। ଏପରିକି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତଦନ୍ତ କମିଶନ ବି ସୁପାରିଶ୍ କରିଛନ୍ତି। ତେଣୁ ତାଙ୍କୁ ପୁନଃ ନିଯୁକ୍ତି ଦେବାପାଇଁ ସ୍ୱାସ୍ଥ୍ୟ ବିଭାଗ କୁନ୍ଥୁ କୁନ୍ଥୁ ହେଉଥିବାବେଳେ ପ୍ରବଳ ଚାପର ସମ୍ମୁଖୀନ ହୋଇପାରୁନଥିବା ଜଣାଯାଇଛି।
ତେବେ ଜଣେ ଅବସରପ୍ରାପ୍ତ କର୍ମଚାରୀ ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ପୁନଃ ନିଯୁକ୍ତି ପାଇଁ ଲାଗି ପଡିଥିବାବେଳେ ସରକାର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏଭଳି ଏକ ସର୍ବୋଚ୍ଚ ପଦବୀରେ କାହିଁକି ଅତିରିକ୍ତ ଅଧିକାରୀ ନିଯୁକ୍ତି କରୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତବର୍ଷ ଅକ୍ଟେବାର ମାସରେ ଏହି ପନଦୀରେ ନିୟମିତ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହେବାର କେଇଘଣ୍ଟା ଭିତରେ ତାହା ରଦ୍ଦ ହେବା ମଧ୍ୟ ଏବେ ବି ରହସ୍ୟ ଘେରରେ ରହିଛି।