ଆଞ୍ଚଳିକ ଦଳ ବିଜେଡିର ଚାନ୍ଦା ସର୍ବାଧିକ

ନିର୍ବାଚନ କମିଶନଙ୍କ ନିକଟରେ ଦେଶର ୧୫ଟି ଆଞ୍ଚଳିକ ଦଳ ୨୦ହଜାର ଟଙ୍କାରୁ କମ୍‍ ପରିମାଣର ଚାନ୍ଦା ଆଦାୟର ବିବରଣୀ ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ବିଜେଡି ସବୁଠାରୁ ଆଗରେ ରହିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଅନ୍ୟ ଦଳ ତୁଳନାରେ ବିଜେଡି ସର୍ବାଧିକ ୧୩ କୋଟି ୪ଲକ୍ଷ ଟଙ୍କା ପାଇଛି।

ବିଜେଡିକୁ ୫ଟି କର୍ପୋରେଟ ଓ ବ୍ୟବସାୟିକ ସଂସ୍ଥାରୁ ୧୩ କୋଟି ଟଙ୍କାର ଚାନ୍ଦା ମିଳିଥିବାବେଳେ ଜଣେ ବ୍ୟକ୍ତି ଦଳକୁ ୪ଲକ୍ଷ ଟଙ୍କାର ଚାନ୍ଦା ପ୍ରଦାନ କରିଛନ୍ତି।

ବିଜେଡି ପଛକୁ ରହିଛି ଜେଡିୟୁ। ଏହି ଦଳକୁ ୬ଟି ଚାନ୍ଦାରୁ ୧୧କୋଟି ୧୯ଲକ୍ଷ ମିଳିଥିବାବେଳେ ୱାଇଏସ୍‍ଆର କଂଗ୍ରେସ ୮କୋଟି ୩୫ଲକ୍ଷ ଟଙ୍କାର ଚାନ୍ଦା ପାଇ ତୃତୀୟ ସ୍ଥାନରେ ରହିଥିବା ନେସ୍‍ନାଲ ଇଲେକସନ ୱାଚ୍‍ ଓ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ସମସ୍ତ ସୂଚନାର ବିଶ୍ଲେଷଣ କରି ସୂଚନା ପ୍ରଦାନ କରିଛି।

ନିର୍ବାଚନ କମିଶନଙ୍କ ନିକଟରେ ଆପ୍‍, ଶିରୋମଣି ଅକାଳୀ ଦଳ, ଡିଏମ୍‍କେ, ଏସ୍‍ଡିଏଫ୍‍, ଏନ୍‍ପିଏଫ୍‍, ଏମ୍‍ଜିପି, ଏମ୍‍ଏନ୍‍ଏସ୍‍, ପିଏମ୍‍କେ, ଏଆଇଏନ୍‍ଆରସି ଓ ଡିଏମ୍‍ଡିକେ ୨୦ହଜାର ଟଙ୍କାରୁ କମ୍‍ ପରିମାଣର ପାଇଥିବା ଚାନ୍ଦା ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ଦେଇଛନ୍ତି। ଏହିସବୁ ଦଳ ଗୁଡିକ ୨୮୨୪ଟି ଚାନ୍ଦାରୁ ମୋଟ୍‍ ୫୪ କୋଟି ୮୧ ଲକ୍ଷ ଟଙ୍କା ପାଇଥିବା ଦର୍ଶାଇଛନ୍ତି।

ୱାଇଏସ୍‍ଆର କଂଗ୍ରେସ, ଟିଆରଏସ୍‍, ଜେଡିୟୁ ଏବଂ ଡିଏମ୍‍ଡିକେର ଚାନ୍ଦା ପରିମାଣ ୨୦୧୬-୧୭ ତୁଳନାରେ ୨୦୧୭-୧୮ ରେ ସର୍ବାଧିକ ବୃଦ୍ଧି ପାଇଛି। ୱାଇଏସ୍‍ଆର କଂଗ୍ରେସର ଚାନ୍ଦା ପରିମାଣ ୯୫ % ବଢିଥିବାବେଳେ ଡିଏମ୍‍ଡିକେର ୯୩ %, ଟିଆରଏସ୍‍ର ୯୦ ଓ ଜେଡିୟୁର ୮୭ % ବଢିଛି।

ଆଞ୍ଚଳିକ ଦଳ ଗୁଡିକ ୨୦୧୭-୧୮ ବର୍ଷରେ ୫୪କୋଟି ୮୧ ଲକ୍ଷ ଟଙ୍କାର ଚାନ୍ଦା ପାଇଥିବା ଘୋଷଣା କରିଥିବାବେଳେ ଏଥିରୁ ୭୭ ଲକ୍ଷ ୪୯ ହଜାର ଟଙ୍କା ନଗଦ ଅର୍ଥ ଆକାରରେ ପାଇଛନ୍ତି। ଯାହାକି ମୋଟ୍‍ ଚାନ୍ଦାର ମାତ୍ର ୧.୪%। ଏନ୍‍ପିଏଫ୍‍ ଦଳ ସର୍ବାଧିକ ୬୫ଲକ୍ଷ ୨୬ ହଜାର ଟଙ୍କାର ନଗଦ ଚାନ୍ଦା ପାଇଥିବାବେଳେ ଏଆଇଏନ୍‍ଆରସି ୪ଲକ୍ଷ ୨୦ହଜାର ଟଙ୍କାର ଚାନ୍ଦା ପାଇଛି।

ତାମିଲନାଡୁରେ ଆଞ୍ଚଳିକ ଦଳ ଗୁଡିକ ସର୍ବାଧିକ ୪ଲକ୍ଷ ୩୨ ହଜାର ଟଙ୍କା ଚାନ୍ଦା ଆକାରରେ ପାଇଥିବାବେଳେ ଏହା ପଛକୁ ପୁଡୁଚେରୀ ଦ୍ୱିତୀୟ ସ୍ଥାନରେ ରହିଛି। ଆଞ୍ଚଳିକ ଦଳ ଗୁଡିକ ୨୬ଟି ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ ୧୭ ଦେଶରେ ଥିବା ଦାତାଙ୍କ ଠିକଣା ଦର୍ଶାଇଛନ୍ତି। କେବଳ ଆପ୍‍ ବିଦେଶରୁ ଚାନ୍ଦା ପାଇଥିବା ଦର୍ଶାଇଛି।

ଆଞ୍ଚଳିକ ଦଳ ଗୁଡିକ ଦିଲ୍ଲୀରୁ ସର୍ବାଧିକ ୧୭.୯୪୬ କୋଟି ଟଙ୍କା ପାଇଥିବାବେଳେ ମହାରାଷ୍ଟ୍ରରୁ ୯କୋଟି ୩ଲକ୍ଷ ଏବଂ କର୍ଣ୍ଣାଟକରୁ ୫.୧୯୪ କୋଟି ପାଇଛନ୍ତି। ୨୦ହଜାର ଟଙ୍କାର ଅଧିକ ପରିମାଣର ଚାନ୍ଦା ଆକାରରେ ଆପ୍‍ ବିଦେଶରୁ ୦.୪୧୬ କୋଟି ଟଙ୍କା ପାଇଛି।

ସେହିଭଳି ୧୪୮ଟି କର୍ପୋରେଟ ଓ ବ୍ୟବସାୟ ପ୍ରତିଷ୍ଠାନ ୨୭କୋଟି ୫୧ ଲକ୍ଷ ଟଙ୍କାର ଚାନ୍ଦା ଆଞ୍ଚଳିକ ଦଳକୁ ଦେଇଥିବାବେଳେ ୨୬୪୭ ଜଣ ବ୍ୟକ୍ତିଗତ ଭାବେ ୨୬କୋଟି ୧୫ ଲକ୍ଷ ଟଙ୍କାର ଚାନ୍ଦା ୨୦୧୭-୧୮ ବର୍ଷରେ ଦେଇଛନ୍ତି।

ଅନୁରୂପ ଭାବେ ଜାତୀୟ ଦଳ ଗୁଡିକ ୧୩୬୧ କର୍ପୋରେଟ ଓ ବ୍ୟବସାୟିକ ଅନୁଷ୍ଠାନରୁ ୪୨୨ କୋଟି ୪ଲକ୍ଷ ଟଙ୍କାର ଚାନ୍ଦା ପାଇଛନ୍ତି। ଯାହାକି ସେମାନଙ୍କ ମୋଟ୍‍ ଚାନ୍ଦାର ପ୍ରାୟ ୯୦% । ସେହିଭଳି ଜାତୀୟ ଦଳ ଗୁଡିକ ୨୭୭୨ ଜଣ ବ୍ୟକ୍ତିଗତ ଭାବେ ୪୭କୋଟି ୧୨ ଲକ୍ଷ ଟଙ୍କାର ଚାନ୍ଦା ଦେଇଛନ୍ତି।

Leave a Reply

Your email address will not be published. Required fields are marked *