ନିର୍ବାଚନ ହୋଲି : ରାହୁଲଙ୍କ ‘ରାଫେଲ’ ପିଚକାରୀରେ ମୋଦିଙ୍କ ‘ରାଷ୍ଟ୍ରବାଦ’ ରଙ୍ଗ

ରାଜନୈତିକ ହୋଲିର ନାମ ଶୁଣିଛନ୍ତି କି? ହଁ, ଯେଉଁଥିରେ ‘ଦାଗ’ ଭଲ ବୋଲି କୁହାଯାଏ। ଅର୍ଥାତ୍ ଯିଏ ଦାଗଯୁକ୍ତ ନୁହେଁ, ସେ ନେତା କଳାକାର ନୁହେଁ। ଏଭଳି ନେତା ରାଜନୀତି ଓ ହୋଲିରେ ଦେଖିବାକୁ ମିଳିଥାଏ। ଉତ୍ତର ଭାରତରେ ହୋଲି ପୂର୍ବରୁ ଯେପରି ହୋଲିକା ଦହନ କାର୍ଯ୍ୟକ୍ରମ ହୋଇଥାଏ, ରାଜନୀତିରେ ସେହିପରି ଜଣେ ଆଉ ଜଣେ ନେତାକୁ ପୋଡି ପାଉଁଶ କରିବାର କାମ କରାଯାଇଥାଏ। ନିର୍ବାଚନରେ ଜୁମଲା ଭର୍ତ୍ତି ବେଲୁନ‍୍‌ ଫିଙ୍ଗାଯିବା ସହିତ ଶବ୍ଦବାଣର ପିଚକାରୀ ଚାଲିଥାଏ। ଜଣେ ଅନ୍ୟର କୁର୍ତ୍ତା ଚିରୁଥିବାବେଳେ କିଏ ରଙ୍ଗ ବେରଙ୍ଗ ଟୋପି ବଦଳାଉଥାଏ। ତେଣୁ ପ୍ରଶ୍ନ ଉଠୁଛି ନିର୍ବାଚନ ବେଳେ ହୋଲଇ ଉତ୍ସବ ପଡୁଥିବାରୁ କେଉଁ ନେତା କି ପ୍ରକାରର ରଙ୍ଗ ଲଗାଇବାକୁ ଚାହିଁବ।

ଆଗକୁ ନିର୍ବାଚନ ଥିବାରୁ ଏହି ହୋଲିରେ ପ୍ରଧାନମନ୍ତ୍ରୀ ମୋଦି ଲୋକମାନଙ୍କଠାରେ ରାଷ୍ଟ୍ରବାଦର ରଙ୍ଗ ଲଗାଇବାକୁ ଚାହିଁବେ। ଏହି ରଙ୍ଗ ଯେପରି ଆଗାମୀ ଦୁଇମାସ ପର୍ଯ୍ୟନ୍ତ ନ ଲିଭିବ ସେଥିପାଇଁ ମୋଦି ଚାହିଁବେ।

ମୋଦିଙ୍କ ଭଳି ପ୍ରଧାନମନ୍ତ୍ରୀ ହେବାକୁ ପ୍ରୟାସ ଆରମ୍ଭ କରିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ଗତ ଦିପାବଳୀରେ ବଞ୍ଚିଯାଇଥିବା ରାଫେଲ ରକେଟର ସାହାଯ୍ୟ ନେବେ। ଏହି ରାଫେଲ ରକେଟ‍୍‌ ମାଧ୍ୟମରେ ହୋଲି ଦିନ ମୋଦିଙ୍କ ଚେହେରାରେ ଦୁର୍ନୀତିର ରଙ୍ଗ ବୋଳିବେ।

ଆସନ୍ତୁ ଦେଖିବା କିଏ କେଉଁ ରଙ୍ଗ ଲଗାଇବ ଓ କିଏ କେଉଁ ରଙ୍ଗରୁ ଦୂରେଇ ରହିବ

ମୋଦିଙ୍କ ପସନ୍ଦର ରଙ୍ଗ

ରଙ୍ଗ ନିଜେ ଲଗାଇବା ଓ ସ୍ୱଚ୍ଛତା ଅଭିଯାନରେ କିପରି ଆଗରେ ରହି ଅଂଶ ଗ୍ରହଣ କରାଯାଏ ତାହା ମୋଦିଙ୍କଠାରୁ ଶିଖିବା କଥା। ମୋଦି କଳା ରଙ୍ଗକୁ ପସନ୍ଦ କରିନଥାନ୍ତି। ଏହି ରଙ୍ଗକୁ ନେଇ ଟିକିଏ ଦ୍ୱନ୍ଦ୍ୱ ରହିଛି। ମୋଦି କେବେ ବି କଳା ରଙ୍ଗ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ। ଅର୍ଥାତ୍ ପ୍ରତି ହୋଲିରେ ଅଧିକାରୀମାନେ କଳା ଖୋଜିବାରେ ଳାଗିପଡିଥାନ୍ତି। ସେହି କଳା ହେଉଛି କଳାଧନ ବା ବ୍ଲାକମନି। ତାହାକୁ ଖୋଜିବାକୁ କହିଥାନକ୍ତି। ଏହି କଳାଧନକୁ ରୋକିବା ପାଇଁ ମୋଦି ଯେଉଁ ବିମୁଦ୍ରୀକରଣ ବା ନୋଟବନ୍ଦୀ କରିଥିଲେ ତା ଦ୍ୱାରା କେତେ ଲୋକଙ୍କ ଚେହେରାରୁ ରଙ୍ଗ ଉଡାଇ ଦେଇଛନ୍ତି।

କଳା ଟଙ୍କା ମିଳିଲା କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ନାହିଁ। କିନ୍ତୁ ହୋଲି ସମୟରେ ପକେଟରେ ଥିବା ନୋଟର ରଙ୍ଗ ଯେପରି ବଦଳିଯାଏ ଏବେ ତାହା ପ୍ରଥମରୁ ଗୁଲାବୀ, ସବୁଜ, ହଳଦିଆ ଓ ନୀଳ ରଙ୍ଗରେ ପରିବର୍ତ୍ତିତ ହୋଇଛି।

ରାହୁଲଙ୍କ ଭାଷଣରେ ଲୁଚି ରହିଛି ତାଙ୍କ ରଙ୍ଗ

୨୦୧୯ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ ପିଚକାରୀରେ ଶୁଖିଲା ଓ ଓଦା ରଙ୍ଗ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ପକାଇବାରେ ଲାଗିଛନ୍ତି। ବର୍ତ୍ତମାନ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ରାଫେଲ ନାମକ ଦୁର୍ନୀତି ରଙ୍ଗ ବୋଳିବାରେ ବ୍ୟସ୍ତ ଅଛନ୍ତି। କେବଳ ସେତିକି ନୁହେଁ ବେକାରୀ ଯୋଗୁଁ ରଙ୍ଗହୀନ ହୋଇପଡିଥିବା ଯୁବକମାନଙ୍କର ରଙ୍ଗ ଦେଖାଇ ବିଜେପିର ହୋଲି ପାର୍ଟି ବାତିଲ କରିବା ଯୋଜନାରେ ଅଛନ୍ତି। ଏଠାରେ ଯେଉଁ ସମସ୍ୟା ରହିଛି ତାହା ହେଲା ସେ ହୋଲି ଖେଳିବାକୁ ଚାହୁଁଥିଲେ ଦେଶର ଅନ୍ୟ ବିରୋଧି ଦଳମାନେ ତାଙ୍କ ସହିତ ମିଶିବାକୁ ରାଜି ନୁହଁନ୍ତି। ତେଣୁ ସେ ଏକୁଟିଆ ହୋଲି ଖେଳିବା ଚିନ୍ତାରେ ଅଛନ୍ତି।

ହୋଲିରେ ଯୋଗୀଙ୍କର ଗୋଟିଏ ରଙ୍ଗ

ହୋଲି କେବଳ ରଙ୍ଗ ନୁହେଁ, ରଙ୍ଗର ଉତ୍ସବ। କିନ୍ତୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କଥା ବହୁତ ଅଲଗା। ଯୋଗୀଙ୍କୁ କେହି କେବେ ଧଳା, ସବୁଜ, ନୀଳ ଓ ହଳଦିଆ ରଙ୍ଗର ବସ୍ତ୍ରରେ ଦେଖିନଥିବେ। ସେ ଗୋଟିଏ ରଙ୍ଗର ବସ୍ତ୍ର ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି। ଏହା ହେଉଛି ଗୈରିକ ରଙ୍ଗ। ସେ ଗେରୁଆ ରଙ୍ଗ ବ୍ୟତୀତ ଅନ୍ୟ ରଙ୍ଗରେ ହୋଲି ଖେଳିଥିବେ କି ନାହିଁ ତାହା ଜଣାନାହିଁ। ଏବେ ଶୁଣା ଯାଉଛି ଯୋଗୀଙ୍କ ଟିମ ମେମ୍ୱରମାନେ ‘ଲଠମାର ହୋଲି’ ଖେଳିବାକୁ ପସନ୍ଦ କରିଥାନ୍ତି।

ଅରବିନ୍ଦ କେଜ୍ରିୱାଲ ଆଜିକାଲି ହୋଲି ଫ୍ରେଣ୍ଡ ଖୋଜୁଛନ୍ତି

ଧଳା ରଙ୍ଗର ପତାକା ଧରି ରାଜନୀତି କରୁଥିବା ଅରବିନ୍ଦ କେଜ୍ରିୱାଲ ଆଜିକାଲି ହୋଲି ଖେଳିବାକୁ ସାଙ୍ଗ ଖୋଜୁଛନ୍ତି। ଏପରିକି ତାଙ୍କୁ କାହିଁକି ସାଙ୍ଗ ନ ମିଳିବେ ସେଥିପାଇଁ ସେ ଧାରଣା ଦେବାକୁ ପ୍ରସ୍ତୁତ। ତାଙ୍କ ପାଇଁ ଏଭଳି ପରିସ୍ଥିତି ଏବେ ସୃଷ୍ଟି ହୋଇଛି। ଏଥିପାଇଁ ସେ ଧୈର୍ଯ୍ୟହରା ହେଲେ ବି ଉଦ୍ୟମ ଜାରି ରଖିଛନ୍ତି।

ଏଭଳି ହୋଲି ଖେଳୁଥିବା ପୁରୁଣା ଖେଳାଳୀ ସାଙ୍ଗମାନେ ଏବେ କେଜ୍ରିୱାଲଙ୍କଠାରୁ ଦୂରେଇ ଯାଇଛନ୍ତି। ତାଙ୍କ ସାଙ୍ଗମାନଙ୍କ ମତରେ ସେ ନିଜେ ପିଚକାରୀ ନିଜ ଉପରକୁ ମାରି ରଙ୍ଗେଇ ହେବାକୁ ଚାହାଁନ୍ତି।

ଲାଲ ରଙ୍ଗକୁ ମମତା ବାନାର୍ଜୀଙ୍କର ଭୟ

ବଙ୍ଗଳାରେ ହୋଲିର ଟ୍ରେଣ୍ଡ କେବଳ ଲାଲ ରଙ୍ଗ ଥିଲା। ଏହି ଟ୍ରେଣ୍ଡକୁ ମମତା ବାନାର୍ଜୀ ଭାଙ୍ଗି ଦେଇଛନ୍ତି। ସେ କେବଳ ସବୁଜ ରଙ୍ଗରେ ହୋଲି ଖେଳିବାକୁ ପସନ୍ଦ କରନ୍ତି ବୋଲି ଅଭିଯୋଗ ହୁଏ। ସେ ରମଜାନ ପାଇଁ ହୋଲି ଖେଳନ୍ତି ନାହିଁ ବୋଲି ମଧ୍ୟ କୁହାଯାଏ।

ମମତା ଦିଦି ଲାଲ ଓ ଗେରୁଆ ରଙ୍ଗଠାରୁ ଦୂରେଇ ରୁହନ୍ତି। କିନ୍ତୁ ହୋଲି ଖେଳିବା ପାଇଁ ସମଗ୍ର ଦେଶରୁ ଅଲଗା ଅଲଗା ରାଜ୍ୟରୁ ବନ୍ଧୁଙ୍କର ଅଭାବ ନାହିଁ। କିନ୍ତୁ ମମତା ଦିଦି ତାଙ୍କ ହୋଲି ଉତ୍ସବରେ ରାହୁଲଙ୍କୁ ମିଶାଇବାର ସମ୍ଭାବନା ନାହିଁ।

ମାୟାବତୀ-ଅଖିଳେଶ ନୂଆ ରଙ୍ଗ ତିଆରିରେ ବ୍ୟସ୍ତ

ସଭିଙ୍କ ପ୍ରିୟ ମାୟାବତୀ ହୋଲି ଖେଳନ୍ତି କି ନାହିଁ କହିବା ବଡ଼ କଷ୍ଟକର କଥା। କିନ୍ତୁ କ୍ଷମତା ହୋଲିରେ ସେ ପୁରୁଣା ରଙ୍ଗକୁ ନୂଆ ରୂପ ଦେବା ପାଇଁ ଲାଗିଛନ୍ତି। ତାଙ୍କ ସହିତ ଏବେ ଅଖିଳେଶ ଯାଦବ ସାମିଲ ହୋଇଛନ୍ତି। ଅର୍ଥାତ୍ ଏସପି-ବିଏସପି ହୋଲିରେ ମାୟାବତୀ କେତେବେଳେ କେଉଁ ରଙ୍ଗ ଉଡାଇବେ ତାର ଅନୁମାନ ଲଗାିବା ବଡ କଷ୍ଟକର କଥା।

ମାୟାବତୀଙ୍କର ପସନ୍ଦର ରଙ୍ଗ ହେଉଛି ନୀଳ। କିନ୍ତୁ ଚଳିତ ନିର୍ବାଚନରେ ସେ ଉତ୍ତରପ୍ରଦେଶରେ ‘ଦଳିତ-ମୁସଲମାନ’ ରଙ୍ଗ ସହିତ ହୋଲି ଖେଳୁଛନ୍ତି। ଏଥିପାଇଁ ସେ ଏତେ ପରିମାଣରେ ଦୃଢନିଶ୍ଚିତ ଯେ କଂଗ୍ରେସକୁ ନିଜ ସାଙ୍ଗରେ ନେବାକୁ ପସନ୍ଦ କରୁନାହାନ୍ତି। ମାୟାବତୀଙ୍କ ଯୋଗୁଁ ଉତ୍ତରପ୍ରଦେଶରେ ଦୁଇ ଯୁବକ ଅଖିଳେଶ ଓ ରାହୁଲ ବି ଏକ ସାଥିରେ ହୋଲି ଖେଳିପାରୁନାହାନ୍ତି।

ରଙ୍ଗରୁ ମେହେବୁବାଙ୍କ ମୋହ ଭଙ୍ଗ

କାଶ୍ମୀର ହେଉ କି କନ୍ୟାକୁମାରୀ, ସବୁଠାରେ ହୋଲିରୁ କେହି ବଞ୍ଚିପାରୁନାହାନ୍ତି। କିଛି ଦିନ ପୂର୍ବରୁ କାଶ୍ମୀରରେ ବିଜେପି ଓ ପିଡ଼ିପି ମିଳିତ ହୋଇ ଏକା ସାଙ୍ଗରେ ହୋଲି ପାଳୁଥିଲେ। କିନ୍ତୁ ପରଷ୍ପର ଉପରେ ଏପରି ରଙ୍ଗ ଲଗାଇବାକୁ ଚାହିଁବାରୁ ସେମାନଙ୍କ ବନ୍ଧୁତା ଭାଙ୍ଗି ଯାଇଛି। କାହାର ରଙ୍ଗ ଅସଲି ଓ କାହାର ନକଲି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଫଳରେ ମେହେବୁବାଙ୍କର ହୋଲିରୁ ମୋହ ଭଙ୍ଗ ହୋଇଯାଇଛି।

ଚନ୍ଦ୍ରବାବୁ ନାଇଡୁଙ୍କୁ କେଉଁ ରଙ୍ଗ ପସନ୍ଦ କେହି ଜାଣିନାହାନ୍ତି

ପୂର୍ବ-ପଶ୍ଚିମ ହେଉ ବା ଉତ୍ତର-ଦକ୍ଷିଣ ରଙ୍ଗ ପରିବର୍ତ୍ତନ, ରଙ୍ଗ ଲଗାଇବା ଓ ଛଡାଇବାର ହାୱା ଚାଲିଛି। କାଲି ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାୟଡୁଙ୍କ ଉପରେ ମୋଦିଙ୍କର ରଙ୍ଗ ଚଢିଥିଲା। କିନ୍ତୁ ଯିଏ ଚଢେ ସେ ଓହ୍ଲାଏ ବି। ଏବେ ଚନ୍ଦ୍ରବାବୁ ନାୟଡୁ ମୋଦି ରଙ୍ଗରୁ ନିଜକୁ ମୁକ୍ତ କରି ନୂଆ ରଙ୍ଗ ସନ୍ଧାନରେ ଅଛନ୍ତି। ହୋଲି ଖେଳିବା ପାଇଁ ନୂଆ ସାଙ୍ଗମାନଙ୍କଠାରୁ ନିର୍ଭର ବନ୍ଧୁତା ଚାହୁଁଛନ୍ତି।

Leave a Reply

Your email address will not be published.