‘ପିଏମ୍ ନରେନ୍ଦ୍ର ମୋଦି’ ବାୟୋପିକ୍ ରିଲିଜ୍ ମାମଲା, କାରଣ ମାଗିଲା ସୁପ୍ରିମକୋର୍ଟ

‘ପିଏମ୍ ନରେନ୍ଦ୍ର ମୋଦି’ ବାୟୋପିକ୍ ରିଲିଜକୁ ନେଇ ବିରୋଧି ଦଳ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଦାଏର୍ କରାଯାଇଥିଲା । ଏହାର ଶୁଣାଣୀ ୮ ତାରିଖରେ ହେବ ବୋଲି ଖବର ପ୍ରକାଶ ହେବା ପରେ ସିନେପ୍ରେମୀ ଓ ମୋଦିଙ୍କ ଅଗଣିତ ପ୍ରଶଂସକ ଏହାକୁ ଅପେକ୍ଷା କରି ବସିଥିଲେ । ଆଜି ସୁପ୍ରିମକୋର୍ଟ ପକ୍ଷରୁ ଏହାର ଶୁଣାଣୀ ହୋଇସାରିଛି । ମାମଲାର ଶୁଣାଣୀ କରି ପ୍ରଧାନ ନ୍ୟାୟାଧିଶ ରଂଜନ ଗୋଗୋଇ, ନ୍ୟାୟମୂର୍ତ୍ତି ଦୀପକ ଗୁପ୍ତା ଓ ସଂଜିବ ଖଳନ୍ନାଙ୍କ ୩ ଜଣିଆ ଖଣ୍ଡପୀଠ ପକ୍ଷରୁ କୁହାଯାଇଛି ଯେ ଏହି ବାୟୋପିକକୁ ଏବେ ପର୍ଯ୍ୟନ୍ତ ସେନସର୍ ବୋର୍ଡ଼ ପକ୍ଷରୁ ପ୍ରମାଣ ପତ୍ର ମିଳିନାହିଁ । ଫିଲ୍ମରେ କୌଣସି ଆପତ୍ତିଜନକ ଦୃଶ୍ୟ ଅଛି କିମ୍ବା ନାହିଁ, ତାହା ଜଣାପଡ଼ିନାହିଁ । ତେଣୁ ଫିଲ୍ମର ଏକ କପି ପ୍ରଥମେ ସୁପ୍ରିମକୋର୍ଟକୁ ଦିଆଯାଉ ।

କୋର୍ଟର ଏଭଳି ଶୁଣାଣୀରେ ପ୍ରତିପକ୍ଷରୁ ଦାବି ହୋଇଛି ଯେ ତାହେଲେ ଫିଲ୍ମନିର୍ମାତା କିଭଳି ଭାବେ ଏହାକୁ ୧୧ ତାରିଖରେ ରିଲିଜ୍ କରିବା ପାଇଁ ଘୋଷଣା କରିଥିଲେ । ଏହାର ଉତ୍ତରରେ କୋର୍ଟ ପକ୍ଷରୁ କୁହାଯାଇଛି ଯେ ଫିଲ୍ମନିର୍ମାତା ଏଭଳି କହିଥିବାର ଏକ ଲିଖିତ କପି ମଧ୍ୟ ପ୍ରଦାନ କରାଯାଉ । କାରଣ ହୁଏତ ଏମିତି ବି ହୋଇଥାଇ ପାରେ ଯେ ସେନ୍ସସର୍ ବୋର୍ଡ଼ ପକ୍ଷରୁ ପ୍ରମାଣ ପତ୍ର ମିଳିଯିବା ଆଶା ନେଇ ଫିଲ୍ମନିର୍ମାତା ଏଭଳି କହିଥାଇପାରନ୍ତି । ତେଣୁ କାହିଁକି ଏହାର ରିଲିଜ୍ ଡେଟରେ ପରିବର୍ତ୍ତନ କରାଯିବ ବୋଲି ପ୍ରଶ୍ନ ଉଠିଛି । ତେବେ ପ୍ରମାଣପତ୍ର ମିଳିବା ପରେ ପରବର୍ତ୍ତି ଶୁଣାଣୀ ହେବ ବୋଲି ଖଣ୍ଡପୀଠ କହିଛନ୍ତି ।

Leave a Reply

Your email address will not be published.