କରୋନା: କେରଳରେ ବିପତ୍ତି, ଗଠିତ ହେଲା ଜିଏମ୍ଓ
ନୂଆଦିଲ୍ଲୀ: କେରଳରେ ୩ ଜଣ ମାରାତ୍ମକ ଭାଇରସ୍ କରୋନା ଆକ୍ରାନ୍ତ ହୋଇଥିବର ଚିହ୍ନଟ ହୋଇସାରିଛି। ତେବେ ଆଗକୁ ଏହା ବ୍ୟାପିବାର ଆଶଙ୍କା ଥିବାରୁ କେରଳ ସରକାର ଏଥିପାଇଁ ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି। ତବେ ଲୋକଙ୍କୁ ଭୟଭୀତ ପାଇଁ ନୁହେଁ ବରଂ ସତର୍କ ଓ ସଚେତନତା ଲାଗି ଏହି ଘୋଷଣା କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କେକେ ସୈଲଜା କହିଛନ୍ତି।
ଅନ୍ୟପକ୍ଷରେ କରୋନା ଭାଇରସ ପାଇଁ କେନ୍ଦ୍ର ସରକାରଙ୍କ ମଧ୍ୟ ଚିନ୍ତା ବଢ଼ିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଚସ୍ତରୀୟ ଗ୍ରୁପ ଅଫ୍ ମିନିଷ୍ଟର୍ସ (ଜିଏମଓ) ଗଠିତ ହୋଇଯାଇଛି। କରୋନା ପାଇଁ ସରକାରୀ ପ୍ରସ୍ତୁତି ଓ ତର୍ଜମା କରିବା ସହ ବିଦେଶରେ ଥିବା ଭାରତୀୟଙ୍କ କଥା ମଧ୍ୟ ଜିଏମ୍ଓ ବୁଝିବେ। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଜି କିଷ୍ଣନ ରେଡ୍ଡୀ, ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିୟ ରହିଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ପିକେ ମିଶ୍ର ଦେଶରେ କରୋନା ଭାଇରସର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏଥିସହ ଚୀନର ଉହାନରୁ ଆସିଥିବା ୬୦୦ରୁ ଅଧିକ ଭାରତୀୟ କେଉଁଠି ଓ କିଭଳି ଅଛନ୍ତି ସେ ନେଇ ବିସ୍ତୃତ ବୁଝିଛନ୍ତି।