ସମ୍ବଲପୁରରେ ମୋଦି: ଚାଷୀ ଓ ଚାଷ ନେଇ ନବୀନଙ୍କ ଉପରେ ବର୍ଷିଲେ ମୋଦି

ସମ୍ବଲପୁର, (ପ୍ରଫୁଲ୍ଲ କୁମାର ଦାଶ): ମହାନଦୀ ଓ ହୀରାକୁଦ ନଦୀବନ୍ଧ ସତ୍ତେ୍ବ ସମ୍ବଲପୁର ଓ ଆଖପାଖ ଅଞ୍ଚଳରେ ଉପଯୁକ୍ତ ଜଳସେଚନ ବ୍ୟବସ୍ଥା ହୋଇପାରୁ ନାହିଁ। କ୍ଷେତକୁ ପାଣି ପହଞ୍ଚିପାରୁ ନାହିଁ। ବିଜେଡି ସରକାର ଚାଷୀଙ୍କୁ ପ୍ରତାରଣ କରୁଛି ବୋଲି ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମ୍ବଲପୁରଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।

ବିଜେପି ସରକାର ଗଠନ କଲେ କେନ୍ଦ୍ରରେ ଏକ ସ୍ଵତନ୍ତ୍ର ମନ୍ତ୍ରଣାଳୟ ଗଢ଼ିବ। ଯାହାର କାମ ରହିବ ସବୁ ଚାଷ ଜମିକୁ ପାଣି ଯୋଗାଇବା। ଏହି ମନ୍ତ୍ରଣାଳୟର ନାଁ ଜଳଶକ୍ତି ମନ୍ତ୍ରଣାଳୟ ରହିବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହା ସହ ମତ୍ସ୍ୟ ସମ୍ପଦ ଯୋଜନା ଜରିଆରେ ୧୦ ହଜାର କୋଟି ଟଙ୍କର ଖର୍ଚ କରାଯିବ ବୋଲି ସେ କହିଛନ୍ତି। ଏଥିରେ ଓଡ଼ିଶାର ଲୋକେ ସର୍ବାଧିକ ଫାଇଦା ପାଇବେ ବୋଲି ଶ୍ରୀ ମୋଦି କହିଛନ୍ତି।

ପ୍ରଚଣ୍ଡ ଗରମରେ ମୋଦିଙ୍କ ଭାଷଣ ଶୁଣିବାକୁ ଯଥେଷ୍ଟ ଗହଳି ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ସମ୍ବଲପୁରୀ ଭାଷାରେ ଲୋକଙ୍କୁ ଜୁହାର ଜଣାଇ ଆରମ୍ଭ କରିଥିଲେ ନିଜର ବକ୍ତବୃ୍ୟ। ରାଜ୍ୟ ସରକାରଙ୍କୁ ନିକମ୍ମ ଓ ଅପାରଗ ସରକାର ବୋଲି ଅଭିହିତ କରିଥିତଲେ। ଏହି ସରକାର ରାଜ୍ୟର ସମ୍ବଳ ଏବଂ ରାଜ୍ୟକୁ ଆସୁଥିବା ଅନୁଦାନକୁ ଉପଯୁକ୍ତ ଭାବେ ରାଜ୍ୟ ଜନସାଧାରଣଙ୍କ ଉତ୍‌ଥାନ ପାଇଁ ବ୍ୟବହାର କରିପାରୁ ନାହିଁ ବୋଲି ଶ୍ରୀ ମୋଦି କହିଛନ୍ତି। ଖଣି ମାଫିଆ ଓ ଚିଟ୍‌ଫଣ୍ଡ ଦଲାଲ୍‌ଙ୍କୁ ରାଜ୍ୟ ସରକାର ପ୍ରୋତ୍ସାହନ ତଥା ସୁରକ୍ଷା ଦେଉଥିବା ଶ୍ରୀ ମୋଦି କହିଛନ୍ତି। ଏପରିକି ଖଣିଜ ଅଞ୍ଚଳର ଆଖପାଖରେ ରହୁଥିବା ଲୋକଙ୍କ ବିକାଶ ପାଇଁ ନବୀନ ସରକାର ଚୁପ୍‌ ବସିଥିବା ସେ କହିଛନ୍ତି। କେନ୍ଦ୍ର ସରକାର ଖଣିଜ ଅଞ୍ଚଳ ଆଖପାଖରେ ଥିବା ଲୋକଙ୍କ ବିକାଶ ପାଇଁ ସ୍ଵତନ୍ତ୍ର ପାଣ୍ଠି ବ୍ୟବସ୍ଥା କରି ୬ ହଜାର କୋଟି ଟଙ୍କ ଦେଇଥିବା ବେଳେ ରାଜ୍ୟ ସରକାର ସେଥିରୁ ମାତ୍ର ୧ ହଜାର କୋଟି ଟଙ୍କା ବିନିଯୋଗ କରିପାରିଥିବା ସେ ସୂଚନା ଦେଇଛନ୍ତି।

ଚାଷୀଙ୍କ ସମସ୍ୟା ସମାଧାନ ଦିଗରେ ସରକାର ନୀରବ ରହୁଥିବା ଶ୍ରୀ ମୋଦି ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଉତ୍ପାଦନ ହେଉଛି କିନ୍ତୁ ତାହାକୁ କିଣିବା ଲାଗି ସରକାରୀ ସ୍ତରରେ ଉଦ୍ୟମ କରାଯାଉ ନାହିଁ। ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ଯୋଜନାରେ ସାଧାରଣ କୃଷକଙ୍କ ଲାଗି ସରକାର ୬ ହଜାର ଟଙ୍କା ନଗଦ ସହାୟତା ଦେବାକୁ ଚାହିଁଥିଲେ ମଧ୍‌ୟ ରାଜ୍ୟ ସରକାର ପ୍ରତିବନ୍ଧକ ହୋଇ ଠିଆ ହୋଇଛନ୍ତି। ଚାଷୀଙ୍କ ତାଲିକା ଦେବାରେ ସରକାର ଅସମର୍ଥ ରହିଛନ୍ତି। ଏବେ ଯେଉଁ କାଳିଆ ଯୋଜନା ଲାଗୁ କରାଯାଇଛି ତାହା ଦୁର୍ନୀତି ପୂଣ୍ଣ ବୋଲି ଶ୍ରୀ ମୋଦି କହିଛନ୍ତି।

ଟଙ୍କିକିଆ ପୋଷ୍ଟମ୍ୟାନ୍‌

ରାଜ୍ୟ ସରକାରଙ୍କୁ ପୋଷ୍ଟମ୍ୟାନ୍‌ ବୋଲି କହିଛନ୍ତି ଶ୍ରୀ ମୋଦି । ଯେଉଁ ୧ଟଙ୍କିଆ ଚାଉଳ ଯୋଜନା ଚାଲିଛି ତାହା କେନ୍ଦ୍ରୀୟ ଯୋଜନା। ନବୀନ ସରକାର ପୋଷ୍ଟମ୍ୟାନ୍‌ ଭଳି କାମ କରୁଛନ୍ତି ବୋଲି ମୋଦି କହିଛନ୍ତି। ଏହି ଯୋଜନାରେ କେନ୍ଦ୍ରୀୟ ଅଂଶଧନ ୨୫/୨୭ ଟଙ୍କା ଥିବାବେଳେ ରାଜ୍ୟ ସରକାର ମାତ୍ର ୧ ଟଙ୍କା ଦେଇଥଆନ୍ତି। ଏଣୁ ଚାଷୀ ଓ ଗରିବ ଲୋକଙ୍କୁ ଧୋକା ଦେଉଥିବା ରାଜ୍ୟ ସରକାର ବଦଳିବା ସମୟ ଆସିଛି ବୋଲି ମୋଦି କହିଥିଲେ। ଏବେ ରାଜ୍ୟା ଓ କେନ୍ଦ୍ରରେ ବିଜେପିର ଡବଲ୍‌ ଇଞ୍ଜିନ୍‌ ସରକାର ଆବଶ୍ୟକ ବୋଲି ସେ ଲୋକଙ୍କୁ ବୁଝାଇଥିଲେ।

Leave a Reply

Your email address will not be published.