ପାକ୍ ପାଇଁ କାନ୍ଦୁଛି କଂଗ୍ରେସ, ନାଗରିକତ୍ଵ ଆଇନ ପାଇଁ ସମର୍ଥନ ଲୋଡ଼ିଲେ ମୋଦି
ତୁମାକୁରୁ, (ଓଟି): ପାକିସ୍ତାନ ପ୍ରତି କଂଗ୍ରେସର ଏତେ ଦରଦ କାହିଁକି? ସେ ଦେଶ ଲାଗି କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକ କାନ୍ଦୁଛନ୍ତି କାହିଁକି? କଂଗ୍ରେସ ଓ ସରକାର ବିରୋଧୀ ଦଳଗୁଡ଼ିକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ଢଙ୍ଗରେ ଟାର୍ଗେଟ କରିଛନ୍ତି । ଦୁଇଦିନିଆ କର୍ଣ୍ଣାଟକ ଗସ୍ତ ଅବସରରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରାଯିବା ପ୍ରସଙ୍ଗକୁ ଖୁବ୍ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ସିଏଏ ଓ ଏନ୍ଆର୍ସିକୁ ବିରୋଧ କରିବା ନେଇ କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକ ଲୋକଙ୍କୁ ଉସୁକାଉଛନ୍ତି ଏବଂ ପାକିସ୍ତାନରେ ନିର୍ଯାତିତ ହେଉଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁ ନାହାନ୍ତି ।
ମୋଦି ଆହୁରି କହିଛନ୍ତି ଯେ ଧର୍ମ ଆଧାରରେ ଗଠିତ ପାକିସ୍ତାନରେ ସଂଖ୍ୟାଲଘୁ ଭାବେ ରହୁଥିବା ହିନ୍ଦୁ, ଶିଖ, ଜୈନ, ଖ୍ରୀଷ୍ଟିଆନ ଓ ବୌଦ୍ଧ ଧର୍ମକୁ ବିଶ୍ୱାସ କରୁଥିବା ଲୋକଙ୍କ ଉପରେ ନିର୍ଯାତନା ବଢ଼ିବାରେ ଲାଗିଛି । କିନ୍ତୁ କଂଗ୍ରେସ ଓ ଏହାର ସହଯୋଗୀମାନେ କେବେ ମଧ୍ୟ ପାକ୍ ବିରୋଧରେ କିଛି କହୁନାହାନ୍ତି । ଧାର୍ମିକ ଉତ୍ପୀଡ଼ନ ଲୋକଙ୍କ ସମେତ ଯୌନ ନିର୍ଯାତନାରୁ ମହିଳାଙ୍କୁ ଉଦ୍ଧାର କରିବାରେ ବାଧକ ସାଜୁଛନ୍ତି । ତେବେ ସିଏଏକୁ ବିରୋଧ କରୁଥିବା ଲୋକେ ପାକିସ୍ତାନ ବିରୋଧରେ କି ସେଠାରେ ନିର୍ଯାତିତ ଲୋକଙ୍କ ସମ୍ପର୍କରେ କାହିଁକି ମୁହଁ ଖୋଲୁନାହାନ୍ତି ବୋଲି ମୋଦି ପ୍ରଶ୍ନ କରିଛନ୍ତି । ଉକ୍ତ ବିଲ୍ ସଂସଦର ଉଭୟ ଗୃହରେ ପାସ୍ ହେବା ଏକ ଐତିହାସିକ ନିଷ୍ପତ୍ତି ହୋଇଥିବାବେଳେ କେତେକ ସଂସଦ ତଥା ଦେଶ ବିରୋଧୀ କାର୍ଯ୍ୟ କରୁଛନ୍ତି ବୋଲି ମଧ୍ୟ ମୋଦି ପ୍ରକାଶ କରିଛନ୍ତି । ଏଥିସହ ଭାରତ କେବେ ମଧ୍ୟ ପାକିସ୍ତାନ ସମେତ ଅନ୍ୟଦେଶରେ ନିର୍ଯାତିତ ହେଉଥିବା ସଂଖ୍ୟାଲଘୁ ମାନଙ୍କୁ ଯନ୍ତ୍ରଣା ଭୋଗିବାକୁ ଛାଡ଼ି ଚୁପ୍ ରହିପାରିବନି ବରଂ ସେମାନଙ୍କୁ ଉଦ୍ଧାର କରିବା ଆମର କର୍ତ୍ତବ୍ୟ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।