ଜଗତସିଂହପୁରର ସହିଦ ପ୍ରସନ୍ନ ସାହୁଙ୍କ ଅଦମ୍ୟ ସାହସ ଓ ପତ୍ନୀଙ୍କ ଧୈର୍ଯ୍ୟକୁ ସଲାମ କରୁଛି ସାରା ଦେଶ : ପ୍ରଧାନମନ୍ତ୍ରୀ
Canal Man of Odisha ଦୈତାରୀ ନାୟକଙ୍କ ଉଦଯୋଗକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ
ନିର୍ବାଚନ ପୂର୍ବରୁ ଓ ପୁଲୱାମା ଆକ୍ରମଣ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ କି ବାତ୍ ରେ ଓଡ଼ିଶାର ସହିଦ ପ୍ରସନ୍ନ ସାହୁ ଓ ପଦ୍ମଶ୍ରୀ ପୁରସ୍କାର ପାଇଥିବା ଦୈତାରୀ ନାୟକଙ୍କୁ ମନେ ପକାଇଛନ୍ତି। ମୋଦି କହିଛନ୍ତି ଆଜି ପ୍ପମନ କି ବାତ୍ଡ୍ଗ ଆରମ୍ଭ କରିବା ସମୟରେ ମନ ଦୁଃଖରେ ଭରି ରହିଛି । ୧୦ ଦିନ ପୂର୍ବେ ଭାରତମାତା ନିଜର ବୀର ପୁତ୍ରମାନଙ୍କୁ ହରାଇଛି । ଏହି ପରାକ୍ରମୀ ବୀରମାନେ, ଆମ ୧୨୫ କୋଟି ଭାରତୀୟମାନଙ୍କ ସୁରକ୍ଷା ପାଇଁ ନିଜର ବଳିଦାନ ଦେଇଛନ୍ତି । ଦେଶବାସୀ ଶାନ୍ତିରେ ଶୋଇପାରନ୍ତି, ଏଥିପାଇଁ ଆମର ଏହି ବୀର ସୁପୁତ୍ରମାନେ ଦିନ-ରାତି ଏକ କରିଦେଇଥିଲେ । ପୁଲୱାମାର ଆତଙ୍କବାଦୀ ଆକ୍ରମଣରେ ବୀର ଯବାନମାନଙ୍କ ବଳିଦାନ ପରେ ସମଗ୍ର ଦେଶର ଲୋକଙ୍କ ମନରେ ଆଘାତ ଏବଂ ଆକ୍ରୋଶ ଭାବ ରହିଛି । ସହିଦ ଏବଂ ସେମାନଙ୍କ ପରିବାର ପ୍ରତି ଚତୁର୍ଦିଗରୁ ସମବେଦନାର ସୁଅ ଛୁଟିଛି । ଏହି ଆତଙ୍କବାଦୀ ହିଂସା ବିରୋଧରେ ଯେଉଁ ଆବେଗ ଆପଣଙ୍କ ଏବଂ ମୋ ମନରେ ରହିଛି ସେହି ଭାବନା ପ୍ରତ୍ୟେକ ଦେଶବାସୀଙ୍କ ଅନ୍ତର୍ମନରେ ରହିଛି ଏବଂ ମାନବିକତାରେ ବିଶ୍ୱାସ କରୁଥିବା ବିଶ୍ୱ ସମୁଦାୟର ମାନବତାବାଦୀଙ୍କ ମଧ୍ୟରେ ବି ରହିଛି । ଭାରତମାତାଙ୍କ ସୁରକ୍ଷା ପାଇଁ ନିଜର ପ୍ରାଣବଳି ଦେଇଥିବା ଦେଶର ସମସ୍ତ ବୀର ସୁପୁତ୍ରମାନଙ୍କୁ ମୁଁ ପ୍ରଣାମ କରୁଛି ।
ଏହି ବଳିଦାନ ଆତଙ୍କବାଦକୁ ସମୂଳେ ନଷ୍ଟ କରିବା ପାଇଁ ଆମକୁ ଅନବରତ ଭାବେ ପ୍ରେରଣା ଯୋଗାଇବ, ଆମ ସଂକଳ୍ପକୁ ଆହୁରି ସୁଦୃଢ଼ କରିବ । ଦେଶ ସମ୍ମୁଖକୁ ଆସିଥିବା ଏହି ଆହ୍ୱାନର ମୁକାବିଲା ଆମ ସମସ୍ତଙ୍କୁ ଜାତିବାଦ, ସମ୍ପ୍ରଦାୟବାଦ, ଆଞ୍ଚଳିକତାବାଦ ଏବଂ ଅନ୍ୟ ସମସ୍ତ ଭେଦଭାବକୁ ଭୁଲି କରିବାକୁ ପଡ଼ିବ । ଆତଙ୍କବାଦ ବିରୁଦ୍ଧରେ ଆମର ପଦକ୍ଷେପ ପୂର୍ବ ଅପେକ୍ଷା ଯଥେଷ୍ଟ ଅଧିକ ସୁଦୃଢ଼ ହେଉ, ସଶକ୍ତ ହେଉ ଏବଂ ନିର୍ଣ୍ଣାୟକ ହେଉ । ଆମର ସଶସ୍ତ୍ର ବାହିନୀ ସବୁବେଳେ ଅଦ୍ୱିତୀୟ ସାହସ ଏବଂ ପରାକ୍ରମର ପରିଚୟ ଦେଇଆସିଛନ୍ତି । ଏକପକ୍ଷରେ ଶାନ୍ତି ପ୍ରତିଷ୍ଠା ପାଇଁ ସେମାନେ ଚମତ୍କାର କ୍ଷମତା ପ୍ରଦର୍ଶନ କରିଛନ୍ତି । ଅପରପକ୍ଷରେ ଆକ୍ରମଣକାରୀଙ୍କୁ ମଧ୍ୟ ସେମାନେ ତାଙ୍କରି ଭାଷାରେ ଜବାବ ଦେଇଛନ୍ତି । ଆପଣମାନେ ଲକ୍ଷ୍ୟ କରିଥିବେ ଯେ, ଆକ୍ରମଣର ଶହେ ଘଣ୍ଟା ମଧ୍ୟରେ ହିଁ କିଭଳି ପଦକ୍ଷେପମାନ ଗ୍ରହଣ କରାଯାଇଛି । ସେନାବାହିନୀ ଆତଙ୍କବାଦୀ ଏବଂ ସେମାନଙ୍କ ସହାୟକମାନଙ୍କୁ ସମୂଳେ ଧ୍ୱଂସ କରିବା ପାଇଁ ସଂକଳ୍ପ ଗ୍ରହଣ କରିସାରିଛନ୍ତି ।

ବୀର ସୈନିକମାନଙ୍କ ବଳିଦାନ ପରେ ଗଣମାଧ୍ୟମ ଜରିଆରେ ସେମାନଙ୍କ ପରିବାରଜନଙ୍କ ଯେଉଁ ପ୍ରେରଣାଦାୟୀ କଥାସବୁ ସମ୍ମୁଖକୁ ଆସିଛି ତାହା ସାରା ଦେଶକୁ ସାହସ ଏବଂ ଶକ୍ତି ପ୍ରଦାନ କରିଛି। ଓଡ଼ିଶାର ଜଗତସିଂହପୁରର ସହିଦ ପ୍ରସନ୍ନ ସାହୁଙ୍କ ପତ୍ନୀ ମୀନାଜୀଙ୍କ ଅଦମ୍ୟ ସାହସକୁ ମଧ୍ୟ ସାରା ଦେଶ ସଲାମ କରୁଛି । ସେ, ନିଜର ଏକମାତ୍ର ପୁଅକୁ ମଧ୍ୟ ସିଆରପିଏଫରେ ଭର୍ତ୍ତି କରେଇବା ପାଇଁ ସଂକଳ୍ପ କରିନେଇଛନ୍ତି । ଯେତେବେଳେ ତ୍ରିରଙ୍ଗାରେ ଆଚ୍ଛାଦିତ ଶହୀଦ ବିଜୟ ସୋରେନଙ୍କ ମରଶରୀର ଝାଡ଼ଖଣ୍ଡର ଗୁମ୍ଲା ପହଞ୍ଚିଲା ସେତେବେଳେ ତାଙ୍କ ବାଳୁତ ପୁଅ ଏକଥା ହିଁ କହିଲା ଯେ, ସେ ମଧ୍ୟ ସେନାବାହିନୀରେ ଯୋଗଦେବ । ଏହି କୋମଳମତି ବାଳକର ସାହସ ଆଜି ଭାରତବର୍ଷର ପ୍ରତ୍ୟେକ ବାଳକର ଭାବନାକୁ ପ୍ରକାଶ କରୁଛି । ଏହିଭଳି ଭାବନା ଆମର ବୀର, ପରାକ୍ରମୀ ସହିଦମାନଙ୍କ ଘରେ ଘରେ ଦେଖିବାକୁ ମିଳୁଛି । ଆମର ଜଣେ ହେଲେ ବୀର ଶହୀଦ ଏହାର ବ୍ୟତିକ୍ରମ ନୁହଁନ୍ତି କିମ୍ବା ତାଙ୍କର ପରିବାର ଏଥିରୁ ବାଦ ପଡ଼ିନି । ଦେୱରିୟାର ଶହୀଦ ବିଜୟ ମୌର୍ଯ୍ୟଙ୍କ ପରିବାର ହେଉ, କାଙ୍ଗଡ଼ାର ସହିଦ ତିଲକରାଜଙ୍କ ପିତା-ମାତା ହୁଅନ୍ତୁ କିମ୍ବା କୋଟାର ଶହିଦ ହେମରାଜଙ୍କ ଛଅବର୍ଷର ପୁଅ ହେଉ, ସହିଦଙ୍କ ପ୍ରତ୍ୟେକ ପରିବାରର କାହାଣୀ ପ୍ରେରଣାରେ ଭରିରହିଛି ।
ମୁଁ ଯୁବପିଢ଼ିଙ୍କୁ ଅନୁରୋଧ କରୁଛି, ଏହି ପରିବାରଗୁଡ଼ିକ ଯେଉଁ ସାହସ ଦେଖାଇଛନ୍ତି, ଯେଉଁ ଭାବନା ପ୍ରକାଶ କରିଛନ୍ତି ତାହାକୁ ଜାଣନ୍ତୁ, ବୁଝିବାର ପ୍ରୟାସ କରନ୍ତୁ । ଦେଶଭକ୍ତି କ’ଣ, ତ୍ୟାଗ-ତପସ୍ୟା କ’ଣ – ଏହା ବୁଝିବା ପାଇଁ ଆମକୁ ଇତିହାସର ପୁରୁଣା ଘଟଣାଗୁଡ଼ିକ ଆଡ଼କୁ ଯିବାର ଆବଶ୍ୟକତା ପଡ଼ିବନି । ଆମରି ଆଖି ଆଗରେ ଏମାନେ ଜୀବନ୍ତ ଉଦାହରଣ ଏବଂ ଏମାନେ ହିଁ ଉଜ୍ଜ୍ୱଳ ଭାରତର ଭବିଷ୍ୟତ ପାଇଁ ପ୍ରେରଣାର କାରଣ ।
ଆଜି ଆମେମାନେ ଗୋଟିଏ ନୂତନ ଭାରତ ଦିଗରେ ଅଗ୍ରସର । ଏଥିରେ ଆମେ ସେଇ ଲୋକମାନଙ୍କୁ ସମ୍ମାନିତ କରିବାକୁ ଚାହୁଁ ଯେଉଁମାନେ ତୃଣମୂଳ ସ୍ତରରେ ନିଜର କାମ ଅତି ନିଷ୍କାମ ଭାବରେ କରିଛନ୍ତି । ବିଭିନ୍ନ ଭାବରେ ନିଜର ପରିଶ୍ରମ ଦ୍ୱାରା ଅନ୍ୟମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିପାରୁଛନ୍ତି । ଜନସେବା, ସମାଜସେବା ଓ ସର୍ବୋପରି ରାଷ୍ଟ୍ରସେବାରେ ସେମାନେ ନିଃସ୍ୱାର୍ଥପର ଭାବେ ଲାଗି ରହିଛନ୍ତି । ସେମାନେ ବାସ୍ତବରେ କର୍ମଯୋଗୀ । ଆପଣମାନେ ଦେଖିଥିବେ, ଯେତେବେଳେ ପଦ୍ମ ପୁରସ୍କାର ଘୋଷଣା ହୁଏ ସେତେବେଳେ ଲୋକେ ପଚାରନ୍ତି ଇଏ କିଏ ବୋଲି । ମୁଁ ଏହାକୁ ଏକ ବଡ଼ ସଫଳତା ଭାବରେ ମନେକରେ । କାରଣ ଏହି ଲୋକମାନେ ଟିଭି, ପତ୍ରପତ୍ରିକା କିମ୍ବା ଖବରକାଗଜର ମୁଖପୃଷ୍ଠାରେ ନ ଥାନ୍ତି । ଏମାନେ ଦୁନିଆର ଚାକଚକ୍ୟଠାରୁ ବହୁଦୂରରେ ରହିଥାନ୍ତି । କିନ୍ତୁ ଏମାନେ ଏଭଳି ଲୋକ ଯେଉଁମାନେ ନାଁ କମେଇବା ଆଶା ନ ରଖି ତୃଣମୂଳ ସ୍ତରରେ କାମ କରିବାରେ ବିଶ୍ୱାସ କରନ୍ତି ।

ମୁଁ ଆପଣମାନଙ୍କୁ ଏହିଭଳି କିଛି ଲୋକଙ୍କ ବିଷୟରେ କହିବାକୁ ଚାହେଁ । ଓଡ଼ିଶାର ଦୈତାରୀ ନାୟକଙ୍କ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । ତାଙ୍କୁ ‘The Canal Man of Odisha’ ବୋଲି ବିନା କାରଣରେ କୁହାଯାଇନି । ଦୈତାରୀ ନାୟକ ନିଜ ହାତରେ ପାହାଡ଼କୁ କାଟି ତାଙ୍କ ଗାଁରେ ତିନି କିଲୋମିଟର ଲମ୍ବ ଗୋଟିଏ କେନାଲ ଖୋଳିପାରିଛନ୍ତି। ନିଜ ପରିଶ୍ରମ ବଳରେ ସେ ପାଣି ଓ ଜଳସେଚନର ସମସ୍ୟାର ଏକ ସ୍ଥାୟୀ ସମାଧାନ କରିପାରିଛନ୍ତି ।