କଂଗ୍ରେସ ହରଡ଼ଘଣାରେ : ଯୁଧିଷ୍ଠିର ସାମନ୍ତରାୟ ନିର୍ବାଚନ ଲଢ଼ିବାକୁ ମନାକଲେ
ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିବାବେଳେ ପିପିଲିରୁ ଦଳୀୟ ପ୍ରାର୍ଥୀ ହୋଇଥିବା ଯୁଧିଷ୍ଠିର ସାମନ୍ତରାୟ ନିର୍ବାଚନ ଲଢ଼ିବା ପାଇଁ ଅନିଚ୍ଛା କଂଗ୍ରେସକୁ ଚିନ୍ତାରେ ପକାଇଛି। ଶ୍ରୀ ସାମନ୍ତରାୟ ଦଳୀୟ ନେତୃତ୍ୱଙ୍କୁ ଦାୟୀ କରି ନିର୍ବାଚନ ଲଢ଼ିବାକୁ ମନା କରିଛନ୍ତି। ପିସିସି ସଭାପତି ଅନ୍ୟଠାରୁ ଟଙ୍କା ନେଇ ତାଙ୍କର ପ୍ରାର୍ଥୀତ୍ୱକୁ ଝୁଲାଇ ରଖିଥିଲେ ବୋଲି ଅଭିଯୋଗ କରିଛନ୍ତି। ଏତେ କମ ସମୟ ମଧ୍ୟରେ ସେ ନିର୍ବାଚନ ଲଢ଼ିବା ସମ୍ଭବପର ନୁହେଁ। ତେଣୁ ନିଜର କର୍ମୀ ଓ ସମର୍ଥକଙ୍କ ସହ ପରାମର୍ଶ ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି।
ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି ଯୁଧିଷ୍ଠିର । ଜାଣିଶୁଣି ତାଙ୍କୁ ଏତେ ବିଳମ୍ବରେ ଟିକେଟ ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଦଳୀୟ କର୍ମୀଙ୍କ ସହ ଆଲୋଚନା ପରେ ନିର୍ବାଚନ ନଲଢ଼ିବାକୁ ନିଷ୍ପତ୍ତି ନେଇଥିବା ସ୍ପଷ୍ଟ କରିଛନ୍ତି ଯୁଧିଷ୍ଠିର । ଅନ୍ୟପଟେ ସେ ଏବେ ବି କଂଗ୍ରେସରେ ଅଛନ୍ତି, କିନ୍ତୁ ଏହି ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି । ଯୁଧିଷ୍ଠିରଙ୍କ ଏଭଳି ନିଷ୍ପତ୍ତି କଂଗ୍ରେସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି କୁହାଯାଉଛି । କାରଣ ଆସନ୍ତା ୨୩ ତାରିଖରେ ପୁରୀ ସଂସଦୀୟ କ୍ଷେତ୍ର ଅଧିନରେ ଯାଉଥିବା ଏହି ପିପିଲି ଆସନ ପାଇଁ କଂଗ୍ରେସ ଯୁଧିଷ୍ଠିରଙ୍କୁ ଟିକେଟ୍ ଦେଇଥିଲା । ହେଲେ ସେ ନିର୍ବାଚନରୁ ଓହରିଯାଇଥିବା କହିବା ପରେ ଆଗାମୀ ଦିନରେ ପିପିଲି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଆସନରେ କଂଗ୍ରେସର ପ୍ରାର୍ଥୀ କିଏ ହେବ ତାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।
ଶ୍ରୀ ସମାନ୍ତରାୟ କହିଛନ୍ତି, ପ୍ରାର୍ଥୀ କରାଯାଇଥିଲେ ବି ତାଙ୍କୁ ହରାଇବା ପାଇଁ ନିରଞ୍ଜନ ଷଡଯନ୍ତ୍ର କରୁଥିବା ନିଜ ସର୍ମଥକଙ୍କୁ କହୁଥିବା ଭିଡିଓ ଭାଇରାଲ ହୋଇଛି । ଶ୍ରୀ ସମନ୍ତରାୟ ଅଭିଯୋଗ କହିଛନ୍ତି, ଯେଉଁ ଦଳର ସଭାପତି ଦଳୀୟ ଟିକେଟ ଦେବା ପାଇଁ ଗୋଟିଏ ଗୋଟିଏ ଟିକେଟ ପାଇଁ ୫ କୋଟି ଲେଖାଏଁ ନିଅନ୍ତି ଏବଂ ନେଇ କି ଟିକେଟ ଦିଅନ୍ତି । ଯଦି ଯୁଧିଷ୍ଠିର ସାମନ୍ତରାୟଙ୍କୁ ତଥା ଜଣେ ନେତା ହିସାବରେ ଦଳୀୟ ସଭାପତି ଖାତିର କରିବେ ନାହିଁ ଏବଂ କର୍ମୀଙ୍କ ପ୍ରତି ବୈମାତୃକ ମନୋଭାବ ସୃଷ୍ଟି କରିବେ ସେ ଜାଗାରେ ଟିକେଟ ଆଣିକି ଲଢିବୁ କାହିଁକି । ତେଣୁ ମୁଁ ନିଷ୍ପତ୍ତି ନେଲି ନିର୍ବାଚନ ଲଢିବ ନାହିଁ ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି । ଯୁଧିଷ୍ଠିରଙ୍କ ଅଭିଯୋଗ ନେଇ ନିରଞ୍ଜନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ରାଜନୀତିକ ଉଷ୍ମତା ଲାଗି ରହିଥିବାବେଳେ କଂଗ୍ରେସ ଏବେ ହରଡ଼ଘଣାରେ ପଡ଼ିଛି। ଦଳର ଜଣକ ପରେ ଜଣେ ବିଧାୟକ ପ୍ରାର୍ଥୀ ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି। ଯାହାକି ନିର୍ବାଚନ ସମୟରେ କଂଗ୍ରେସରେ ଥିବା ତୀବ୍ର ଅସନ୍ତୋଷକୁ ପଦାରେ ପକାଇଛି। ଆଜି ଗୋଟିଏ ଦିନରେ ଘୋଷିତ ହୋଇଥିବା ଦଳର ଦୁଇଜଣ ବିଧାୟକ ପ୍ରାର୍ଥୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଓ ଯୁଧିଷ୍ଠିର ସାମନ୍ତରାୟ ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି।
ଦଳର କବିସୂର୍ଯ୍ୟନଗରରୁ ବିଧାୟକ ପ୍ରାର୍ଥୀ ସୀତାରାମ ପାଣିଗ୍ରାହୀ ବିଜେଡିରେ ସାମିଲ ହୋଇଥିବାବେଳେ ଆଜି ବେଗୁନିଆରୁ ଦଳୀୟ ପ୍ରାର୍ଥୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହି ନିଜର ଅନିଚ୍ଛା ବ୍ୟକ୍ତ କରିଥିଲେ। ପୃଥ୍ୱୀଙ୍କ ଅନିଚ୍ଛାର କିଛି ଘଣ୍ଟା ନପୁରୁଣୁ ପିପିଲିରୁ ଦଳୀୟ ପ୍ରାର୍ଥୀ ହୋଇଥିବା ଯୁଧିଷ୍ଠିର ସାମନ୍ତରାୟ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ଗତକାଲି ରାତିରେ ତାଙ୍କୁ ପିପିଲିରୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା।