ପିନାକୀ-ସମ୍ୱିତ କଥା କଟାକଟି
ରାଜ୍ୟର ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ ପୁରୀ ଲୋକସଭା ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିଛି। କାରଣ ବିଜେପିର ଜାତୀୟ ମୁଖପାତ୍ର ଡ଼ା. ସମ୍ୱିତ ପାତ୍ର ପୁରୀରୁ ଦଳୀୟ ପ୍ରାର୍ଥୀ ହୋଇଥିବାବେଳେ ଏହି ଆସନରୁ ୩ଥର ସାଂସଦ ହୋଇଥିବା ତଥା ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପିନାକୀ ମିଶ୍ର ଶାସକ ବିଜେଡି ଦଳର ପ୍ରାର୍ତୀ ହୋଇଛନ୍ତି। ଏହି ଦୁଇ ଜଣ କଥା କହିବାରେ କେହି କାହାଠାରୁ କମ୍ ନୁହଁନ୍ତି। ଏମାନଙ୍କୁ ଟକ୍କର ଦେବା ପାଇଁ କଂଗ୍ରେସ ପକ୍ଷରୁ ସାମ୍ୱାଦିକ ସତ୍ୟପ୍ରକାଶ ନାୟକଙ୍କୁ ପ୍ରାର୍ଥୀ କରିଛି। ସେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ବିତର୍କ କରିବାରେ ଧୁରନ୍ଧର। ତିନି କଥା କୁହା ପ୍ରାର୍ଥୀଙ୍କ ଯୋଗୁ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ଏବେ ଚର୍ଚ୍ଚାର ବିଷୟ ହୋଇଛି।

ପୁରୀ ଲୋକସଭା ଆସନ ପାଇଁ ତିନି ଦଳରେ ହେଭିୱେଟ୍ ଦାବିଦାର। ଜୋରଦାର ଜମିଗଲାଣି ପ୍ରଚାର। ରୋଡ ଶୋ, ସଭାସମିତିରେ କେହି କାହା ପଛରେ ନାହାନ୍ତି। ନିର୍ବାଚନ ଫଳାଫଳ କ’ଣ ହେବ, ତା’ ତ ସମୟ କହିବ। କିନ୍ତୁ ଏବେ ବାକ୍ ଚାତୁରିରେ ନିପୁଣ ପ୍ରାର୍ଥୀଙ୍କ କଥା କଟାକଟି ବେଶ ରୋଚକ ହେଉଛି ଭୋଟରଙ୍କ ପାଇଁ। ପୁରୀରେ ପିନାକୀ ଓ ସମ୍ବିତଙ୍କ ପ୍ରଚାର ବେଶି ଜମୁଛି। କଥାରେ କେହି କାହାକୁ ଛାଡୁ ନାହାନ୍ତି।

ଆଜି ଏକ ପ୍ରଚାର କାର୍ଯ୍ୟକ୍ରମରେ ଯାଇ ପିନାକୀ ସାମ୍ବାଦିକଙ୍କ ସାମ୍ନାରେ ସମ୍ବିତ୍ଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ। ପିନାକୀ କହିଛନ୍ତି, ସମ୍ବିତ ଜାତୀୟ ସ୍ତର ଗଣମାଧ୍ୟମରେ ଡିବେଟ କରୁଛନ୍ତି, ଯେଉଁଠି ଆଙ୍କରମାନଙ୍କୁ କହିବାର ସୁଯୋଗ ମିଳେ ନାହିଁ। ହେଲେ ମୋ ସହ ଖୋଲା ଡିବେଟ କରନ୍ତୁ ଦେଖି!
ପିନାକୀଙ୍କ ଏପରି ଚ୍ୟାଲେଞ୍ଜକୁ ହଜମ କରିପାରି ନାହାନ୍ତି ସମ୍ବିତ୍। ତୁରନ୍ତ ଉତ୍ତର ଦେଇଛନ୍ତି, ପାର୍ଲାମେଣ୍ଟରେ ତାଙ୍କୁ ଲାଇଭ ଡିବେଟ କରିବାର ସୁଯୋଗ ମିଳିଲା। ସେତେବେଳେ ତ ପାଟି ଖୋଲିଲେନି। ଏବେ ଏଠି ଡିବେଟ କାହିଁକି କରିବେ?
ଏହାର ଭତ୍ତର ଦେଇ ପିନାକୀ କହିଥିଲେ, ତାଙ୍କର ରେକର୍ଡ ହେଲା ଦିଲ୍ଲୀ ଚ୍ୟାନେଲ୍ରେ ଡିବେଟ କରିବା। ହେଲେ ମୋ ସହ ଖୋଲା ଡିବେଟ କଲେ ମୁଁ କହିଦେବି ମୁଁ ପାର୍ଲାମେଣ୍ଟରେ କ’ଣ କହିଛି। ସେ ହୁଏତ ତାହା ଦେଖି ପାରି ନ ଥିବେ। ଏହାର ଉତ୍ତରରେ ସମ୍ବିତ କହିଥିଲେ, ପାର୍ଲାମେଣ୍ଟରେ ଖୋଲା ଡିବେଟରେ କିଛି କହିଲେନି। ପୁରୀ ସମସ୍ୟା ଉପସ୍ଥାପନ କଲେନି। ଶୋଇଲେ। ଏବେ ଏଠି ଡିବେଟ କରି ଫାଇଦା କ’ଣ ?