ଭାରତୀୟ ପାଇଲଟଙ୍କୁ ଆସନ୍ତା କାଲି ଛାଡିବ ପାକିସ୍ତାନ

ଭାରତ ପାଇଁ ଏକ ବଡ଼ ଖବର । ଭାରତ ଓ ବିଶ୍ବ ଜନମତ ଚାପରେ ପଡି ପାକିସ୍ତାନ ଶେଷରେ ବାୟୁସେନା ପାଇଲଟ ଅଭିନନ୍ଦନ ଅଭିନନ୍ଦନଙ୍କୁ ଛାଡିବା ପାଇଁ ନିଷ୍ପତ୍ତି ନେଇଛି । ପାଇଲଟ ଅଭିନନ୍ଦନଙ୍କୁ ଶାନ୍ତି ପ୍ରତିଷ୍ଠା ପାଇଁ ମୁକ୍ତ କରାଯିବ ବୋଲି ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଦେଶର ସଂସଦରେ ଘୋଷଣା କରିଛନ୍ତି। ଆସନ୍ତା କାଲି ସେ ଭାରତରେ ପହଞ୍ଚିବାର ସମ୍ଭାବନା ରହିଛି । ଏହା ପୂର୍ବରୁ କେତେକ ସର୍ତ୍ତ ସହ ତାଙ୍କୁ ଛାଡିବାକୁ ପାକିସ୍ତାନ ପ୍ରସ୍ତାବ ଦେଇଥିଲା । କିନ୍ତୁ ପାକିସ୍ତାନ ଆଗରେ ଭାରତ ଦବିଯାଇନଥିଲା ଓ ପାକିସ୍ତାନ ତାଙ୍କୁ ଛାଡିବାକୁ ବାଧ୍ୟ ବୋଲି କହିଥିଲା । ଜେନିଭା କନଭେନସନ ଅନୁସାରେ ପାକିସ୍ତାନ ତାଙ୍କୁ ଛାଡିବା ପାଇଁ ବାଧ୍ୟ ବୋଲି ଭାରତ କହିଥିଲା। ଶାନ୍ତି ପାଇଁ ଅଭିନନ୍ଦନଙ୍କୁ ମୁକ୍ତ କରାଯାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଥିଲେ ମଧ୍ୟ ଅନ୍ତର୍ଜାତୀୟ ଚାପ ଓ ଭାରତର ବିଚକ୍ଷଣ କୂଟନୀତି ଆଗରେ ନଇଁ ପାକିସ୍ତାନ ଏହା କରିବା ପାଇଁ ବାଧ୍ୟ ହୋଇଥିଲା ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଗତକାଲି ଦୁଇ ଜଣ ପାଇଲଟଙ୍କୁ ପାକିସ୍ତାନ ସେନା ଗିରଫ କରିଛି ବୋଲି ଇମ୍ରାନ କହିଥିଲେ। ହେଲେ ଆଜି ସଂସଦରେ ସେ ପୂର୍ବ ବକ୍ତବ୍ୟ ବଦଳାଇ ପାକିସ୍ତାନ ଜଣେ ମାତ୍ର ପାଇଲଟଙ୍କୁ ଗିରଫ କରିଥିବା ସ୍ୱୀକାର କରିଛନ୍ତି। ପାକିସ୍ତାନ ଯୁଦ୍ଧ ଚାହେଁ ନାହିଁ ବୋଲି ପ୍ରମାଣ କରିବାକୁ ସରକାର ପାଇଲଟ ଅଭିନନ୍ଦନଙ୍କୁ ମୁକ୍ତି ଦେଉଛନ୍ତି ଓ ଭାରତ ମଧ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରୁ ବୋଲି ଇମ୍ରାନ୍‌ ଖାନ୍‌ ନିବେଦନ କରିଛନ୍ତି।

ସଂସଦର ମିଳିତ ଅଧିବେଶକୁ ଉଦ୍‌ବୋଧନ ଦେଇ ଇମ୍ରାନ୍ କହିଛନ୍ତି, ଆମେ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁଛି। ଏଥିପାଇଁ ଭାରତୀୟ ସେନା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଚାହୁଁଛୁ। ଯଦି ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ କରେ, ତା’ହେଲେ ପାକିସ୍ତାନ ମଧ୍ୟ ଏହାର ଜବାବ ଦେବାକୁ ବାଧ୍ୟ ହେବ। ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗତକାଲି ଠାରୁ କଥା ହେବାକୁ ଚାହୁଁଛି, ହେଲେ ଏହା ସମ୍ଭବ ହୋଇପାରୁ ନାହିଁ। ତଥାପି ମୁଁ ଏବେ ବି ଚେଷ୍ଟା କରିବି। ଏବେ ଯାହା ଘଟୁଛି ତାହା କେବଳ କାଶ୍ମୀର ପାଇଁ ଚାଲିଛି। ହିନ୍ଦୁସ୍ତାନର ସମସ୍ତ ଲୋକଙ୍କୁ କହୁଛି ଯେ ସେମାନେ ତାଙ୍କ ସରକାରଙ୍କୁ ପ୍ରଶ୍ନ କରନ୍ତୁ। କ’ଣ ପାଇଁ ୧୯ ବର୍ଷର ଜଣେ କାଶ୍ମିରୀ ନିଜକୁ ନିଜେ ଆତ୍ମଘାତୀ ଭାବେ ଗଢ଼ି ତୋଳୁଛି?

ଗତକାଲି ସକାଳେ ଭାରତୀୟ ବାୟୁସୀମାକୁ ଉଲ୍ଲଙ୍ଘନ କରି ଏକାଧିକ ପାକ୍‌ ଜେଟ୍‌ ଭାରତରେ ପ୍ରବେଶ କରିଥିଲା।  ଏହି ସମୟରେ ସମୀରେ ପ୍ୟାଟ୍ରୋଲିଂ କରୁଥିବା ଭାରତର ମିଗ୍୨୧ ବିମାନ ଏହାକୁ ରୋକିବା ସହ ଆକ୍ରମଣ କରିଥିଲା। ଏହି ସମୟରେ ମିଗ୍୨୧ ମାଡ଼ରେ ଏକ ପାକିସ୍ତାନର ଏଫ୍୧୬ ଯୁଦ୍ଧ ବିମାନ ପିଓକେ ଖସି ପଡ଼ିଥିଲା। ସେହିପରି ମିଗ୍୨୧ ମଧ୍ୟ ପାକ୍ସୀମାରେ ଖସି ପଡ଼ିଥିଲା ଏବଂ ଏହାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ସେନା ଗିରଫ କରିଥିଲା।

ଧରାପଡ଼ିବା ପୂର୍ବରୁ ଲଢ଼େଇ କରିଥିଲେ ଅଭିନନ୍ଦନ

ଇତି ମଧ୍ୟରେ ପାଇଲଟ୍ ଅଭିନନ୍ଦନ ପାକ୍‌ ସେନା ହାତରେ ଧରିବା ପୂର୍ବରୁ କେମିତି ଲଢ଼େଇ କରିଥିଲେ, ତା’ର ତଥ୍ୟ ସାମ୍ନାକୁ ଆସିଛି। ପାକ୍‌ ଗଣମାଧ୍ୟମ ଡନ୍‌ରେ ପ୍ରକାଶିତ ଖବର ଅନୁଯାୟୀ, ପାକିସ୍ତାନ ସୀମାରେ ଥିଲେ ହେଁ ପାଇଲଟ୍ ଅଭିନନ୍ଦନଙ୍କ ଚେହେରାରେ ଭୟ ନଥିଲା। ସେ ଜଣେ ବୀରଙ୍କ ଭଳି ସମସ୍ତଙ୍କ ଆଗରେ ଛିଡ଼ା ହୋଇଥିଲେ। ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ସେ ଗୁରୁତର ଆହତ ହୋଇଥିଲେ ସତ କିନ୍ତୁ ସେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ଲୋକଙ୍କୁ କଡ଼ା ଜବାବ ଦେଇଥିଲେ।

ପିଓକେରେ ଖସି ପଡ଼ିବା ପରେ ପାଇଲଟଙ୍କୁ ପ୍ରଥମେ ସ୍ଥାନୀୟ ଯୁବକମାନେ ଘେରି ଯାଇଥିଲେ। ଯୁବକମାନେ ପ୍ରଥମେ ଅଭିନନ୍ଦନ ପାକିସ୍ତାନ ନା ଭାରତର ବୋଲି ଜାଣିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଜଣେ ଯୁବକ ଅଭିନନ୍ଦନ ଭାରତର ବୋଲି ଚିତ୍କାର କରିଥିଲେ। ଆହତ ଅଭିନନ୍ଦନ କହିଥିଲେ, ମୋ ଅଣ୍ଟାରେ ମାଡ଼ ହୋଇଛି ଏବଂ ମୁଁ ପାଣି ପିଇବାକୁ ଚାହେଁ। କିନ୍ତୁ ସ୍ଥାନୀୟ ଯୁବକମାନେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଅଭିନନ୍ଦନ ନିଜ ପାଖରେ ରଖିଥିବା ପିସ୍ତଲ ଦେଖାଇ ଘଟଣାସ୍ଥଳରୁ ଅଧ କିମି ଦୌଡ଼ି ଥିଲେ।

ଯୁବକମାନେ ତାଙ୍କୁ ଟେକା ମାରିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଯୁବକମାନେ ଟେକା ମାଡ଼ କରିବାରୁ ଅଭିନନ୍ଦନ ଫାଙ୍କା ଗୁଳି ଚଳାଇଥିଲେ। ତେବେ ଶେଷରେ ଅଭିନନ୍ଦନ ଏକ ଛୋଟ ପୋଖରୀକୁ ଡେଇଁ ପଡ଼ିଥିଲେ। ଏହି ସମୟରେ ବୁଦ୍ଧି ଖର୍ଚ୍ଚ କରି ଅଭିନନ୍ଦନ ନିଜ ପାଖରେ ରଖିଥିବା କିଛି ଗୋପନୀୟ ମ୍ୟାପ୍‌ ଓ କାଗଜକୁ ପାଣିରେ ନଷ୍ଟ କରି ଦେଇଥିଲେ। ଯୁବକମାନେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିବା ବେଳେ ପାକ୍‌ ସେନା ସେଠାରେ ପହଞ୍ଚିଥିଲା ଏବଂ ତାଙ୍କୁ ଲୋକଙ୍କ ଆକ୍ରମଣରୁ ରକ୍ଷା କରିଥିଲା।

Leave a Reply

Your email address will not be published. Required fields are marked *