ସୁରଟରେ ଓଡ଼ିଆ ଚିନ୍ତା: ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର, ବିଜେଡି ପକ୍ଷରୁ ଅରୂପଙ୍କ ସୁରଟ ଗସ୍ତ

ଭୁବନେଶ୍ଵର, (ଓଟି): କୋଭିଡ୍‌୧୯ କରୋନା ମହାମାରୀ ପରିପ୍ରେକ୍ଷୀରେ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଫଶିଥିବା ଓଡ଼ିଆ ଶ୍ରମିକଙ୍କ ଚିନ୍ତାରେ ଉଭୟ ପ୍ରଶାସନ ଓ ରାଜନେତାମନେ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବିଜେଡି ପକ୍ଷରୁ ‘ମୋ ପରିବାର’ ଅଭିଯାନ ମୁଖ୍ୟ ଅରୂପ ପଟ୍ଟନାୟକ ସୁରଟ ଗସ୍ତ କରି ସେଠାରେ ସେମାନଙ୍କୁ ଉଦ୍ଧାର ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଜେଡି ସ୍ଥିର କରିଛି। ଏହି ଘୋଷଣାର କିଛି ସମୟ ପରେ କେନ୍ଦୟମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାରୀ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଗୁଜରାଟରେ ଥିବା ଓଡ଼ିଆଙ୍କ ସୁରକ୍ଷା ପାଇଁ ସେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସେମାନଙ୍କ ସୁରକ୍ଷା ଓ ଖାଦ୍ୟ ପେୟ ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିବା ସେ କହିଛନ୍ତି।

ଶ୍ରୀ ପ୍ରଧାନ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି। ସେଠାରେ ଥିବା ଓଡ଼ିଆ ଶ୍ରମିକଙ୍କ ରହିବା, ଖାଇବା, ସାମାଜିକ ଦୂରତ୍ଵ ସହ ସ୍ଵାସ୍ଥ୍ୟ କଥା ଚିନ୍ତା କରିବା ନେଇ ରାଜ୍ୟ ସରକାର ତାଙ୍କୁ ସୂଚନା ଦେଇଥିବା ଶ୍ରୀ ପ୍ରଧାନ କହିଛନ୍ତି।

କର୍ମସଂସ୍ଥାନ ଖୋଜି ଖୋଜି ରାଜ୍ୟର ବିଭିନ୍ନ ସ୍ଥାନରୁ ଏହି ଶ୍ରମିକମାନେ ସୁରଟ ଯାଇଛନ୍ତି। ସେଠାରେ ଘରୋଇ କମ୍ପାନୀମାନଙ୍କରେ ଶ୍ରମିକ ଭାବେ କାମ କରି ଗୁଜରାଣ ମେଣ୍ଟାଇଥାଆନ୍ତି। କିନ୍ତୁ କୋଭିଡ୍‌ ୧୯ ଲକ୍‌ଡାଉନ୍‌ ହେତୁ ସେମାନଙ୍କ କାରଖାନା ବନ୍ଦ ହୋଇଛି। କାମଧନ୍ଦା ମିଳୁ ନାହିଁ କି ମଜୁରୀ ମିଳୁନାହିଁ ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଛୋଟ ଘରେ ରହୁଥିବାରୁ ସଂକ୍ରମଣ ଆଶଙ୍କା ରହିଥିବା ନେଇ ସେମାନେ ଏକ ଭିଡିଓ କରି ରାଜ୍ୟର ବିଭିନ୍ନ ଗଣମାଧ୍ୟମକୁ ପୂର୍ବରୁ ପଠାଇଥିଲେ।

ରାଜ୍ୟ ସରକାର ଏହିଭଳି ଶ୍ରମିକଙ୍କ ସୁରକ୍ଷା ନିଶ୍ଚିତ କରିବା ତଥା ସେମାନଙ୍କୁ ଆବଶ୍ୟକ ହେଲେ ରାଜ୍ୟକୁ ଫେରାଇ ଆଣିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। ସରକାରୀ ସ୍ତରରେ ଏଥିଲାଗି ୧୨ଟି ଟିମ୍‌ ଗଠନ କରାଯାଇଛି। ୧୨ଜଣ ବରିଷ୍ଠ ଅଧିକାରୀ ଏହାର ନେତୃତ୍ଵ ନେଉଛନ୍ତି। ଗୃହ ବିଭାଗ ପକ୍ଷରୁ ଏକ ସ୍ଵତନ୍ତ୍ର କଲ୍‌ ସେଣ୍ଟର ସ୍ଥାପନ କରାଯାଇଛି। ଏହି କଲ୍‌ ସେଣ୍ଟର ନମ୍ବର ହେଉଛି: ୦୬୭୪୨୩୯୨୧୧୫ ଏବଂ ହ୍ବାଟ୍ସଆପ୍‌ ନମ୍ବର ହେଉଛି: ୯୪୩୮୯୪୭୦୦।

ସରକାରୀ ସୂଚନା ଅନୁସାରେ ସୋମବାର ଅପରାହ୍ଣ ସାଢ଼େ୪ଟା ସୁଦ୍ଧର ୧ଲକ୍ଷ ୨୦ ହଜାର ଲୋକଙ୍କ ଲାଗି ଏହି ନମ୍ବରରେ ୪୭୦୦ କଲ୍‌ ସରରକାରଙ୍କ ହସ୍ତଗତ ହୋଇଚି। ଏମାନେ ମୁଖ୍ୟତଃ ଗୁଜରାଟ, ତାମିଲ୍‌ନାଡ଼ୁ, କଣ୍ଣାଟକ ଏବଂ କେରଳରେ ଫଶିଥିବା ଜଣାଇଛନ୍ତି।

 

Leave a Reply

Your email address will not be published.