ମୁଖ୍ୟମନ୍ତ୍ରୀଙ୍କୁ ମିଳିବ ‘ପେଟା’ ପୁରସ୍କାର
ଭୁବନେଶ୍ୱର (ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁରସ୍କାର ପ୍ରଦାନ କରିବ ପେଟା (PETA) ଇଣ୍ଡିଆ। ମହାମାରୀ କରୋନା ପାଇଁ ଦେଶ ଲକ୍ଡାଉନ୍ ରହିଥିବାବେଳେ ଖାଇବାକୁ ନପାଇ ରାସ୍ତାରେ ବୁଲୁଥିବା ବୁଲା କୁକୁର, ଗାଇ ଏବଂ ଅନ୍ୟ ପଶୁଙ୍କ ଖାଇବା ବ୍ୟବସ୍ଥା କରିଥିବାରୁ ଓଡ଼ିଶା ସରକାର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ପଟ୍ଟନାୟକ ପୁରସ୍କାର ପାଇବେ ବୋଲି ଜଣାପଡ଼ିଛି। ମନୁଷ୍ୟଙ୍କ ଭଳି ଅନ୍ୟ ପ୍ରାଣୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଭଲପାଇବା ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବ ବୋଲି #ପେଟା ପକ୍ଷରୁ କୁହାଯାଇଥିବାବେଳେ ‘ହିରୋ ଟୁ ଆନିମଲ୍ସ’ ନାମକ ସମ୍ମାନ ପ୍ରଦାନ କରାଯିବ।
ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟର ୫ଟି ମ୍ୟୁନିସିପାଲ କର୍ପୋରେସନ୍ ଏବଂ ୪୮ଟି ମ୍ୟୁନିସିପାଲିଟିରେ ବିଭିନ୍ନ ପ୍ରାଣୀଙ୍କ ଖାଇବା ପାଇଁ ବ୍ୟବସ୍ଥା କରିଥିଲେ। ଏନେଇ ସେ ରିଲିଫ୍ ଫଣ୍ଡରୁ ୫୪ ଲକ୍ଷ ଟଙ୍କା ବ୍ୟବସ୍ଥା କରିଥିଲେ। ପ୍ରକାଶ ଥାଉକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଡାଉନ୍ ସମୟରେ ଅନ୍ୟ ପ୍ରାଣୀମାନେ ଭାରି ଅସୁବିଧାରେ ପଡୁଥିବାରୁ ସେମାନଙ୍କ ଯତ୍ନ ନେବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ। ସେହିପରି ବିଜେପି ସାଂସଦ ମାନେକା ଗାନ୍ଧି ମଧ୍ୟ ଅନୁରୂପ ଆହ୍ୱାନ ଦେଇଥିଲେ।











