ଜଳପଥରେ ପହଞ୍ଚିଲେ, କ୍ଵାରେଣ୍ଟାଇନ୍ରେ ରହିଲେ
ବ୍ରହ୍ମପୁର (ଓଟି): ମହାମାରୀ କରୋନା ପାଇଁ ଦେଶ ରହିଛି ଲକ୍ଡାଉନ୍ରେ। ଏଥିପାଇଁ ସବୁକିଛି ବନ୍ଦ। ଯିଏ ଯୋଉଠି ରହିଲେ ସେଇଠି ବନ୍ଦି ସମ ହୋଇଛି ଜୀବନ ଯାତ୍ରା। ତେବେ ଅନେକ ଲୋକ ବାହାରୁ ନିଜ ଗାଁ ତଥା ଘରକୁ ଫେରିବାକୁ ବ୍ୟାକୁଳ ହେଉଛନ୍ତି ଏବଂ ନାନା ଉପାୟ କରୁଛନ୍ତି। କିଏ ଚାଲିଚାଲି ଓ କିଏ ସାଇକେଲ ନଇେ ଶହଶହ କିମି ଯାତ୍ରା କରୁଥିବା ମଧ୍ୟ ଖବର ରହିଛି। ଏହିକ୍ରମରେ ଚେନ୍ନାଇରୁ ବାହାରି ଓଡ଼ିଶା ପହଞ୍ଚିବା ପାଇଁ କେତେକ ଲୋକେ ଅଭିନବ ପଥ ବାହାର କରିଛନ୍ତି। ମୋଟ ୨୭ଜଣ ବ୍ୟକ୍ତି ଜଳପଥରେ ବାହାରି ଓଡ଼ିଶା ପହଞ୍ଚି ଥିବା ଜଣାପଡ଼ିଛି। ତେବେ ପ୍ରଶାସନ ସମସ୍ତଙ୍କୁ କ୍ଵାରେଣ୍ଟାଇନ୍ରେ ରଖିଛି।
ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶରୁ କିଛି ଲୋକ ଓଡ଼ିଶା ଆସିବା ପାଇଁ ଜଳପଥରେ ଯାତ୍ରା କରୁଥିବା ନେଇ ଆଗରୁ ପ୍ରଶାସନ ପାଖରେ ସୂଚନା ପହଞ୍ଚି ସାରିଥିଲା। ଆନ୍ଧ୍ର ପୁଲିସ୍ର ସୂଚନା ଓଡ଼ିଶାରେ ଗଞ୍ଜାମ ପୁଲିସ୍ ମଧ୍ୟ ସଜାଗ ହୋଇରହିଥିଲା। ସୂଚନା ମିଳିଥିବା ଅନୁସାରେ ଓଡ଼ିଶାର ୧୦ ଜଣ ଓ ଆନ୍ଧ୍ରପ୍ରଦେଶର ୧୭ ଜଣ ମିଶି ଜଳପଥ ଦେଇ ଡଙ୍ଗାରେ ଆସି ଆଜି ପହଞ୍ଚି ଥିଲେ। ଓଡ଼ିଶାରେ ପହଞ୍ଚିବା ପରେ ଆନ୍ଧ୍ରପ୍ରଦେଶ ଇଚ୍ଛାପୁରମ୍ ପୁଲିସ୍ ସମସ୍ତଙ୍କୁ ପୁସ୍ତପୁର ନୋଡାଲ ସ୍କୁଲରେ କ୍ଵାରେଣ୍ଟାଇନ୍ରେ ରଖିଥିବା ସୂଚନା ମିଳିଛି। ୧୦ ଜଣ ଓଡ଼ିଆଙ୍କ ମଧ୍ୟରୁ ୯ ଜଣ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଳକ୍ ଅଞ୍ଚଳର ଏବଂ ଅନ୍ୟ ଜଣେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର ବୋଲି ସୂଚନା ମିଳିଛି।