ବିଜୟଙ୍କ ପ୍ରତି ବଢ଼ୁଛି ଅନୁକମ୍ପା
ପାଟକୁରା ନିର୍ବାଚନମଣ୍ଡଳୀରେ ଦଳୀୟ ବିଦ୍ରୋହର ଶିକାର ହୋଇଥିବା ଏବଂ ବୟସାଧିକ କାରଣରୁ ବେଦପ୍ରକାଶ ଅଗ୍ରୱାଲାଙ୍କୁ ବଜେଡି ପ୍ରାର୍ଥୀ ଟିକଟ ଦେଇ ନିଶ୍ଚିତ ପରାଜୟକୁ ଆମନ୍ତ୍ରଣ କରିବନି ବୋଲି ରାଜନୀତିକ ମହଲରେ ବର୍ଷାଧିକ କାଳ ଧରି ଚର୍ଚ୍ଚା ହେଉଥିଲା। ଫଳରେ ଏହି ଆସନ ପାଇଁ ବିଜେଡିରୁ ବହୁ ଆଶାୟୀ ପ୍ରାର୍ଥୀ ଦଳୀୟ ଟିକଟ ପାଇଁ ଲବି ଚଳାଇଥିଲେ। ହେଲେ ପ୍ରଥମେ ବାର୍ଦ୍ଧକ୍ୟଜନିତ ବ୍ୟାଧି ସତ୍ତ୍ୱ୍ୱେ ସୁପ୍ରିମୋ ବେଦପ୍ରକାଶଙ୍କୁ ଟିକଟ ଦେବା ଏବଂ ପରେ ତାଙ୍କ ମୁତ୍ୟୁ ଯୋଗଁୁ ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲାଙ୍କୁ ପ୍ରାର୍ଥୀ କରିବା ପରେ ଆଶାୟୀ ନେତାମାନେ ନିରାଶ ହୋଇପଡ଼ିଛନ୍ତି।
କେବଳ ନିରାଶ ହୋଇଛନ୍ତି ତାହା ନୁହେଁ ବିଜେଡିରେ ସେମାନେ ଆଉ ନିଜର ଭବିଷ୍ୟତ ଦେଖୁ ନାହାଁନ୍ତି। ସାବିତ୍ରୀଙ୍କ ପରେ ତାଙ୍କ ପୁଅ ସଞ୍ଜୟ ଅଗ୍ରୱାଲାଙ୍କ ମୁଣ୍ଡରେ ଦଳ ପୁଣି ଶିରିପା ବାନ୍ଧିବ ବୋଲି ଅନେକ ଆଶଙ୍କା ପ୍ରକାଶ କରୁଛନ୍ତି। ଏହି ଭଳି ଏକ ସ୍ଥିତିରେ ସାବିତ୍ରୀଙ୍କ ପାଇଁ ଆଶାୟୀ ନେତାମାନେ କେତେଦୂର କାମ କରିବେ ଏବଂ ସେମାନଙ୍କ ଅନୁଗତ ଦଳୀୟ କର୍ମୀ କେତେ ଆନ୍ତରିକତା ପ୍ରକାଶ କରିବେ ତାହା ବଡ଼ ପ୍ରଶ୍ନ ହୋଇଛି।
ସୂଚନାଯୋଗ୍ୟ ଯେ, ଖଦିବୋର୍ଡର ଅଧ୍ୟକ୍ଷ ତେଜେଶ୍ୱର ପରିଡାଙ୍କଠାରୁ ଆରମ୍ଭ କରି ପ୍ରମୋଦ ସାହୁ, ଶାନ୍ତନୁ ନାୟକ, ରବି ସାମଲ, ଅଜୟ ରାଉତ, କନକଲତା କଣ୍ଠ, ସ୍ୱରାଜଲକ୍ଷ୍ମୀ ସାମଲ, ସରୋଜ ସାହୁ ପ୍ରମୁଖ ଯୋଗ୍ୟ ବିଜେଡି ନେତାଏ ପାଟକୁରା ଟିକଟ ଆଶାୟୀ ଥିଲେ ।
କିନ୍ତୁ ବିଜେପିରୁ ବିଜୟ ମହାପାତ୍ର ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବା ସ୍ପଷ୍ଟ ହେବା ଏବଂ ପାଟକୁରାବାସୀ ବିଜୟଙ୍କ ପ୍ରତି ଆକୃଷ୍ଟ ହେବା କାରଣରୁ କେବଳ ବିଜୟଙ୍କ ବିଜୟକୁ ରୋକିବା ପାଇଁ ନିର୍ବାଚନ ଘୁଞ୍ଚାଇବା ଲକ୍ଷ୍ୟରେ ବିଜେଡି ସୁପ୍ରିମୋ ଆଶାୟୀଙ୍କୁ ବାଦ ଦେଇ ରୋଗଶଯ୍ୟାରେ ଜୀବନ ସହ ସଂଗ୍ରାମ କରୁଥିବା ବେଦପ୍ରକାଶଙ୍କୁ ଟିକଟ ଦେଇଥିଲେ। ଏପରିକି ତାଙ୍କ ପୁଅ ଓ ପତ୍ନୀ ଦାବିଦାର ଥିଲେ ମଧ୍ୟ ସେମାନଙ୍କୁ ଉପେକ୍ଷା କରି ବେଦପ୍ରକାଶଙ୍କୁ ପ୍ରାର୍ଥୀ କରିଥିଲେ।
ବେଦପ୍ରକାଶଙ୍କ ପରଲୋକରୁ ବିଜେଡିର ନିର୍ବାଚନକୁ ଘୁଞ୍ଚାଇବା ଲକ୍ଷ୍ୟ ସଫଳ ହୋଇଥିଲା। ହେଲେ ଅଧିକ କାଳ ନିର୍ବାଚନ ଏଡାଇବାକୁ ଚାହୁଁଥିବା ବିଜେଡିକୁ ନିର୍ବାଚନ ପାଇଁ ନିର୍ବାଚନ କମିଶନ ମେ ୧୯କୁ ପରିବର୍ତ୍ତିତ କାର୍ଯ୍ୟସୂଚୀ ଘୋଷଣା କରିବା ପୁଣି ଅଡୁଆରେ ପକାଇଥିଲା।
ତେବେ ଇତିମଧ୍ୟରେ ବିଜେଡିରେ ଯୋଗ ଦେଇଥିଲେ ବିଜେପି ନେତା ଉତ୍କଳ କେଶରୀ ପରିଡା ବେଦପ୍ରକାଶଙ୍କ ଅନ୍ତେ ଟିକଟ ଆଶାୟୀ ହୋଇପଡିଥିଲେ। କିନ୍ତୁ ତାଙ୍କୁ ବି ବିଶ୍ୱାସକୁ ନେଇ ପାରିଲେନି ବିଜେଡି ସୁପ୍ରିମୋ। ଶେଷରେ ସାବିତ୍ରୀ ଅଗ୍ରୱାଲାଙ୍କୁ ଟିକଟ ଦେଇ ଅନୁକମ୍ପା ସାଉଁଟିବାକୁ ପ୍ରୟାସ କରିଥିଲେ। ହେଲେ ସାବିତ୍ରୀଙ୍କ ପ୍ରାର୍ଥୀତ୍ୱ କୌଣସି ଅନୁକମ୍ପାର ହାୱା ସୃଷ୍ଟି କରିବାରେ ସମର୍ଥ ହୋଇପାରିନି। ଏଠାରେ ବିଜୟଙ୍କୁ କୌଣସି ମତେ ବିଧାନସଭାକୁ ପୁରାଇ ନଦେବା ପାଇଁ ବିଜେଡି ଉଦ୍ୟମ ବିଜୟଙ୍କ ସପକ୍ଷରେ ଅନୁକମ୍ପା ସୃଷ୍ଟି ହେବାରେ ଲାଗିଛି।
ଯାହାକୁ ଦେଖି ବିଜେଡି ସୁପ୍ରିମୋ ଏଣେ ନିର୍ବାଚନ ଲଢିବାକୁ ସାବିତ୍ରୀଙ୍କୁ ପ୍ରାର୍ଥିପତ୍ର ଦାଖଲ କରିବାକୁ ପଠାଇ ଦେଇ ତେଣେ ନିର୍ବାଚନ ଘୁଞ୍ଚାଇବାକୁ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଯେ କୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ହେଲେ କମିଶନର ନିର୍ବାଚନ ଘୁଞ୍ଚାଇବାକୁ ଅଧିକାର ପାଇଥିବା ବେଳେ ବିପର୍ଯ୍ୟୟ ହେବା ଆଗରୁ ବିଜେଡି ସୁପ୍ରିମୋଙ୍କ ଦାବି ପାଟକୁରାବାସୀଙ୍କୁ ବିଜୟଙ୍କ ପ୍ରତି ଅଧିକ ସମ୍ୱେଦନଶୀଳ କରିଦେଇଛି।
ଏଭଳି ଏକ ସ୍ଥିତିରେ ଜନମତ ବିଜୟଙ୍କ ସପକ୍ଷରେ ଥିବା ବେଳେ ଆଶାୟୀ ପ୍ରାର୍ଥୀମାନେ ବେଶ ଉତ୍ସାହିତ ହୋଇପଡିଛନ୍ତି। ତେଣୁ ସାବିତ୍ରୀଙ୍କ ନେତୃତ୍ୱକୁ ଆଶାୟୀମାନେ ଗ୍ରହଣ କରିବା ଏତେ ସହଜ ନୁହେଁ ବୋଲି କୁହାଯାଉଛି।